ହବିଷ୍ୟାଳିଙ୍କ ପାଇଁ ନିର୍ମାଣ ହେଲା ‘ବୃନ୍ଦାବତୀ ନିବାସ’

୨ ହଜାର ହବିଷ୍ୟାଳି ରହିବେ, ୧୦ରୁ ବିଭିନ୍ନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଞ୍ଜୀକରଣ

0

ପୁରୀ ୦୭/୦୯: ପୁଣି ଥରେ ଚଳଚଞ୍ଚଳ ହେବ ହବିଷ୍ୟାଳି ଶିବିର ଏଥର କିନ୍ତୁ ପକ୍କା କୋଠାରେ ରହିବେ ହବିଷ୍ୟାଳି କାର୍ତ୍ତିକ ବ୍ରତ କରୁଥିବା ୨୦୦୦ରୁ ଅଧିକ ହବିଷ୍ୟାଳିଙ୍କୁ ଗୋଟିଏ ସ୍ଥାନରେ ରଖିବାକୁ ପ୍ରଶାସନ ଏକ ହବିଷ୍ୟାଳି କୋଠା ବୃନ୍ଦାବତୀ ନିବାସନିର୍ମାଣ କରିଛି ଏହି କୋଠା ଭରିଗଲେ ରେଳ ଷ୍ଟେସନ ପାଖ ବିଶ୍ରାମଶାଳାରେ ମଧ୍ୟ ହବିଷ୍ୟାଳିମାନେ ରହି ପାରିବେ ବୋଲି ଜିଲ୍ଲା ପ୍ରଶାସନ ମଙ୍ଗଳବାର ସୂଚନା ଦେଇଛି।

ବୃନ୍ଦାବତୀ ନିବାସ ନାମରେ ବଡ଼ଦାଣ୍ଡ ମାଜଣା ଜାଗା ନିକଟରେ ନିର୍ମିତ ଏହି ନୂତନ କୋଠାରେ କାର୍ତ୍ତିକ ମାସରେ ହବିଷ୍ୟାଳିଙ୍କ ମାଗଣା ରହଣି, ମହାପ୍ରସାଦ ସେବା, ଚିକିତ୍ସା ସେବା ସହ ପ୍ରବଚନ, ଭଜନ ଆଦି କାର୍ଯ୍ୟକ୍ରମ ନିତ୍ୟ ଆୟୋଜନ ହେବ । ଏହି କୋଠାରେ ରହିବାକୁ ଆସନ୍ତା ୮ ତାରିଖରେ ଏନେଇ ବିଜ୍ଞପ୍ତି ଜାରି ହେବ । ୧୦ ତାରିଖରୁ ହବିଷ୍ୟାଳିମାନେ ପଞ୍ଜୀକରଣ କରି ପାରିବେ । ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହବିଷ୍ୟାଳିମାନେ କାର୍ତ୍ତିକ ମାସରେ ରହିବାକୁ ପଞ୍ଜୀକରଣ କରି ପାରିବେ ।

ସେପ୍ଟେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଏହି ପଞ୍ଜୀକରଣ ଜାରି ରହିବ ବୋଲି ପ୍ରଶାସନ ସୂଚନା ଦେଇଛି । ପୁରୀ ଆସୁଥିବା ହବିଷ୍ୟାଳିମାନେ ସ୍ପଟ୍‌ ପଞ୍ଜୀକରଣ ମଧ୍ୟ କରି ପାରିବେ । ଅକ୍ଟୋବର ୧୦ ତାରିଖରୁ ଶ୍ରୀମନ୍ଦିରରେହବିଷ୍ୟାଳି ବ୍ରତ ଆରମ୍ଭ ହେବ । ଏଥିପାଇଁ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ସ୍ନାନ ସୁରକ୍ଷା ବ୍ୟବସ୍ଥା ରହିବ । ସ୍ମରଣୀୟ, କରୋନା ସଂକ୍ରମଣ କାରଣରୁ ୨୦୨୧, ୨୦୨୨ କାର୍ତ୍ତିକ ମାସରେ ହବିଷ୍ୟାଳି ଶିବିରକୁ ପ୍ରଶାସନ ବନ୍ଦ କରି ଦେଇଥିଲା । ଦୁଇ ବର୍ଷ ପରେ ଏବେ ପୁଣି ଥରେ ହବିଷ୍ୟାଳିଙ୍କ ଗହଳି ନରେନ୍ଦ୍ର ତୀର୍ଥ ପୁଷ୍କରିଣୀ କଡ଼ରେ ଆରମ୍ଭ ହେବାର ଆଶା କରାଯାଉଛି ।

ଖବର ମୁତାବକ, ଶ୍ରୀମନ୍ଦିର ସେବାୟତଙ୍କ ସହ ଆଲୋଚନା ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏହି ନିଷ୍ପତ୍ତି ନେଇଛନ୍ତି । ନରେନ୍ଦ୍ର ତୀର୍ଥ ପୁଷ୍କରିଣୀ ସମ୍ମୁଖରେ ଥିବା ବୃନ୍ଦାବତୀ ଭବନ ହବିଷ ବ୍ରତର ପ୍ରଥମ ଦିନରେ ଉଦ୍‌ଘାଟନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍‌ଘାଟନ କରିପାରନ୍ତି । ଏହି ପରିକଳ୍ପନା ତିନି ବର୍ଷ ପୂବେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ଆରମ୍ଭ ହୋଇଥିଲା । ହବିଷ୍ୟାଳି ଶିବିରରୁ ବରିଷ୍ଠ ହବିଷ୍ୟାଳିଙ୍କୁ ବ୍ୟାଟେରୀ ଚାଳିତ ଅଟୋରେ ପରିବହନ ସେବା ମଧ୍ୟ ଦେବାକୁ ପ୍ରସ୍ତୁତି ଚାଲିଛି । କରୋନା ମହାମାରୀ ସଂକ୍ରମଣ ନିରାକରଣ ନିମନ୍ତେ ହବିଷ୍ୟାଳିମାନେ ବୁଷ୍ଟର ଡୋଜ୍‌ ଟିକା ନେବା ବାଧ୍ୟତାମୂଳକ କରାଯାଇଛି । ହବିଷ୍ୟାଳି ଶିବିରରେ ରହିବାକୁ ହେଲେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଡୋଜ୍‌ ଟିକା ନେବାର ସର୍ତ୍ତ ରହିଛି ।

Leave A Reply

Your email address will not be published.