ମଧୁବାବୁ ପେନସନ ଯୋଜନାର ସହାୟତା ରାଶି ୫୦୦ ଟଙ୍କା ବୃଦ୍ଧି

ହିତାଧିକାରୀ ପାଇବେ ସର୍ବନିମ୍ନ ୧୦୦୦ ଟଙ୍କା

ଭୁବନେଶ୍ବର, ୧୦/୨: କିଛିଦିନ ଧରି ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀଙ୍କୁ ଅଧିକ ସହାୟତା ଦେବାକୁ ବିରୋଧୀ ଦଳ ଦାବି କରୁଥିଲେ । ଏହା ସହ ଏହା ଉପରେ ବିଚାର କରିବାକୁ ଓଡ଼ିଶା ହାଇକୋର୍ଟ ମଧ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ । ଏସବୁ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଡ଼ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା ମୁତାବକ ଏବେ ମଧୁବାବୁ ପେନସନ ଯୋଜନାର ସହାୟତା ରାଶି ୫୦୦ ଟଙ୍କା ବୃଦ୍ଧି କରାଯାଇଛି । ଅର୍ଥାତ ମଧୁବାବୁ ପେନସନ୍ ଯୋଜନାରେ ଏବେ ହିତାଧିକାରୀ ସର୍ବନିମ୍ନ ୧ ହଜାର ଟଙ୍କା ମାସିକ ପାଇବେ। ଏହାସହ ଫେବ୍ରୁଆରି ୨୦-୨୫ ତାରିଖ ମଧ୍ୟରେ ହିତାଧିକାରୀମାନେ ବର୍ଦ୍ଧିତ ପେନସନ ପାଇବେ । ଏନେଇ ରାଜ୍ୟ ସରକାର ୩୬୮୩ କୋଟି ଟଙ୍କା ଖର୍ଚ୍ଚ କରିବେ ।

ପୂର୍ବରୁ ଏହି ଯୋଜନାରେ ହିତାଧିକାରୀମାନେ ଯଥାକ୍ରମେ ଟ ୫୦୦, ଟ ୭୦୦ ଓ ଟ ୯୦୦ ପାଉଥିଲେ। ବର୍ଦ୍ଧିତ ପେନସନ ଅନୁଯାୟୀ ସେମାନେ ଏବେ ଯଥାକ୍ରମେ ଟ ୧୦୦୦, ଟ ୧୨୦୦ ଓ ଟ ୧୪୦୦ ପାଇବେ। ଏହି ବର୍ଦ୍ଧିତ ପେନସନ ପାଇଁ ରାଜ୍ୟ ସରକାର ବାର୍ଷିକ ୩୬୮୩ କୋଟି ଟଙ୍କା ଖର୍ଚ୍ଚ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ହିତାଧିକାରୀଙ୍କ ପାଇଁ ମାସିକ ପେନସନରେ ମଧ୍ୟ ୫୦୦ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି। ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀମାନଙ୍କୁ ଫେବ୍ରୁଆରି ମାସର ପେନସନ ଫେବ୍ରୁଆରି ୨୦ ରୁ ୨୫ ତାରିଖ ମଧ୍ୟରେ ପ୍ରତ୍ୟକ୍ଷ ଭାବେ ମିଳିବ।

ନିକଟରେ ମୁଖ୍ୟମନ୍ତ୍ରୀ ମଧୁବାବୁ ପେନସନ ଯୋଜନାର ହିତାଧିକାରୀମାନଙ୍କ ସଂଖ୍ୟା ବୃଦ୍ଧି କରିଥିଲେ। ଗତ ବର୍ଷ ଅଗଷ୍ଟରେ ୪.୧୩ ଲକ୍ଷ ବୃଦ୍ଧି ପାଇଥିଲା ଏବଂ ଏବେ ଆଉ ୪ ଲକ୍ଷ ଅନ୍ତର୍ଭୁକ୍ତ ହେବା ପରେ ବର୍ତ୍ତମାନ ସମୁଦାୟ ୩୬.୭୫ ଲକ୍ଷ ହିତାଧିକାରୀ ଏହି ଯୋଜନାର ଲାଭ ପାଉଛନ୍ତି।

ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସାମାଜିକ ସୁରକ୍ଷା ପେନସନ ବ୍ୟବସ୍ଥା କରିଛନ୍ତି। ଏଥିରେ ବରିଷ୍ଠ ନାଗରିକ, ବିଧବା, ଭିନ୍ନକ୍ଷମ, ଅବିବାହିତା ମହିଳା, ସୁସ୍ଥ ହୋଇଥିବା କୁଷ୍ଠ ରୋଗୀ, ଓଡ଼ିଶା ରାଜ୍ୟ ଏଡ୍‌ସ ସେଲ ଦ୍ୱାରା ଚିହ୍ନଟକୃତ ଏଡ୍‌ସ ରୋଗୀ, ଛାଡ଼ପତ୍ର ପାଇଥିବା ମହିଳା, ସମଲିଙ୍ଗୀ, କୋଭିଡ ଦ୍ୱାରା ହୋଇଥିବା ଅନାଥ ପିଲା ଓ ବିଧବାଙ୍କ ସହିତ ଅନାନ୍ୟ ଦୁର୍ବଳ ଶ୍ରେଣୀର ବ୍ୟକ୍ତିଙ୍କୁ ସାମିଲ କରାଯାଇଛି। ଏଥି ସହିତ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ହିତାଧିକାରୀମାନଙ୍କୁ ମଧ୍ୟ ରାଜ୍ୟ ସରକାର ଅତିରିକ୍ତ ସହାୟତା ଦେଉଛନ୍ତି।

ଏହି ଯୋଜନାରେ ଛୋଟ ପିଲା ଠାରୁ ୭୯ ବର୍ଷ ପର୍ୟ୍ୟନ୍ତ ହିତାଧିକାରୀମାନେ ମାସକୁ ୫୦୦ ଟଙ୍କା ପାଇଥାନ୍ତି। ୮୦ ବର୍ଷ ବା ଅଧିକ ବୟସର ଲୋକ ମାସକୁ ୭୦୦ ଟଙ୍କା ପାଆନ୍ତି। ଭିନ୍ନକ୍ଷମ ବ୍ୟକ୍ତିଙ୍କ କ୍ଷେତ୍ରରେ ୪୦ ରୁ ୫୯ ପ୍ରତିଶତ ଅକ୍ଷମତା ଥିବା ଲୋକ ମାସକୁ ୫୦୦ ଟଙ୍କା ପାଉଥିବା ବେଳେ ୬୦ ପ୍ରତିଶତ ବା ଅଧିକ ଅକ୍ଷମତା ଥିବା ବ୍ୟକ୍ତି ୭୦୦ ଟଙ୍କା ପାଆନ୍ତି। ୬୦ ପ୍ରତିଶତରୁ ଅଧିକ ଅକ୍ଷମତା ଥିବା ୮୦ ବର୍ଷ ବୟସରୁ ଉର୍ଦ୍ଧ୍ବ ଲୋକଙ୍କୁ ମାସିକ ୯୦୦ ଟଙ୍କା ମିଳିଥାଏ। ବର୍ତ୍ତମାନ ସମସ୍ତେ ବର୍ଦ୍ଧିତ ଭତ୍ତା ପାଇବେ।

Comments are closed.