‘କମନ୍ ୟୁଜର୍ ଫାସିଲିଟି ଅଏଲ୍‌ ଡିପୋ’ର ଭୂମି ପୂଜନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଢେଙ୍କାନାଳ, ୨୮।୮: ଆଜି ଢେଙ୍କାନାଳ ଜିଲ୍ଲାର ସଦାଶିବପୁରଠାରେ ‘କମନ୍ ୟୁଜର୍ ଫାସିଲିଟି ଅଏଲ୍‌ ଡିପୋ’ର ଭୂମି ପୂଜନ କରିଛନ୍ତି କେନ୍ଦ୍ର ଶିକ୍ଷା,ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ। ଏତଦ୍ ବ୍ୟତୀତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ରାଷ୍ଟ୍ର ମନ୍ତ୍ରୀ ରାମେଶ୍ଵର ତେଲି, ସ୍ଥାନୀୟ ଢେଙ୍କାନଳ ସାଂସଦ ମହେଶ ସାହୁ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ଓଡ଼ପଡ଼ା ବ୍ଲକ ଅଧ୍ୟକ୍ଷା ସସ୍ମିତା ମହାନ୍ତିଙ୍କ ସମେତ ବିପିସିଏଲ୍‌ର ପଦାଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

ସଦାଶିବପୁରଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପୂର୍ବୋଦୟ’ କଳ୍ପନାରେ ୪୨,୦୦୦ ଲିଟର ଷ୍ଟୋରେଜ୍ କ୍ଷମତା ବିଶିଷ୍ଟ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ତୈଳ ଡିପୋ ନିର୍ମାଣ ପାଇଁ ଏହି ଭୂମି ପୂଜନ ହୋଇଛି। ଏମ୍‌ଏସ୍‌, ଏଚ୍‌ଏସ୍‌ଡି, ଇଥାନଲ୍‌ ଓ ବାୟୋ-ଡିଜେଲକୁ ଏହି ତୈଳ ଡିପୋରେ ସଂରକ୍ଷିତ ରଖାଯିବ। ୫୦ ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପରେ ୩୯୫ କୋଟି ପୁଞ୍ଜିନିବେଶ କରିବ ଇଣ୍ଡିଆନ ଅଏଲ୍‌, ବିପିସିଏଲ୍‌ ଓ ଏଚ୍‌ପିସିଏଲ। ୨୦୨୩ ଅଗଷ୍ଟ ଶେଷ ଆଡ଼କୁ ପ୍ରକଳ୍ପର କାମ ଶେଷ କରାଯିବାର ଲକ୍ଷ୍ୟ ରହିଛି।

ଏହି ପ୍ରକଳ୍ପ ଦ୍ୱାରା ପାରାଦୀପ ଟର୍ମିନାଲରୁ ପେଟ୍ରୋଲିୟମ ସାମଗ୍ରୀ ବାରମ୍ବାର ପରିବହନ କରିବାକୁ ପଡ଼ିବ ନାହିଁ। କମନ୍ ୟୁଜର ଫାସିଲିଟିରୁ ସିଧାସଳଖ ପେଟ୍ରୋଲିୟମ ଉତ୍ପାଦ ପରିବହନ ହେବା ଦ୍ୱାରା ପରିବହନ ଖର୍ଚ୍ଚ ହ୍ରାସ ହେବ ବୋଲି ଜଣାପଡିଛି। ଏହାଦ୍ୱାରା ଅନୁଗୁଳ, କେନ୍ଦୁଝର, ଦେବଗଡ଼ ଓ ଢେଙ୍କାନାଳ ଜିଲ୍ଲା ଏହି ପ୍ରକଳ୍ପ ଦ୍ୱାରା ବିଶେଷ ଉପକୃତ ହେବେ ବୋଲି ଜଣାପଡ଼ିଛି। ଏହି ପ୍ରକଳ୍ପ ନିର୍ମାଣ ଓ ପରିଚାଳନା କାମରେ ପ୍ରାୟ ୨ ଲକ୍ଷ ମାନବ ଦିବସ ସୃଷ୍ଟି ଏବଂ ବ୍ୟବସାୟ ସହ ସ୍ଥାନୀୟ ଅଂଚଳରେ ଅର୍ଥନୀତିରେ ଅଭିବୃଦ୍ଧି ଘଟିବ ବୋଲି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥା ଏହି ପ୍ରକଳ୍ପ ତଥା ବିପିସିଏଲର କାର୍ଯ୍ୟନିର୍ବାହୀ ନିର୍ଦେଶକ ଏଲ୍‌ ଆର୍‌ ଜେନା ପ୍ରକାଶ କରିଛନ୍ତି।

 

Comments are closed.