ନନ୍ଦନକାନନ ରୋପୱେ ୩୩ କେଭି ଟ୍ରାନ୍ସଫର୍ମର ଫାଟି ୩ ଗୁରୁତର

ବାରଙ୍ଗ, ୧୩/୬: ମଙ୍ଗଳବାର ମଧ୍ୟାହ୍ନରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନବ ନିର୍ମିତ ରୋପୱେର ୩୩ କେଭି ଟ୍ରାନ୍ସଫର୍ମରର ମିଟର ୟୁନିଟ ଫାଟି ତିନିଜଣ କର୍ମଚାରୀ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଅଛନ୍ତି ନନ୍ଦନକାନନର ଅସ୍ଥାୟୀ କର୍ମଚାରୀ ଶିବରାମ ସାହୁ ଓ ରୋପୱେ ସଂସ୍ଥାର ଦୁଇଜଣ ଶ୍ରମିକ ସୋମୁ ବାନାର୍ଜୀ, ରାମଲଳିତ ସାହା । ଏମାନେ ଟ୍ରାନ୍ସଫର୍ମର ନିକଟରେ ମରାମତି କାର୍ଯ୍ୟ କରୁଥିବା ବେଳେ ଫାଟି ଯିବାରୁ ଭିତରେ ଥିବା ଗରମ ତେଲ ସେମାନଙ୍କ ଉପରକୁ ଛିଟିକି ପଡିଥିଲା।

ଶିବରାମ ସାହୁଙ୍କ ପିଠିରେ ତତଲା ଟ୍ରାନ୍ସଫର୍ମର ତେଲ ଛିଟିକି ପଡି ପୋଡି ଯାଇ ଥିବା ବେଳେ ପଶ୍ଚିମ ବଙ୍ଗ ଶ୍ରମିକଙ୍କ ମଧ୍ୟରୁ ଜଣଙ୍କର ଡାହାଣ ପାଖ ଆଖି ଠାରୁ ମୁହଁ ପର୍ଯ୍ୟନ୍ତ ପୋଡିଯିବା ସହ ଆଖିଟି ନଷ୍ଟ ହୋଇଥିବା ସୂଚନା ମିଳିଛି। ଅନ୍ୟ ଜଣଙ୍କର ବାମ ପାଖ କାନ୍ଧରୁ ପିଠି ପର୍ଯ୍ୟନ୍ତ ପୋଡିଯାଇଛି। ପ୍ରଥମେ ଗୁରୁତରଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ଗୁରୁତର ଥିବାରୁ ସେଠାରୁ ଅନ୍ୟତ୍ର ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଚନ୍ଦ୍ରଶେଖରପୁର ବିଦ୍ୟୁତ୍ ବିଭାଗ ଅଧିକାରୀ ଆସି ଘଟଣାର ଅନୁଧ୍ୟାନ କରି କହିଛନ୍ତି ନୂଆ ଟ୍ରାନ୍ସଫର୍ମର ଏପରି ହେବା କଥା ନୁହେଁ। ତୃଟିପୂର୍ଣ୍ଣ ସଂଯୋଗ ପାଇଁ ଏପରି ହୋଇଥାଇ ପାରେ । ତେବେ ପ୍ରକୃତ ଘଟଣା କ’ଣ ତଦନ୍ତ କରାଯିବା ପରେ ସେ ସମ୍ପର୍କରେ କୁହାଯାଇପାରିବ।

 

Comments are closed.