୨୬ରୁ ଏକାମ୍ର ପ୍ରକଳ୍ପ ଶିଳାନ୍ୟାସ ଉତ୍ସବ: ଝଲସିବ ପୁରୁଣା ଭୁବନେଶ୍ୱର, ପୂଜାନୀତିରେ ସାମିଲ ହେବେ ୨୫ ବ୍ରାହ୍ମଣ

ଭୁବନେଶ୍ୱର,୧୮/୦୬: ଆସନ୍ତା ୨୮ ତାରିଖ ପବିତ୍ର ବାହୁଡା ତିଥି ଅବସରରେ ଏକାମ୍ର ପ୍ରକଳ୍ପ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହେବ । ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଆସନ୍ତା ୨୬ ରୁ ୨୮ ତାରିଖ ପର୍ଯ୍ୟନ୍ତ ଏକାମ୍ରରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯିବ । ପ୍ରଥମ ସନ୍ଧ୍ୟାରେ ଯଜ୍ଞ ନିମନ୍ତେ ଅଙ୍କୁରାରୋପଣ । ଏହା ପର ଦିନ କଳସ ଯାତ୍ରା ଓ ଦେବଦେବୀ ଆବାହନ ଏବଂ ଶେଷରେ ବାହୁଡା ଦିନ ଭୂମିପୂଜନ ସହିତ ଯଜ୍ଞ ପୂର୍ଣ୍ଣାହୂତିୀ କରାଯିବ । ଏହି ସମଗ୍ର କାର୍ଯ୍ୟକୁ ତତ୍ତ୍ୱାବଧାନ କରିବା ପାଇଁ ଏକ ପରିଚାଳନା କମିଟି ବିଡିଏ ଉପାଧ୍ୟକ୍ଷଙ୍କୁ ନେଇ ଗଠନ କରାଯାଇଛି । ଏଥିରେ ବିଏମସି କମିଶନର, ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ,ଡିସିପି ଏବଂ ଜଣେ ଓବିସିସି ଅଧିକାରୀଙ୍କୁ ସାମିଲ କରାଯାଇଛି।

ଉତ୍ସବ ପାଳନ ନିମନ୍ତେ ପୂରା ଏକାମ୍ରକ୍ଷେତ୍ର ଆଲୋକରେ ଝଲସିବ । ପ୍ରତ୍ୟେକ ଦିନ ଜାତୀୟ ଓ ରାଜ୍ୟ ସ୍ତରର କଳାକାରମାନେ ଭଜନ ଜଣାଣ ପରିବେଷଣ କରିବେ । ଏହି ଉତ୍ସବରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବ ବୋଲି ମଧ୍ୟ ସରକାରୀ ସ୍ତରରେ ଆକଳନ କରାଯାଇଛି । ତେଣୁ ପାର୍କିଂଠୁ ନେଇ ଟ୍ରାଫିକ ପରିଚାଳନା ଦିଗରେ ଆବଶ୍ୟକ ବିହିତ ପଦକ୍ଷେପ ନିଆଯିବ । ମୁଖ୍ୟମନ୍ତ୍ରୀଙ୍କ ଏହି ଡ୍ରିମ ପ୍ରୋଜେକ୍ଟର ଆଦ୍ୟ ଉତ୍ସବକୁ ସଫଳ କରିବା ଲାଗି ପ୍ରଶାସନ ଏବେ ଦିନରାତି ଏକ କରି ଦେଇଛି । ଏ ନେଇ ଶନିବାର ବିଡିଏ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକର ଆୟୋଜନ କରାଯାଇ ଏବାବଦରେ ଆବଶ୍ୟକ ନିଷ୍ପତ୍ତି ନିଆଯାଇଛି । ବୈଠକରେ ଯଜ୍ଞସ୍ଥଳୀ ଚିହ୍ନଟ, ଭଜନମଣ୍ଡପ ସ୍ଥାନ ଓ ଅନ୍ୟାନ୍ୟ ସମସ୍ତ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ଏଥିରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା,ବିଧାୟକ ଅନନ୍ତ ନାରାୟଣ ଜେନା,ସୁଶାନ୍ତ କୁମାର ରାଉତ ଓ ମେୟର ସୁଲୋଚନା ଦାସ ଉପସ୍ଥିତ ରହି ଶ୍ରୀଲିଙ୍ଗରାଜଙ୍କ ସବୁ ନିଯୋଗର ସେବାୟତ ପ୍ରତିନିଧିଙ୍କୁ ନିଷ୍ଠାର ସହ ସହଯୋଗ କରିବାକୁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ,ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ,ଡିସିପି ପ୍ରତୀକ ସିଂ,ବିଡିଏ ଉପାଧ୍ୟକ୍ଷ ବଲବନ୍ତ ସିଂ,ଓବିସିସି ପରିଚାଳନା ନିର୍ଦ୍ଦେଶକ ଜେ କେ ଦାସ,ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ମହାପାତ୍ର,ଶ୍ରୀଲିଙ୍ଗରାଜ ମନ୍ଦିର ସେବାୟତ ପ୍ରତିନିଧିମଣ୍ଡଳୀ ଓ ଟ୍ରଷ୍ଟବୋର୍ଡ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

 

Comments are closed.