ହଠାତ୍‌ ଅସୁସ୍ଥ ହୋଇ ଆପୋଲୋରେ ଭର୍ତି ହେଲେ ନରସିଂହ ମିଶ୍ର

ଭୁବନେଶ୍ବର, ୨୮।୧୨: ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ହଠାତ୍‌ ଅସୁସ୍ଥ ହୋଇପଡ଼ିଛନ୍ତି। ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଆପୋଲୋ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଆଜି ସିବିଆଇ ଅଫିସ ସାମ୍ନାରେ ଏକ ଖୋଲା ଜିପ୍‌ରେ ଭାଷଣ ଦେବା ପରେ ହଠାତ୍‌ ‌ସେ ଅସୁସ୍ଥ ହୋଇପଡ଼ିଲେ ନରସିଂହ ମିଶ୍ର। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହଠାତ୍ ସେ‌ ତଳେ ବସି ପଡ଼ିଥିଲେ। ତୁରନ୍ତ ତାଙ୍କୁ  ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ଆଜି କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ ହେଉଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ସକାଳ ୯ଟା ବେଳେ କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନ ସମ୍ମୁଖରେ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା। ସେଠାକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଯାଇନଥିଲେ। ଏହାପରେ ପୂର୍ବାହ୍ନ ୧୧ଟାରେ ଆୟୋଜିତ ତ୍ରିରଙ୍ଗା ରାଲି ଡିଏଭି ସ୍କୁଲରୁ ବାହାରି ସିବିଆଇ ଅଫିସ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ  ସିବିଆଇ ଅଫିସ ଘେରାଉ କାର୍ଯ୍ୟକ୍ରମ ରହିଥିଲା। ଏହାପୂର୍ବରୁ ସିବିଆଇ ଅଫିସ ସମ୍ମୁଖରେ ଏକ ଖୋଲା ଜିପ୍‌ରେ ପ୍ରଥମେ ପିସିସି ସଭାପତି ନିରଞ୍ଜନ ମିଶ୍ର ଉଦ୍‌ବୋଧନ ଦେଇ ସିବିଆଇର ନିଷ୍କ୍ରିୟତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏହାପରେ ନରସିଂହ ମିଶ୍ର ସିବିଆଇ ବିରୋଧରେ  ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ।  ମାତ୍ର ଭାଷଣ ସରିବା ପରେ ହଠାତ୍‌ ଉକ୍ତ ଜିପ୍‌ ଉପରେ ହିଁ ଅସୁସ୍ଥ ହୋଇପଡ଼ିଲେ ନରସିଂହ ମିଶ୍ର।

 

Comments are closed.