ଏସ୍‌ସିବି କର୍ତ୍ତୃପକ୍ଷଙ୍କ ନୂଆ ନିଷ୍ପତ୍ତି: ଏଣିକି ଆଇସିୟୁରେ ୨୪ ଘଣ୍ଟା ବାଜିବ ଭଜନ, ସୃଷ୍ଟି ହେବ ଆଧ୍ୟାତ୍ମିକ ପରିବେଶ

0

କଟକ ୦୫/୧୦: ଆଇସିୟୁରେ ୨୪ ଘଣ୍ଟା ଭଜନ ବାଜିବ । ବିଶେଷ  କରି ଭଜନସମ୍ରାଟ ଭିକାରୀ ବଳଙ୍କ ବିଭିନ୍ନ ଜଗନ୍ନାଥଙ୍କ ଭଜନ ବାଜିବା  ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ସ୍ଲୋ ସାଉଣ୍ଡରେ ଏହି ଭଜନ ଅହୋରାତ୍ର ଶୁଣିବାକୁ ମିଳିବ । ଏସ୍‌ସିବି ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।  ଭଜନ ବାଜିବା ଦ୍ୱାରା ଏହା ଆଇସିୟୁ ଭିତରେ ଏକ ଆଧ୍ୟାତ୍ମିକ ପରିବେଶ  ସୃଷ୍ଟି କରିବା ସହିତ ଏହାର ପ୍ରଭାବ ରୋଗୀ ଓ କର୍ମଚାରୀଙ୍କ ଉପରେ ପଡିବ  ବୋଲି କୁହାଯାଇଛି । ଅନେକ ରୋଗୀଙ୍କୁ ମ୍ୟୁଜିକ୍‌ ଥେରାପୀ ମଧ୍ୟ କାମ  କରିଥାଏ । ତେଣୁ ସମସ୍ତ ଦିଗକୁ ଆଖି ଆଗରେ ରଖି ପ୍ରଶାସନ ଏଭଳି ନିଷ୍ପତ୍ତି  ନେଇଛି । ଟେଣ୍ଡର ଜରିଆରେ ଘରୋଇ ସଂସ୍ଥାକୁ ଏହି ଦାୟିତ୍ୱ ଦିଆଯିବ ।

ସୂଚନା ଅନୁଯାୟୀ, ଏସ୍‌ସିବିରେ ମୋଟ ୨୧୩ଟି ଆଇସିୟୁ ବେଡ୍‌ ଅଛି । ସବୁଠି  ଏହି ସୁବିଧା କରାଯିବ । ଆଇସିୟୁ ବାଦ୍‌ ମେଡିକାଲ୍‌ ପରିସରରେ ମଧ୍ୟ ସଚେତନତା  ପାଇଁ ଏକ ସାଉଣ୍ଡ ସିଷ୍ଟମକୁ କାର୍ଯ୍ୟକାରୀ କରାଯିବ । ମେଡିକାଲ୍‌ ପରିସରକୁ  ସଫାସୁତୁରା ରଖିବା, ଏଣେ ତେଣେ ଛେପ ନପକାଇବା, ପାନ, ଗୁଟକା ସହିତ  କୌଣସି ପ୍ରକାର ମାଦକଦ୍ରବ୍ୟ ପ୍ରବେଶ ଉପରେ କଟକଣା ସମ୍ପର୍କିତ ପ୍ରଚାର ଏହି  ସାଉଣ୍ଡ ସିଷ୍ଟମ ମାଧ୍ୟମରେ କରାଯିବ । ମେଡିକାଲ୍‌ର କାଜୁଆଲଟି, ବିଭିନ୍ନ ଓପିଡି  ସହିତ ମେଡିସିନ୍‌, ସର୍ଜରୀ, ଗାଇନିକ୍‌ ଆଦି ରୋଗୀ ବହୁଳ ବିଭାଗ ନିକଟରେ ଏହାକୁ  କାର୍ଯ୍ୟକାରୀ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ମେଡିକାଲ୍‌ରେ ମୋବାଇଲ୍‌ ନେଟ୍‌ୱର୍କ  ସମସ୍ୟା ରହୁଥିବାରୁ କେତେକ କମ୍ପାନୀର ଟାୱାର ବସାଇବା ପାଇଁ ବ୍ୟବସ୍ଥା କରାଯିବ  ବୋଲି ଏସ୍‌ସିବି ପ୍ରଶାସନିକ ଅଧିକାରୀ ଇଂ ଅବିନାଶ ରାଉତ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.