ଏମ୍‌ଏସ୍‌ପି ପ୍ରସଙ୍ଗରେ ମିଛ କହୁଛନ୍ତି ମୋଦି: ରାକେଶ ଟିକାଇତ

ନୂଆଦିଲ୍ଲୀ, ୧୯।୧୨: ଏମଏସପି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପୂର୍ଣ୍ଣ ମିଛ କହୁଛନ୍ତି ବୋଲି ଭାରତୀୟ କୃଷକ ସଂଘର ନେତା ରାକେଶ ଟିକାଇତ କହିଛନ୍ତି। ଗତକାଲି ମୋଦି କହିଥିଲେ, କେନ୍ଦ୍ର ସରକାର ସ୍ଵାମୀନାଥାନ କମିଟିର ରିପୋର୍ଟରେ କରାଯାଇଥିବା ସୁପାରିଶକୁ ତ୍ୱରାନ୍ୱିତ କରିଛନ୍ତି ଏବଂ ଚାଷୀମାନଙ୍କ ଉତ୍ପାଦିତ ସାମଗ୍ରୀ ଖର୍ଚ୍ଚର ଦେଢଗୁଣା ଏମଏସପି ପ୍ରଦାନ କରିଛନ୍ତି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଥିଲେ। ଆଜି ଡାଲିଜାତୀୟ ଶସ୍ୟ ଉତ୍ପାଦନ କରୁଥିବା ଚାଷୀମାନେ ଅଧିକ ଏମ୍‌ଏସ୍‌ପି ପାଉଛନ୍ତି ଓ ଏହାର ବଜାର ମୂଲ୍ୟ ମଧ୍ୟ ହ୍ରାସ ପାଇଛି । ଏବେ ମୋଦିଙ୍କ ଏହି ଦାବିକୁ ଖାରଜ କରିଛନ୍ତି ଚାଷୀ ନେତା ଟିକାଇତ।ଉତ୍ତରପ୍ରଦେଶର ବୁନ୍ଦେଲଖଣ୍ଡର କୃଷକମାନେ ଡାଲିଜାତ ଚାଷର ସର୍ବନିମ୍ନ ସହାୟତା ମୂଲ୍ୟ ପାଉ ନାହାନ୍ତି। ସେଥିପାଇଁ ଚାଷୀ ଆତ୍ମହତ୍ୟା କରୁଛନ୍ତି ବୋଲି କହିଛନ୍ତି ଟିକାଇତ। ସେ କହିଛନ୍ତି, ଆୟୋଗର ରିପୋର୍ଟକୁ କାର୍ଯ୍ୟକାରୀ କରିବା ଦାବି ସମ୍ପୂର୍ଣ୍ଣ ଭୁଲ। ତିନି ନୂଆ ଆଇନରେ କେନ୍ଦ୍ର ସରକାର ଚାଷୀଙ୍କୁ ଏମ୍‌ଏସ୍‌ପି ବାବଦରେ ଆଶ୍ୱାସନା ଦେଇ ନାହାନ୍ତି। ଏମିତିକି କୃଷି ଆଇନରେ ଏହି ବ୍ୟବସ୍ଥା ନାହିଁ ବୋଲି ସେ କହିଛନ୍ତି।

ଚାଷୀମାନେ କେନ୍ଦ୍ର ଦ୍ୱାରା ମାସିକ ୫୦୦ ଟଙ୍କା ସହାୟତା ଚାହୁଁନାହାଁନ୍ତି, କିନ୍ତୁ ସେମାନଙ୍କ ଉତ୍ପାଦ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ ଦାବି କରୁଛନ୍ତି। କୃଷକମାନେ ଭିକାରୀ ନୁହଁନ୍ତି ବୋଲି ଏହି ଚାଷୀ ନେତା କହିଛନ୍ତି। ସରକାର ଚିନି ମିଲ ମାଲିକମାନଙ୍କୁ ରପ୍ତାନୀରେ ସବ୍‌ସିଡି ଦେଇ ସାହାଯ୍ୟ କରୁଛନ୍ତି। ହେଲେ ଆଖୁ ଚାଷୀଙ୍କ ପାଇଁ ସେମିତି କିଛି ବ୍ୟବସ୍ଥା ନାହିଁ। ଚିନି ମିଲ୍ ମାଲିକଙ୍କୁ ସରକାର ସାହାଯ୍ୟ କରିବାରୁ ସେମାନେ ଲାଭ ପାଉଛନ୍ତି। ହେଲେ ଚାଷୀ କେବଳ ନିଜର ପ୍ରାପ୍ୟ ପାଉଛନ୍ତି କୌଣସି ଲାଭ ପାଉ ନାହାନ୍ତି ବୋଲି ସେ କହିଛନ୍ତି।

Comments are closed.