ରାଷ୍ଟ୍ରପତିଙ୍କ ସମ୍ମାନରେ ଭୁବନେଶ୍ବରରେ ୧୦ ତାରିଖ ଅଧା ଦିନ ସରକାରୀ ଛୁଟି

0

ଭୁବନେଶ୍ବର, ୯।୧୧: ରାଷ୍ଟ୍ରପତି ହେବା ପରେ ଆସନ୍ତାକାଲି ପ୍ରଥମ ଥର ପାଇଁ ନିଜ ଗୃହ ରାଜ୍ୟକୁ ଆସୁଥିବା ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ମାନରେ ରାଜ୍ୟ ସରକାର ସମଗ୍ର ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଅଧା ଦିନ ସରକାରୀ ଛୁଟି ଘୋଷଣା କରିଛନ୍ତି। ଏହି ଛୁଟି ୧୦ ତାରିଖ ଅପରାହ୍ନ ୧ଟାରୁ  ହେବ। ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଥିବା ସମସ୍ତ ସରକାରୀ ଅଫିସ, ସରକାରୀ ଓ ବେସରକାରୀ(ସ୍କୁଲ, କଲେଜ) ଶିକ୍ଷାନୁଷ୍ଠାନ ବନ୍ଦ ରହିବ।

ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ଗୃହ ରାଜ୍ୟକୁ ପ୍ରଥମ ଗସ୍ତ ସମ୍ମାନାର୍ଥେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଆଜି ଏହି ଛୁଟି ନେଇ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆସନ୍ତାକାଲି ପ୍ରାୟ ଦିନ ୧୨ଟା ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ । ବିମାନ ବନ୍ଦରରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସ୍ୱାଗତ କରିବେ । ଏହାପରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ପୁରୀ ଗସ୍ତରେ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ । ଦର୍ଶନ ଶେଷ ହେବା ପରେ ପୁରୀ ରାଜଭବନକୁ ଯାଇ ସେଠାରେ ମହାପ୍ରସାଦ ସେବନ କରିବେ।

ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ମହାପ୍ରଭୁଙ୍କ ନୀତିକାନ୍ତି ଠିକ୍ ସମୟରେ ଶେଷ କରିବାକୁ ଆଜି ସେବାୟତମାନଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳ ଆଲୋଚନା କରିଛନ୍ତି । ଏହାସହିତ ଆସନ୍ତାକାଲି ସକାଳ ସାଢ଼େ ୧୦ଟାରୁ ରାଷ୍ଟ୍ରପତିଙ୍କ ଗସ୍ତ ଶେଷ ହେବା ପର୍ଯ୍ୟନ୍ତ ଶ୍ରୀମନ୍ଦିର ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ବନ୍ଦ ରହିବ । ଏଥିପାଇଁ ପୁରୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କେନ୍ଦ୍ରାଂଚଳ ଆଇଜି ନରସିଂହ ଭୋଳ ନିଜେ ପୁରୀରେ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି । ବ୍ଲୁ ବୁକ୍ ଅନୁସାରେ ରାଷ୍ଟ୍ରପତିଙ୍କ ସୁରକ୍ଷା ବନ୍ଦୋବସ୍ତ ରାଜ୍ୟ ପୁଲିସ ପକ୍ଷରୁ ହୋଇଛି।

ରାଷ୍ଟ୍ରପତି ଅପରାହ୍ନରେ ଭୁବନେଶ୍ୱର ଫେରିବା ପରେ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ରାଜଭବନରେ ତାଙ୍କ ସମ୍ମାନାଥେ ସନ୍ଧ୍ୟାରେ ନାଗରିକ ସମ୍ବର୍ଦ୍ଧନାର ବ୍ୟବସ୍ଥା ହୋଇଛି । ଶ୍ରୀମତୀ ମୁର୍ମୁ ରାଜଭବନରେ ରାତ୍ରିଯାପନ କରିବେ । ତା’ପରଦିନ ସକାଳେ ଅର୍ଥାତ ୧୧ ତାରିଖରେ ଖଣ୍ଡଗିରିସ୍ତିତ ତପୋବନ ହାଇସ୍କୁଲ, ୟୁନିଟ୍ ୨ ସରକାରୀ ବାଳିକା ହାଇସ୍କୁଲ ଓ କୁନ୍ତଳା କୁମାରୀ ସାବତ ଆଦିବାସୀ ହଷ୍ଟେଲ ପରିଦର୍ଶନରେ ଯିବେ । ଜୟଦେବ ଭବନରେ ଓଡ଼ିଆ ଟେଷ୍ଟବୁକ୍ ଇ-କୁମ୍ଭର ଉନ୍ମୋଚନ କାର୍ଯ୍ୟକ୍ରମରେ ସାମିଲ ହୋଇ ଅପରାହ୍ନରେ ନୂଆଦିଲ୍ଲୀ ଫେରିଯିବେ ବୋଲି ଜଣାପଡ଼ିଛି।

ରାଷ୍ଟ୍ରପତିଙ୍କ ସୁରକ୍ଷା ନିମନ୍ତେ ଭୁବନେଶ୍ୱରରେ ୩୪ ପ୍ଲାଟୁନ୍ ପୁଲିସ ଫୋର୍ସ ସହ ୨୦୦ ପୁଲିସ ଏସଆଇ ଓ ଏଏସଆଇ, ୬୨ଜଣ ଏସିପି, ୨୨ଜଣ ଅତିରିକ୍ତ ଡିସିପି ଓ ୪ଜଣ ଡିସିପି ର‌୍ୟାଙ୍କ ଅଫିସର ନିୟୋଜିତ ହୋଇଛନ୍ତି। ସୂଚନାଯୋଗ୍ୟ, ଶ୍ରୀମତୀ ମୁର୍ମୁ ୨୦୨୨ ଜୁଲାଇ ୨୫ତାରିଖରେ ଦେଶର ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

 

Leave A Reply

Your email address will not be published.