ବୁଲେଟ୍ ଟ୍ରେନ୍ ପାଇଁ ଜମି ଅଧିଗ୍ରହଣ ସଂପୂର୍ଣ୍ଣ, ସୂଚନା ଦେଲେ ରେଳମନ୍ତ୍ରୀ

0

ଅହମ୍ମଦାବାଦ, ୮/୧: ଗୁଜୁରାଟ, ମହାରାଷ୍ଟ୍ର ଏବଂ ଦାଦରା ଓ ନଗର ହାଭେଲିରେ କାର୍ଯ୍ୟକାରୀ ହେଉଥିବା ବୁଲେଟ୍ ଟ୍ରେନ ପ୍ରକଳ୍ପ (ମୁମ୍ବାଇ-ଅହମ୍ମଦାବାଦ ରେଳ କରିଡର) ପାଇଁ ଜମି ଅଧିଗ୍ରହଣ ସଂପୂର୍ଣ୍ଣ କରିଛି ନ୍ୟାସନାଲ ହାଇସ୍ପିଡ୍ ରେଲ୍ କର୍ପୋରେସନ୍ ଲିମିଟେଡ୍ (ଏନ୍ଏଚ୍ଏସ୍ଆରସିଏଲ୍)। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋସିଆଲ ମିଡିଆ ସାଇଡ୍ ‘ଏକ୍ସ’ରେ ଜମି ଅଧିଗ୍ରହଣର ସ୍ଥିତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ପ୍ରକଳ୍ପ ପାଇଁ ଆବଶ୍ୟକ ଥିବା ସମ୍ପୂର୍ଣ୍ଣ ୧୩୮୯.୪୯ ହେକ୍ଟର ଜମି ଅଧିଗ୍ରହଣ କରାଯାଇଛି।

ମୁମ୍ବାଇ-ଅହମ୍ମଦାବାଦ ମଧ୍ୟରେ ହାଇସ୍ପିଡ୍ ରେଳ ଲାଇନ୍ ନିର୍ମାଣ କରାଯାଉଛି। ଏହି ପ୍ରକଳ୍ପ ପାଇଁ ସମସ୍ତ ସିଭିଲ କଣ୍ଟ୍ରାକ୍ଟ ଗୁଜରାଟ ଏବଂ ମହାରାଷ୍ଟ୍ର ପାଇଁ ଦିଆଯାଇଥିବା ବେଳେ ୨୬୮ କିଲୋମିଟର ପିଅର କାଷ୍ଟିଂ ଓ ୧୨୦ କିଲୋମିଟର ଗିରଡର ଲଞ୍ଚିଙ୍ଗ କାମ ଆରମ୍ଭ ହୋଇଛି । ଜାପାନୀ ଶିଙ୍କାନସେନରେ ବ୍ୟବହୃତ ଏମଏଏଚଏସଆର କରିଡର ଟ୍ରାକ୍ ସିଷ୍ଟମ ପାଇଁ ସୁରଟ ଏବଂ ଆନନ୍ଦରେ ପ୍ରଥମ ରିନଫୋସଡ୍ କଂକ୍ରିଟ (ଆରସି) ଟ୍ରାକ୍ ବେଡ୍ ବିଛାଇବା ଆରମ୍ଭ ହୋଇଛି। ଭାରତରେ ପ୍ରଥମ ଥର ପାଇଁ ଜେ-ସ୍ଲାବ୍ ଲେସ୍ ଟ୍ରାକ୍ ସିଷ୍ଟମ୍ ବ୍ୟବହାର କରାଯାଉଛି।

ଗୁଜୁରାଟର ଭାଲସାଡ ଜିଲ୍ଲାର ଜାରୋଲି ଗାଁ ନିକଟରେ ଅବସ୍ଥିତ ୩୫୦ ମିଟର ଲମ୍ବ ଏବଂ ୧୨.୬ ମିଟର ବ୍ୟାସ ବିଶିଷ୍ଟ ପହାଡ଼ି ଟନେଲ ମାତ୍ର ୧୦ ମାସ ମଧ୍ୟରେ ଶେଷ ହୋଇଛି ବୋଲି ଏନଏଚଏସଆରସିଏଲ କହିଛି। ସୁରଟର ୫୩ ନମ୍ବର ଜାତୀୟ ରାଜପଥରେ ୭୦ ମିଟର ଲମ୍ବ ଓ ୬୭୩ ମେଟ୍ରିକ୍ ଟନ୍ ଓଜନର ପ୍ରଥମ ଇସ୍ପାତ ସେତୁ ନିର୍ମାଣ ହୋଇଥିବା ବେଳେ ୨୮ଟି ପୋଲ ମଧ୍ୟରୁ ୧୬ଟି ନିର୍ମାଣର ବିଭିନ୍ନ ପର୍ଯ୍ୟାୟରେ ରହିଛି।

Leave A Reply

Your email address will not be published.