୨୦୨୩-୨୪ ବାର୍ଷିକ ବଜେଟ୍ : ଡିସେମ୍ବର ୧୫ ସୁଦ୍ଧା ପ୍ରସ୍ତାବ ମାଗିଲା ଅର୍ଥ ବିଭାଗ

0

ଭୁବନେଶ୍ୱର, ୨୫।୧୦: ୨୦୨୨-୨୩ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ପାଇଁ ବିଭାଗଗୁଡ଼ିକ ପ୍ରସ୍ତୁତି କରୁଥିବା ବେଳେ ଡିସେମ୍ବର ୧୫ ତାରିଖ ସୁଦ୍ଧା ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ଚୂଡ଼ାନ୍ତ ପ୍ରସ୍ତାବ ପଠାଇବାକୁ ଅର୍ଥ ବିଭାଗ କହିଛି। ଏହାସହିତ ୨୦୨୨-୨୩ ଆର୍ଥିକ ବର୍ଷର ସଂଶୋଧିତ ବ୍ୟୟବରାଦ ତୁଳନାରେ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ପରିମାଣ ସର୍ବାଧିକ ୧୨ ପ୍ରତିଶତ ଅଧିକ ହେବ ଓ ବାର୍ଷିକ ବଜେଟ୍ ଆସନ୍ତା ୨୦୨୩ ଫେବୃୟାରୀ ତୃତୀୟ ସପ୍ତାହରେ ବିଧାନସଭାରେ ଉପସ୍ଥାପନ କରାଯିବ ବୋଲି ଅର୍ଥ ବିଭାଗ ପକ୍ଷରୁ ଗତ ସପ୍ତାହରେ ସମସ୍ତ ବିଭାଗ ଚିଠି ପଠାଇ ଅବଗତ କରିଛି।

ଅର୍ଥ ବିଭାଗର ଚିଠି ସୂଚନା ଅନୁସାରେ,  ୨୦୨୨-୨୩ ଆର୍ଥିକ ବର୍ଷ ଭଳି ୨୦୨୩-୨୪ରେ ମଧ୍ୟ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି ହାର ୮ ପ୍ରତିଶତ ରହିବ । ତେବେ ଲୁହାପଥର ଦର ହ୍ରାସ ଯୋଗୁ ୨୦୨୨-୨୩ ଆର୍ଥିକ ବର୍ଷରେ ରାଜସ୍ୱ ହ୍ରାସ ହେବାର ଆଶଙ୍କା ଓ କେନ୍ଦ୍ର ସରକାରଙ୍କଠୁ ମିଳୁଥିବା ସହାୟତା ପରିମାଣ ହ୍ରାସ ମଧ୍ୟରେ ରାଜ୍ୟ ସରକାର ନିଜର ବଜେଟ୍ ପ୍ରସ୍ତୁତ କରିବେ, ଯାହାକି ୨୦୨୨-୨୩ ଆର୍ଥିକ ବର୍ଷର ସଂଶୋଧିତ ବଜେଟ୍ ତୁଳନାରେ ପ୍ରାୟ ୧୨ ପ୍ରତିଶତ ଅଧିକ ରହିବ।

ରାଜ୍ୟ ସରକାର ଆଗାମୀ ୫ବର୍ଷିଆ ପ୍ରାଥମିକତାକୁ ଚୂଡ଼ାନ୍ତ କରି ସମସ୍ତଙ୍କୁ ଗୁଣାତ୍ମକମାନର ସାର୍ବଜନୀନ ଶିକ୍ଷା, ସ୍ୱାସ୍ଥ୍ୟ ସେବା ଓ ଜୀବନଜୀବିକା ଦେବାକୁ ମଧ୍ୟବର୍ତ୍ତୀ ରଣନୀତି ପ୍ରସ୍ତୁତ କରିଛନ୍ତି । ସେଥିପାଇଁ ସରକାର ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଜଳସେଚନ, ଗ୍ରାମ୍ୟ ସଂଯୋଗୀକରଣ, ପରିଚ୍ଛନ୍ନତା ଓ ସହାରାଂଚଳ ଭିତ୍ତିଭୂମି ସୁବିଧା ଆଦି କ୍ଷେତ୍ରରେ ଅଧିକ ପରିମାଣର ପୁଞ୍ଜି ବିନିଯୋଗ କରୁଛନ୍ତି । ଏହାସହିତ ମହିଳାଙ୍କ ସଶକ୍ତିକରଣ ଓ ସେମାନଙ୍କୁ ବିଭିନ୍ନ ଆର୍ଥିକ କ୍ଷେତ୍ରରେ ନିୟୋଜିତ କରିବା ଉପରେ ମଧ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ସମାଜର ବିଭିନ୍ନ ପଛୁଆ, ନିଷ୍ପେଷିତ ବର୍ଗଙ୍କ କଲ୍ୟାଣ ଉପରେ ସରକାର ପ୍ରାଥମିକତା ଦେଉଥିବାରୁ ବଜେଟରେ ଏହାର ଝଲକ ଦେଖିବାକୁ ମିଳିିବ । ସେଥିପାଇଁ ଅର୍ଥ ବିଭାଗ ସରକାରଙ୍କ ଆଗାମୀ ୫ବର୍ଷିଆ ରଣନୀତି ସମ୍ପର୍କରେ ଅବଗତ କରିଛି, ଯାହାଫଳରେ ବିଭାଗଗୁଡ଼ିକ ଅନୁରୂପ ଭାବେ ନିଜର ବଜେଟ୍ ପ୍ରସ୍ତୁତ କରିବେ ।  ୨୦୨୨-୨୩ ସଂଶୋଧିତ ବ୍ୟୟବରାଦ ଓ ୨୦୨୩-୨୪ ବାର୍ଷିକ ବଜେଟରେ ବିତ୍ତୀୟ ନିଅଣ୍ଟ ପରିମାଣକୁ ସର୍ବାଧିକ ୩ ପ୍ରତିଶତ ମଧ୍ୟରେ ସୀମିତ ରହିବ ବୋଲି ଅର୍ଥ ବିଭାଗ କହିଛି ।

୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବିଭାଗଗୁଡ଼ିକୁ ଡିସେମ୍ବର ୧୫ତାରିଖ ସୁଦ୍ଧା ପ୍ରସ୍ତାବ ପଠାଇବାକୁ ଓ ଡିସେମ୍ବର ୧୬ରୁ ୩୧ତାରିଖ ପର୍ଯ୍ୟନ୍ତ ଅର୍ଥ ବିଭାଗ ଓ ଯୋଜନା-ସଂଯୋଜନ ବିଭାଗରେ ବଜେଟ୍ ପୂର୍ବର ସମନ୍ୱୟ ବୈଠକ, ଫେବୃୟାରୀ ୬ରେ ସଚିବମାନଙ୍କ ବୈଠକରେ ବଜେଟ୍ ରୂପରେଖ ଚୂଡ଼ାନ୍ତ ଓ ଫେବୃୟାରିରେ ୭ରୁ ୧୦ ତାରିଖ ମଧ୍ୟରେ ରାଜ୍ୟ ମନ୍ତ୍ରିପରିଷଦ ଦ୍ୱାରା ଚିଠା ବଜେଟକୁ ଅନୁମୋଦନ ହେବ ବୋଲି ଜଣାପଡ଼ିଛି ।

 

Leave A Reply

Your email address will not be published.