ଆଇନ ପେସାଦାରମାନେ ଶୀଘ୍ର ଶୁଣାଣି ଓ ତ୍ବରିତ ନ୍ୟାୟ ଦିଗରେ କାମ କରିବା ଉଚିତ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର, ୨୬।୭ : କଟକସ୍ଥିତ ଓଡିଶା ହାଇକୋର୍ଟର ୭୫ ତମ ବର୍ଷ ପୂର୍ତ୍ତି ସମାରୋହର ଉଦଯାପନୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇ କାରଗିଲ ଯୁଦ୍ଧ ସମୟରେ ନିଜ ଜୀବନକୁ ବଳିଦାନ ଦେଇଥିବା  ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ   ନିଜର ଅଭିଭାଷଣ ଆରମ୍ଭ କରିଥିଲେ।  ଏହି ଅବସରରେ ସେ କହିଥିଲେ ଯେ ଭାରତ ମା’ର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସହିଦ ଯବାନଙ୍କ ମଧ୍ୟରୁ ଅନେକ ଓଡ଼ିଶାର ଥିଲେ ।

୭୫ ବର୍ଷର ସମୃଦ୍ଧଶାଳୀ ଯାତ୍ରାରେ ଓଡ଼ିଶା ହାଇକୋର୍ଟ ଅନେକ ଉଚ୍ଚ ମାନକ ପ୍ରତିଷ୍ଠା କରିଛି ବୋଲି ରାଷ୍ଟ୍ରପତି କହିଥିଲେ । ପୁର୍ବର ଏବଂ  ବର୍ତ୍ତମାନର  ମୁଖ୍ୟ ବିଚାରପତି, ବିଚାରପତିଗଣ, ଆଇନଜୀବୀ ଓ କର୍ମଚାରୀମାନଙ୍କର ଅସାଧାରଣ ଜ୍ଞାନ ଏବଂ କାମ ପ୍ରତି ସେମାନଙ୍କ ଯୋଗଦାନ, ବିଶ୍ବସ୍ତତା, ସମର୍ପଣ କାରଣରୁ ଆଜି ଏହି ହାଇକୋର୍ଟର ସମ୍ମାନ ବୃଦ୍ଧି କରିଛି।   ସମୟ ସହ ତାଳ ଦେଇ ବଦଳି ପାରୁ ନ ଥିବା ଅନୁଷ୍ଠାନ ପଛରେ ପଡିଯାଏ। ଓଡ଼ିଶା ହାଇକୋର୍ଟ ନ୍ୟାୟ ପ୍ରଦାନ ବ୍ୟବସ୍ଥାରେ ଆଧୁନିକ ପ୍ରଯୁକ୍ତିକୁ କାର୍ଯ୍ୟକାରୀ କରିଥିବା ବିଷୟ ସେ ଉଲ୍ଲେଖ କରିଥିଲେ।

ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଥିଲେ ଯେ, ଭାରତର ଆଇନ ପେସା ନାଗରିକଙ୍କ ବିଶ୍ବାସଭାଜନ ହୋଇପାରିଛି। ଏହା ଏକ ସମ୍ମାନଜନକ କାର୍ଯ୍ୟ ଭାବେ ବିବେଚିତ ହେଉଛି। ଶୀଘ୍ର ଶୁଣାଣି ଏବଂ ତ୍ବରିତ ନ୍ୟାୟ ପ୍ରଦାନ ଲାଗି କାର୍ଯ୍ୟ କରିବାକୁ ସେ ଆଇନ ପେସାଦାରମାନଙ୍କୁ ନିବେଦନ କରିଥିଲେ। ଏପରି କିଛି ଉଦାହରଣ ରହିଛି ଯେଉଁଥିରେ ଲୋକମାନଙ୍କୁ ସେମାନଙ୍କ ଅପରାଧ ପାଇଁ ଉଦ୍ଦିଷ୍ଟ ଦଣ୍ଡ ଠାରୁ ଅଧିକ ଦିନ ପର୍ଯ୍ୟନ୍ତ ଜେଲ  ଭୋଗିବାକୁ ପଡିଥାଏ। ଏହି କାରଣରୁ ନିରୀହ ଲୋକମାନେ ସେମାନଙ୍କ ଜୀବନର ଗୁରୁତ୍ବପୂର୍ଣ୍ଣ ସମୟକୁ ହରାଇଥାନ୍ତି। ଅନ୍ୟପଟେ, ପ୍ରକୃତ ଦୋଷୀଙ୍କୁ ଆଇନ ଠାରୁ ଦଣ୍ଡ ମିଳୁ ନ ଥିବା ଦେଖି ପୀଡିତମାନେ ମଧ୍ୟ ନିରାଶ ହୋଇଥାନ୍ତି।ଏପରି ବିଳମ୍ବ ଏକ ବଡ ଚିନ୍ତାର ବିଷୟ। ଓଡ଼ିଶା ହାଇକୋର୍ଟରେ କାର୍ଯ୍ୟରତ ପେସାଦାରମାନେ ତ୍ବରିତ ନ୍ୟାୟ ପ୍ରଦାନ ଦିଗରେ କାର୍ଯ୍ୟ କରିବା ସହିତ ସାରା ଦେଶ ପାଇଁ ଏକ ଉଦାହରଣ ସୃଷ୍ଟି କରିବା ଉଚିତ ବୋଲି ଶ୍ରୀମତି ମୁର୍ମୁ କହିଥିଲେ।

Comments are closed.