ଆୟକର ଚଢ଼ଉ: ଓଡ଼ିଶାରେ ଟଙ୍କାର ପାହାଡ଼, ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ସଭାପତି

0

ଭୁବନେଶ୍ବର, ୯/୧୨: ଆୟକର ବିଭାଗ ଦ୍ବାରା ଚଢ଼ଉ କରାଯାଇ ରାଜ୍ୟର ବିଭିନ୍ନ ସ୍ଥାନରେ କୋଟିକୋଟି ଟଙ୍କା ଜବତ କରାଯିବା ଘଟଣାକୁ ନେଇ ବିଜେପି ସଭାପତି ମନମୋହନ ସାମଲ କ୍ଷୋଭ ପ୍ରକାଶ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଶନିବାର ଅପରାହ୍‌ଣରେ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଆୟକର ଚଢ଼ଉ ବେଳେ ଅଧିକାରୀମାନଙ୍କୁ ଗଦାଗଦା ଟଙ୍କା ମିଳିଛି ବୋଲି କହିଛନ୍ତି।

ଶ୍ରୀ ସାମଲ କହିଛନ୍ତି ଯେ, ଓଡ଼ିଶା ପାଇଁ ଏ‌ହା ଲଜ୍ଜାକର ଓ ଦୁର୍ଭାଗ୍ୟଜନକ ଘଟଣା। ଏହା ହେଉଛି ସାରା ଦେଶରେ ଥରକେ ଏତେ କଳା ଟଙ୍କା ଜବତ ପ୍ରଥମ ଘଟଣା। ଆୟକର ଚଢ଼ଉରେ କୋଟିକୋଟି ଟଙ୍କା ଜବତ ଘଟଣାକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଡ଼ାଗଣ୍ଡା କରି ଆଦାୟ ହେବ ବୋଲି କହିସାରିଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବାବଦରେ ଆଦୌ ମୁହଁ ଖୋଲୁନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ ସାହାସ ଥିଲେ ସିବିଆଇ ତଦନ୍ତ ପାଇଁ ଲେଖନ୍ତୁ।

ସୂଚନାଯୋଗ୍ୟ, ବିଗତ ୩ ଦିନ ହେଲା ଆୟକର ବିଭାଗର ଅଧିକାରୀମାନେ ବଲାଙ୍ଗୀର, ବୌଦ୍ଧ ଓ ସୁନ୍ଦରଗଡ଼ ସମେତ ଅନ୍ୟସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି। ଏହି ଚଢଉ ସମୟରେ କୋଟି କୋଟି ଟଙ୍କା ଜବତ ହୋଇସାରିଛି। ମେସିନ ସହାୟତାରେ ଟଙ୍କା ଗଣା ଜାରି ରହିଛି। ଏହାରି ମଧ୍ୟରେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଓ ସୁନ୍ଦରଗଡ଼ର ଏସ୍‌ବିଆଇ ମୁଖ୍ୟ ଶାଖାରେ ଟଙ୍କା ଗଣତି ଶେଷ ହୋଇଛି। ଟିଟିଲାଗଡ଼ ଏସ୍‌ବିଆଇ ଗଣତିରୁ ୧୧ କୋଟି ଟଙ୍କା ମିଳିଛି। ୫ଶହ, ୨ଶହ ଓ ଶହେ ଟଙ୍କିଆ ନୋଟ୍ ମିଳିଛି। ଆସନ୍ତାକାଲି ସୁଦ୍ଧା ଟଙ୍କା ଗଣତି ଶେଷ ହେବା ନେଇ ଆଶା ରହିଛି। ଏବେ ସମ୍ବଲପୁର ଓ ବଲାଙ୍ଗୀରରେ ଟଙ୍କା ଗଣତି ଚାଲିଛି। ସମ୍ବଲପୁର ଏସ୍‌ବିଆଇ ଉପମହାପ୍ରବନ୍ଧକ ଏହି ସୂଚନା ଦେଇଛନ୍ତି।

 

Leave A Reply

Your email address will not be published.