ଓମିକ୍ରନ ଆକ୍ରାନ୍ତଙ୍କୁ ହୋମ୍‌ ଆଇସୋଲେସନ୍‌ ମନା

ଭୁବନେଶ୍ବର, ୧୬।୧୨: କୋଭିଡ-୧୯ର ନୂଆ ଭାରିଏଣ୍ଟ ଓମିକ୍ରନ ଏବେ ୫ଗୁଣା ଅଧିକ ସଂକ୍ରମଣ କରୁଛି। ଏଥିପାଇଁ ସଂକ୍ରମିତ ବ୍ୟକ୍ତିଙ୍କ ନିମନ୍ତେ ଓଡ଼ିଶାରେ ହସ୍ପିଟାଲଗୁଡ଼ିକରେ ସ୍ୱତନ୍ତ୍ର ୱାର୍ଡ ବ୍ୟବସ୍ଥା କରାଯାଇଛି। ଓମିକ୍ରନ ସଂକ୍ରମିତଙ୍କ ମାମଲାରେ ହୋମ୍ ଆଇସୋଲେସନକୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି ବୋଲି ରାଜ୍ୟ ସରକାର କହିଛନ୍ତି।

ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଓମିକ୍ରନ ସଂକ୍ରମିତ ମାମଲାରେ ହୋମ୍ ଆଇସୋଲେସନ ପାଇଁ ମନା କରାଯାଇଛି। ଯେଉଁମାନେ ଓମିକ୍ରନ ସଂକ୍ରମିତ ହୋଇଥିବେ ସେମାନଙ୍କୁ ହସ୍ପିଟାଲର ସ୍ୱତନ୍ତ୍ର ୱାର୍ଡରେ ରଖିବାର ବ୍ୟବସ୍ଥା ହୋଇଛି। ଯାହା ଫଳରେ ସେମାନେ ଯେପରି ଅନ୍ୟ ରୋଗୀଙ୍କ ସଂସ୍ପର୍ଶରେ ନଆସିବେ ତାହା ସୁନିଶ୍ଚିତ କରିବାକୁ କୁହାଯାଇଛି। ବିଦେଶରୁ ଆସୁଥିବା ଲୋକଙ୍କ ଉପରେ ସ୍ୱାସ୍ଥ୍ୟ ବିଭାଗ କଡ଼ା ନଜର ରଖିଛି। ପଡ଼ୋଶୀ ଆନ୍ଧ୍ରପ୍ରଦେଶର ବିଜୟନଗର ଜିଲ୍ଲାରେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟ ସରକାର ସୀମାବର୍ତ୍ତୀ ଜିଲ୍ଲାରେ ଅଧିକ ସତର୍କତା ଅବଲମ୍ବନ କରିଛନ୍ତି । ଏସବୁ ଜିଲ୍ଲାଗୁଡ଼ିକରେ ଟେଷ୍ଟିଂ ଓ ଟିକାକରଣ କାର୍ଯ୍ୟକୁ ସରକାର ତ୍ୱରାନ୍ୱିତ କରୁଛନ୍ତି ବୋଲି ସେ କହିଛନ୍ତି। କେତେ ରୋଗୀ ହସ୍ପିଟାଲରେ ଭର୍ତ୍ତି ହେବେ ଓ ଏହା କେତେ ଗୁରୁତର ହେବ ତାହା ଜଣାପଡ଼ିନି। ଟିକା ଉପରେ ଏହାର ପ୍ରଭାବ କ’ଣ ରହିବ ତାହା ବି ଏବେ ବିଚାରଧୀନ ରହିଛି। ଏବେ ଅଧିକ ରୋଗୀ ନଥିବାରୁ କୋଭିଡ୍ ହସ୍ପିଟାଲଗୁଡ଼ିକୁ ଷ୍ଟାଣ୍ଡବାଇ ମୋଡରେ ରଖାଯାଇଛି ।

ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ, ବିଦେଶରୁ ଆସୁଥିବା ବ୍ୟକ୍ତି ଓ କିମ୍ବା ଏଭଳି କୌଣସି ସନ୍ଦିଗ୍ଧ ମାମଲା ଥିଲେ ତୁରନ୍ତ ସୂଚନା ଦେବାକୁ ଗାଁ ମୁଖିଆ ଓ ସ୍ଥାନୀୟ ଲୋକପ୍ରତିନିଧିଙ୍କୁ ପରାମର୍ଶ ଦିଆଯାଇଛି । ଯେଉଁ ନାଗରିକମାନେ ଏୟାର ସୁବିଧା ପୋର୍ଟାଲ ମାଧ୍ୟମରେ ପଞ୍ଜିକୃତ ହେଉଛନ୍ତି ସେମାନଙ୍କ ଉପରେ ମଧ୍ୟ ସରକାର ନଜର ରଖିଛନ୍ତି ।

ବିଦେଶରୁ ଆସୁଥିବା ବ୍ୟକ୍ତିଙ୍କ ସମେତ କୋଭିଡ୍ ସଂକ୍ରମିତ ହେଉଥିବା ବ୍ୟକ୍ତିମାନଙ୍କ ନମୂନାର ଜିନୋମ ସିକ୍ୱିଏନ୍ସି ପାଇଁ ଭୁବନେଶ୍ୱରସ୍ଥିତ ଲାଇଫ ସାଇନ୍ସ ଇନଷ୍ଟିଚ୍ୟୁଟକୁ ପଠାଯାଉଛି । ଓମିକ୍ରନ ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ଦେହରେ ଥଣ୍ଡା, ଜ୍ୱର,କାଶ ଅବା ଗଳାରେ ସମସ୍ୟାର ଲକ୍ଷଣ ଦେଖିବାକୁ ମିଳୁନି । ଅଧିକାଂଶ ମାମଲାରେ ଗୁରୁତର ମୁଣ୍ଡବ୍ୟଥା, ଶରୀର ବ୍ୟଥା, ସାମାନ୍ୟ ଜ୍ୱର ଭଳି ଲକ୍ଷଣ ଦେଖାଯାଉଥିବା ବିଶେଷଜ୍ଞଙ୍କ ପକ୍ଷରୁ କୁହାଯାଇଛି ।

Comments are closed.