ପୂଜା ବଜାରରେ ରିଲିଜ୍ ହେଲା ସୁମା ରିୟଲ୍ ମିଡିଆର ଦ୍ୱିତୀୟ ଅବଦାନ ‘ମନ ମୋ ନେଇ ଗଲୁରେ’

0

ଭୁବନେଶ୍ୱର, ୧୬/୧୦: ଦଶହରାରେ ଓଡ଼ିଆ ସିନେପ୍ରେମୀଙ୍କୁ ଭେଟି ଦେବା ଉଦ୍ଦେଶ୍ୟରେ ମୁକ୍ତିଲାଭ କରିଛି ସୁମା ରିୟଲ୍ ମିଡିଆର ଦ୍ୱିତୀୟ ଅବଦାନ ଓଡ଼ିଆ ଚଳଚ୍ଚିତ୍ର ‘ମନ ମୋ ନେଇ ଗଲୁରେ’। ପ୍ରଫେସର ମନୋଜ ରଞ୍ଜନ ନାୟକଙ୍କ ନିବେଦିତ ଏହି ଚଳଚ୍ଚିତ୍ରଟି ରାଜ୍ୟର ବିଭିନ୍ନ ହଲ୍‌ରେ ଗୁରୁବାର ମୁକ୍ତିଲାଭ କରିଛି। କଟକ ବୃନ୍ଦାବନ ହଲ୍‌ରେ ଫିଲ୍ମର ନିର୍ମାତା ଓ ନିର୍ଦ୍ଦେଶକଙ୍କ ସହିତ ସମସ୍ତ କଳାକାରଙ୍କ ଉପସ୍ଥିତିରେ ଫିଲ୍ମର ପ୍ରିମିୟର ସୋ’ କରାଯାଇଥିଲା ।
ଚଳଚ୍ଚିତ୍ରରେ ଅନେକ ସାମାଜିକ ବାର୍ତା ରହିଛି । ତା’ସହିତ କଲେଜ ଜୀବନରେ ପିଲାମାନେ କିପରି ଚାକଚକ୍ୟ ଭିତରେ ନିଜ ଭବିଷ୍ୟତ ସହ ଖେଳନ୍ତି ତାହା ଚିତ୍ରଣ କରାଯାଇଛି। ଜଣେ ଗରିବ ଘରର ପିଲା ସହରର ଇଞ୍ଜିନିୟରିଂ କଲେଜରେ ପାଠପଢ଼ା ଭିତରେ କିଭଳି ପ୍ରେମରେ ପଡ଼ି ବାଟବଣା ହୋଇଯାଉଛି ଏବଂ ସେହି ପ୍ରେମ ହିଁ ତା’ ଜୀବନକୁ ନୂଆ ବାଟରେ କଢ଼େଇ ନେଉଛି ତାହା ଚଳଚ୍ଚିତ୍ରରେ ଚିତ୍ରିତ କରାଯାଇଛି। ଏଭଳି ଏକ ନୂତନ କାହାଣୀକୁ ନେଇ ରିଲିଜ୍ ହୋଇଛି ଏହି ଚଳଚ୍ଚିତ୍ର। ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନେତା ଜ୍ୟୋତି ଓ ଅଭିନେତ୍ରୀ ଭୂମିକା ରହିଛନ୍ତି। ଉଭୟଙ୍କ ରୋମାଂଟିକ୍ ଯୋଡ଼ି ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି।
ଅନ୍ୟ ଭୂମିକାରେ କୁନା ତ୍ରିପାଠୀ, ପୁଷ୍ପା ପଣ୍ଡା, ପ୍ରଦ୍ୟୁମ୍ନ ଲେଙ୍କା, ବିରାଜ ଦାସ, ଗୁଡୁ, ଦିଲ୍ଲୀପ ଦାସ, ବିଜୁ ବଡ଼ଜେନା, ପିନାକୀ ନାୟକ ଓ ଧରିତ୍ରୀଙ୍କ ଭଳି କଳାକାର ଅଭିନୟ କରିଛନ୍ତି। ସଂଳାପ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି ସଞ୍ଜୟ ନାୟକ। ସିନେମାର ପ୍ରଯୋଜନା କରିଛନ୍ତି ସୁନୀଲ୍ ଦାସ। ଫିଲ୍ମର କାହାଣୀ ଦିଲ୍ଲୀପ କୁମାର ଦାସ ଲେଖିଥିବା ବେଳେ ସମ୍ପାଦନ କରିଛନ୍ତି ରଞ୍ଜନ କୁମାର ଖଟେଇ। ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାସ ଏବଂ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ୍-ଟୁବୁନ୍। ସେହିପରି ଗୀତଗୁଡ଼ିକୁ ଅରୁଣ ମନ୍ତ୍ରୀ, ତପୁ ନାୟକ, ପ୍ରମୋଦ ପରିଡ଼ା ଓ ସଞ୍ଜୟ ନାୟକ ରଚନା କରିଥିବା ବେଳେ କଣ୍ଠଦାନ କରିଛନ୍ତି ହ୍ୟୁମାନ୍ ସାଗର, ଗୌରବ, କୁଳଦୀପ, ଅସୀମା ପଣ୍ଡା, ଅନ୍ତରା, ଜ୍ୟୋର୍ତିମୟୀ ଓ ପ୍ରଜ୍ଞା । ଚିତ୍ର ଉତୋଳନ କରିଛନ୍ତି ଏସ୍. ରଞ୍ଜନ୍ (ଚେନ୍ନାଇ)।
କରୋନା ଯୋଗୁଁ ସିନେମା ହଲ୍‌ଗୁଡ଼ିକ ବନ୍ଦ ଥିବା କାରଣରୁ ଫିଲ୍ମ ଦେଖିବା ସମ୍ଭବ ହେଉ ନଥିଲା । ତେଣୁ ପୂଜା ବଜାରରେ ସିନେମା ରିଲିଜ୍ ହେବା ସମୟରେ ହଲ୍ ସମ୍ମୁଖରେ ଦର୍ଶକଙ୍କ ଭିଡ଼ ବେଶ ଦେଖିବାକୁ ମିଳିଥିଲା। ତେଣୁ ଦଶହରାରେ ଏହି ଚଳଚ୍ଚିତ୍ର ବ୍ୟବସାୟିକ ସଫଳତା ହାସଲ କରିବ ବୋଲି ଆଶା କରାଯାଉଛି। ଆଗକୁ ମଧ୍ୟ ସୁମା ରିୟଲ୍ ମିଡିଆ ଆହୁରି ଅନେକ ଭିନ୍ନ ଧରଣର ଚଳଚ୍ଚିତ୍ର ନିର୍ମାଣ କରିବାର ଯୋଜନା ରଖାଯାଇଥିବା ପ୍ରଯୋଜକ ସୁନୀଲ୍ ଦାସ କହିଛନ୍ତି।

Leave A Reply

Your email address will not be published.