୬ ଘଣ୍ଟା ସର୍ଭର ଡାଉନ୍‌ ପରେ ସ୍ବାଭାବିକ ହେଲା ଫେସ୍‌ବୁକ୍‌, ୱାଟ୍ସ୍‌ ଆପ୍‌ ଓ ଇନ୍‌ଷ୍ଟା

ରାତି ୯ରୁ ଭୋର ୪ଟା ଯାଏ ଅଚଳ ରହିଲେ ଏହି ୩ ସାମାଜିକ ଗଣମାଧ୍ୟମ

0

ନୂଆଦିଲ୍ଲୀ, ୫।୧୦: ଗତକାଲି ରାତିରେ ଦୀର୍ଘ ୬ ଘଣ୍ଟା ଧରି ଅଚଳ ହୋଇଯାଇଥିବା ଫେସବୁକ, ହ୍ୱାଟସଆପ ଓ ଇନଷ୍ଟାଗ୍ରାମ ଏବେ ଧୀରେଧୀରେ ସ୍ୱାଭାବିକ ହେବାରେ ଲାଗିଛି। ସୋମବାର ରାତି ପ୍ରାୟ ୯ଟା ୧୫ ମିନିଟ୍‌ ବେଳେ ହଠାତ୍‌ ଏହି ୩ ସାମାଜିକ ଗଣମାଧ୍ୟମ ସଂସ୍ଥାର ସର୍ଭର ସାରା ବିଶ୍ୱରେ ଡାଉନ ହୋଇଯାଇଥିଲା। ଫେସବୁକ ମାଲିକାନାରେ ଥିବା ଏହି ୩ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ଲୋକମାନେ ମେସେଜ ଓ ଫଟୋ ପୋଷ୍ଟ କରିବାରେ ସାଂଘାତିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏ ସମ୍ପର୍କରେ ଅନେକ ଲୋକ ଟ୍ୱିଟର୍‌ରେ ଜଣାଇବା ପରେ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଥିଲା। ଭାରତ ସମେତ ବିଶ୍ୱର କୋଟିକୋଟି ଲୋକ ଟ୍ୱିଟର୍‌ରେ ନିଜର ପ୍ରତିକ୍ରିୟା ରଖିବା ଆରମ୍ଭ କରିଥିଲେ। ଫେସବୁକ ପକ୍ଷରୁ ମଧ୍ୟ ଟ୍ୱିଟର୍‌ରେ ସର୍ଭର ଡାଉନ ଥିବା ସମସ୍ତଙ୍କୁ ଅବଗତ କରାଯାଇଥିଲା। ଏଥିସହ ସମସ୍ୟା ସାମାଧନ ଦିଗରେ ଇଞ୍ଜିନିୟରମାନେ ଲାଗି ପଡ଼ିଥିବା କହିଥିଲା।

ତେବେ ଦୀର୍ଘ ୬ ଘଣ୍ଟା ପରେ ସ୍ଥିତି ଧୀରେଧୀରେ ସ୍ୱାଭାବିକ ହେବା ଆରମ୍ଭ ହୋଇଛି। ଏ ସମ୍ପର୍କରେ କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ସର୍ଭର ଡାଉନ ପାଇଁ ଲୋକମାନେ ଭୋଗିଥିବା ସମସ୍ୟା ପାଇଁ ଫେସବୁକ, ଇନଷ୍ଟାଗ୍ରାମ ଓ ହ୍ୱାଟସଆପ୍‌ କ୍ଷମା ମଧ୍ୟ ମାଗିଛନ୍ତି। ଭୋର ପ୍ରାୟ ୪.୪୭ରେ ହ୍ୱାଟସଆପ୍‌ ପକ୍ଷରୁ ଟ୍ୱିଟ କରି ସର୍ଭର ଧୀରେଧୀରେ ସ୍ୱାଭାବିକ ହେଉଥିବା ସୂଚନା ଦିଆଯାଇଛି। ହ୍ୱାଟସଆପ କହିଛି, ଯେଉଁମାନେ ସର୍ଭର ଡାଉନ ଯୋଗୁ ହ୍ୱାଟସଆପ ବ୍ୟବହାର କରିପାରି ନଥିଲେ ସେମାନଙ୍କୁ ଆମେ କ୍ଷମା ମାଗୁଛୁ। ଆମେ ଧୀରେଧୀରେ ଓ ସତର୍କତାର ସହ ହ୍ୱାଟସଆପ୍‌କୁ ଠିକ୍‌ କରିବାକୁ ଚେଷ୍ଟା କରୁଛୁ। ଏହା ଧୀରେଧୀରେ କାର୍ଯ୍ୟକ୍ଷମ ମଧ୍ୟ ହେଲାଣି। ଆପଣମାନଙ୍କ ଧୈର୍ଯ୍ୟ ପାଇଁ ଧନ୍ୟବାଦ। ଆମେ ଆପଣମାନଙ୍କୁ ଅଧିକ ସୂଚନା ମିଳିବା କ୍ଷଣି ତୁରନ୍ତ ଜଣାଇବୁ ବୋଲି ଏହି ସଂସ୍ଥା କହିଛି।

ଇନଷ୍ଟାଗ୍ରାମ ମଧ୍ୟ ଭୋର ୪.୨୮ରେ ଟ୍ୱିଟ କରି ଏହି ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଧୀରେଧୀରେ ପୂର୍ବାବସ୍ଥାକୁ ଫେରୁଥିବା ସୂଚନା ଦେଇଛି। ସର୍ଭର ଡାଉନ ପାଇଁ ଇନଷ୍ଟାଗ୍ରାମ ମଧ୍ୟ ଦୁଃଖ ପ୍ରକାଶ କରିଛି। ଅଚଳ ଅବସ୍ଥା ଯୋଗୁ ଫେସବୁକର ସେୟାର ହଠାତ୍‌ ୪.୯% ହ୍ରାସ ପାଇଥିଲା। ସାଇବର ବିଶେଷଜ୍ଞମାନେ କହିଛନ୍ତି, କମ୍ପାନିର ତ୍ରୁଟି ଯୋଗୁ ଏପରି ଘଟଣା ଘଟିଛି। କମ୍ପାନି ମଧ୍ୟରେ ଥିବା କୌଣସି ଲୋକଙ୍କ ଅବହେଳା ହିଁ ଏଥିପାଇଁ ଦାୟୀ। ଏହାକୁ କମ୍ପାନି ଯାଞ୍ଚ କରି ଭବିଷ୍ୟତରେ ଯେମିତି ପୁଣି ଏମିତି ଘଟଣା ନ ଘଟିବ, ତା’କୁ ନିଶ୍ଚିତ କରିବା ଦରକାର।

Leave A Reply

Your email address will not be published.