ରାଷ୍ଟ୍ରଭାଷା ପାଇଁ ସମର୍ପିତ ଡ. ସୁବାସ ପାଣି

ଭୁବନେଶ୍ବର, ୫।୯: ରାଷ୍ଟ୍ରଭାଷା ପାଇଁ ସେ ସମର୍ପିତ କରିଛନ୍ତି ତାଙ୍କ ସମ୍ପୂର୍ଣ୍ଣ ଜୀବନ। ଜଣେ ଓଡ଼ିଆ ହୋଇ ମାତୃଭାଷା ଓଡ଼ିଆକୁ ଯେତିକି ଭଲ ପାଇଛନ୍ତି; ଜଣେ ଭାରତୀୟ ଭାବେ ରାଷ୍ଟ୍ରଭାଷା ହିନ୍ଦୀ ପାଇଁ ବି ସେତିକି ନିଷ୍ଠା ଦେଖାଇଛନ୍ତି। ଭାରତକୁ ଗୋଟିଏ ସୂତାରେ ଗୁନ୍ଥିବାର ପଣ ନେଇ ଅଣହିନ୍ଦୀ ରାଜ୍ୟଗୁଡ଼ିକରେ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ନିମନ୍ତେ ନିଜ ଜୀବନର ଅର୍ଦ୍ଧାଧିକ ସମୟ ବିତାଇ ଦେଇଛନ୍ତି। ଏଥିପାଇଁ ତ’ ଜଣେ ଓଡ଼ିଆ ହୋଇ ବି ଓଡ଼ିଶା ତଥା ପୂର୍ବ ଭାରତର ପ୍ରଥମ ରାଷ୍ଟ୍ରୀୟ ସମ୍ପାଦକ ଭାବେ ‘ଭାରତୀୟ ରାଜଭାଷା ପରିଷଦ’ର କାର୍ଯ୍ୟ ତୁଲାଇ ଆସୁଛନ୍ତି। ସେ ଆଉ କେହି ନୁହନ୍ତି ପ୍ରଖ୍ୟାତ ଭାଷାବିତ୍ ଡ. ସୁବାସ ପାଣି। ଦୀର୍ଘ ୨୦ ବର୍ଷ ଧରି ପ୍ରଥମ ଓଡ଼ିଆ ତଥା ପ୍ରଥମ ପୂର୍ବ ଭାରତର ବ୍ୟକ୍ତି ଭବେ ସେ ଭାରତର ଏକତାର ସୂତ୍ର ଭାବେ ହିନ୍ଦୀ ଭାଷାକୁ ଭାରତୀୟ ଅଣ-ହିନ୍ଦୀ ରାଜ୍ୟଗୁଡ଼ିକରେ ବ୍ୟାପକତା ଓ ଲୋକପ୍ରିୟତା ପାଇଁ କାର୍ଯ୍ୟ କରି ଚାଲିଛନ୍ତି।

ସୁବାସ ପାଣି। ଯାଜପୁର ଜିଲ୍ଲା ମାର୍କନ୍ଦପୁର ନିକଟସ୍ଥ ବଡ଼ସୁଆର ଗ୍ରାମର ସ୍ବର୍ଗତ ଅଙ୍କୁରଚରଣ ପାଣିଙ୍କ ପୁତ୍ର। ଉତ୍କଳ ବିଶ୍ବବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର ଉର୍ତ୍ତୀଣ୍ଣ ହେବା ସହ ବଗଲପୁର ବିଶ୍ବବିଦ୍ୟାଳୟରୁ ଡି.ଲିଟ୍ କରିଥିଲେ। ଓଡ଼ିଆ, ହିନ୍ଦୀ, ବଙ୍ଗାଳୀ ଓ ଇଂରାଜୀ ଆଦି ୪ଟି ଭାଷାରେ ଦକ୍ଷତା ରଖୁଥିବା ଶ୍ରୀ ପାଣି ହିନ୍ଦୀକୁ ନିଜ ଜୀବନଜୀବକା ଭାବେ ବାଛି ନେଇଥିଲେ।

ଦେଶର ସମସ୍ତ ରାଜ୍ୟରେ ହିନ୍ଦୀ ଭାଷାର ଅଧିକ ବ୍ୟାପକତା ପାଇଁ ପ୍ରତିବର୍ଷ ସେ ଦେଶର ଅଧିକାଂଶ ସ୍ଥାନରେ ‘ଜାତୀୟ ହିନ୍ଦୀ ସମ୍ମିଳନୀ’ର ଆୟୋଜନ କରୁଛନ୍ତି। ଏଥିସହ ହିନ୍ଦୀ ଭାଷାକୁ ଅନନ୍ୟ ଅବଦାନ ପାଇଁ ଏହି ସମ୍ମିଳନୀ ଅବସରରେ ବିଶିଷ୍ଟ ପ୍ରତିଭାମାନଙ୍କୁ ‘ରାଜଭାଷା ଗୌରବ ସମ୍ମାନ’ରେ ସମ୍ମାନିତ କରାଯାଏ। ଅଣହିନ୍ଦୀ ଲେଖକମାନଙ୍କର ପୁସ୍ତକ ଓ ଲେଖାଗୁଡ଼ିକ ହିନ୍ଦୀ ଭାଷାରେ ଅନୁବାଦିତ କରି ଏହାକୁ ପ୍ରକାଶିତ କରିବାର ଗୁରୁଦାୟିତ୍ବ ବି ସେ ନିଜ ହାତକୁ ନେଇଛନ୍ତି। ବରିଷ୍ଠ ପ୍ରଶାସକ ଅଜିତ ତ୍ରିପାଠୀଙ୍କ ‘କୁହୁକପୋଷାକ’, ସାଂସଦ ପି.କେ ପାଟ୍ଟଶାଣୀଙ୍କ କବିତା ସଂକଳନ ‘ବର୍ଷା’, ଓଡ଼ିଆ ଲେଖକ ଶ୍ରୀହରି ଧଳଙ୍କ ‘ଶବ୍ଦ କି ତଲାସ ମୈ’ କବିତା ପୁସ୍ତକ ଆଦି ସେ ଅନୁବାଦିତ କରି ପ୍ରକାଶିତ କରିଛନ୍ତି।

ଶ୍ରୀ ପାଣି ନିଜ ଜୀବନ କାଳରେ ୩୦ରୁ ଅଧିକ ସମ୍ମାନଜନକ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ହିନ୍ଦୀ ଭାଷାର ପ୍ରଚାରପ୍ରସାର ଦିଗରେ ଅନନ୍ୟ ଅବଦାନ ପାଇଁ ସେ ୨୦୦୬ରେ ‘ରାଜୀବ ଗାନ୍ଧୀ ସମ୍ଭାବନା ସମ୍ମାନ’ରେ ସମ୍ମାନିତ ହୋଇଥିଲେ। ବିଭିନ୍ନ ବଡ଼ ବଡ଼ ଅନୁଷ୍ଠାନ ପକ୍ଷରୁ ‘ରାଜଭାଷା ସମ୍ମାନ’ ସହ ୨୦୦୭ ମସିହାରେ ଓଡ଼ିଶାର ରାଜ୍ୟପାଳଙ୍କଠାରୁ ‘ଜାତୀୟ ଐକ୍ୟ ସମ୍ମାନ’ରେ ସମ୍ମାନିତ ହୋଇଥିଲେ।

Comments are closed.