ସରିଲା ସର୍ବଦଳୀୟ ବୈଠକ, ୧ରୁ ମୌସୁମୀ ଅଧିବେଶନ

ରାଜ୍ୟରେ ମରୁଡ଼ି ସ୍ଥିତି, ସାମ୍ଭାବ୍ୟ ତୃତୀୟ ଲହରି ଆଦି ପ୍ରସଙ୍ଗ ଉଠାଇବେ ବିରୋଧୀ

ଭୁବନେଶ୍ଵର, ୨୭ଆସନ୍ତା ୧ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ। ଅଧିବେଶନ ଆରମ୍ଭ ପୂର୍ବରୁ ଗୃହ କାର୍ଯ୍ୟ ସୁରୁଖୁରୁରେ ଚଳାଇବା ପାଇଁ ଆଜି ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଛି। ତେବେ ବୈଠକ ସରିବା ପରେ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ସେ କହିଛନ୍ତି ଯେ, ଏଥର ଅଧିବେଶନରେ ଷ୍ଟାର ପ୍ରଶ୍ନ ରହିବ। ଶନିବାର ବିଧାନସଭା ଚାଲିବ। ସାଢ଼େ ୧୦ଟାରୁ ଆରମ୍ଭ ହୋଇ ସାଢେ ଗୋଟାଏ ଓ ଅପରାହ୍ଣରେ ୪ଟାରୁ ୬ଟା ଯାଏ ଗୃହ କାର୍ଯ୍ୟ ଚାଲିବ। ଦିନକୁ ୫ ଘଣ୍ଟା ଗୃହ କାର୍ଯ୍ୟ ହେବ। ମୁଲତବୀ ପ୍ରସ୍ତାବ ଆଲୋଚନା ରହିବ। ବିଜେପି ୪ଟି ଓ କଂଗ୍ରେସ ୨ଟି ମୁଲତବୀ ପ୍ରସ୍ତାବ ଆଣିପାରିବେ।

ବାଚସ୍ପତି ପୁଣି କହିଛନ୍ତି ଯେ, ଗତଥର ଭଳି ବିଧାୟକ ମନ୍ତ୍ରୀ ବସିକି କିମ୍ବା ଠିଆ ହୋଇ ଉତ୍ତର ରଖିପାରିବେ। ବିଧାୟକମାନେ ଓକାକ ବିଲ୍ଡିଂ, ଲୋକସେବା ଭବନ ଓ ଅନ୍ୟ ସ୍ଥାନରେ ବସିବେ। ଗୃହରେ କୌଣସି କାଗଜ ଦିଆଯିବନି। ବିରୋଧୀ ଦଳ ନେତା ହସ୍ପିଟାଲରେ ଥିବାରୁ ଚାହିଁଲେ ଭିଡିଓ କନ୍ଫରେନ୍ସିଂରେ ଯୋଗ ଦେବେ। ମୁଲତବୀ ଆଲୋଚନ ବେଳେ ବିରୋଧୀ ଦଳ ୫୫ ମିନିଟ୍ ଓ ସରକାରୀ ଦଳ ୩୫ ମିନିଟ କହିବେ। ତେବେ ଅଧିବେଶନ ପୂର୍ବରୁ ସମସ୍ତଙ୍କର ଆର୍‌ଟିପିସିଆର୍‌ ଟେଷ୍ଟ କରାଯିବ। ସବୁ ବିଧାୟକ ଓ ମନ୍ତ୍ରୀଙ୍କର ଆଣ୍ଟିବଡି ଟେଷ୍ଟ ହେବ। ଯେଉଁ ଦିନ କରୋନା ଟେଷ୍ଟ ହେବ ସେହି ଦିନ ଆଣ୍ଟିବଡି ଟେଷ୍ଟ ହେବ।

ସେହିପରି ବୈଠକ ପରେ ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ପୂର୍ବରୁ କୋଭିଡ ନିୟମ ମାନି ଯେମିତି ବିଧାନସଭା ଚାଲୁଥିଲା ସେମିତି ଚାଲିବ। ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ ଯେମିତି ଆଲୋଚନା ହେଉଥିଲା ସେମିତି ହେବ। ସ୍ଵଳ୍ପକାଳୀନ ଅଧିବେଶନ ହୋଇଥିବାରୁ ସମୁଦାୟ ୬ଟି ମୁଲତବୀ ନୋଟିସ ଆସିବ। ବିଜେପିର ୪ଟା କଂଗ୍ରେସର ଦୁଇଟି ମୁଲତବୀ ପ୍ରସ୍ତାବ ରହିବ। ରାଜ୍ୟରେ ମରୁଡି ସ୍ଥିତି, ସମ୍ଭାବ୍ୟ ତୃତୀୟ ଲହର ପ୍ରସ୍ତୁତି, ମାହାଙ୍ଗା ଡବଲ ମର୍ଡର କେସରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ପ୍ରସଙ୍ଗ ଉଠିବ।

ଏତଦ୍ ବ୍ୟତୀତ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ବିଧାନସଭା ସୁରୁଖୁରୁରେ ଚାଲିବା ନେଇ ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକରେ ସମସ୍ତେ ତାଙ୍କ ମତାମତ ଦେଇଥିଲେ। ତେବେ ରାଜ୍ୟରେ ମରୁଡି ସ୍ଥିତି, ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ, ଶିକ୍ଷକ ଅଭାବ, ଦୁର୍ନୀତି ଆଦି ପ୍ରସଙ୍ଗ ଉଠାଇବ କଂଗ୍ରେସ।

Comments are closed.