ନୂତନ ଭୋଟର ତାଲିକା-୨୦୨୩ ପାଇଁ ପ୍ରସ୍ତୁତି ଆରମ୍ଭ

0

ଭୁବନେଶ୍ୱର, ୫।୨୨ :  ୨୦୨୩ ମସିହା ପାଇଁ ନୂତନ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ରାଜ୍ୟର ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଓ ରିଟର୍ଣ୍ଣିଂ ଅଧିକାରୀ ତଥା ଉପଜିଲ୍ଲାପାଳମାନଙ୍କ ସହ ଭିଡ଼ିଓ କନ୍‌ଫେରେନ୍‌ସିଂ ମାଧ୍ୟମରେ ଏକ ସମୀକ୍ଷା ବୈଠକ କରିଥିଲେ ।

୨୦୨୩ ପାଇଁ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ସାରାଦେଶରେ ନଭେମ୍ବର ୯ ତାରିଖରେ ପ୍ରଚାରପ୍ରସାର ମାଧ୍ୟମରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାହେବ ଓ ଏହା ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ଚାଲୁରହିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ସମୀକ୍ଷା ବୈଠକରେ ଜଣାଇଛନ୍ତି । ନିର୍ବାଚନ ଆୟୋଗ ତିନିଗୋଟି ବିଷୟ ଉପରେ ବିଶେଷ ଗୁରୁତ୍ୱାରୋପ କରିଛନ୍ତି ନଭେମ୍ବର ୯ ତାରିଖଠାରୁ ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଭୋଟରଙ୍କୁ ବିଶେଷ କରି ନୂତନ ଭୋଟରଙ୍କୁ ଭୋଟର ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ ଅବଗତ କରାଇବା, ୧୭ ବର୍ଷରୁ ଊଦ୍ଧ୍ୱର୍ ଭୋଟରମାନଙ୍କୁ ଆଗତୁରା ଆବେଦନ ପତ୍ର ଦାଖଲର ସବୁପ୍ରକାରର ସୁବିଧା କରାଇବା ଓ ବର୍ଷରେ ଗୋଟିଏ ଯୋଗ୍ୟତାସୂଚକ ତାରିଖ ବଦଳରେ ଗୋଟିଏ ବର୍ଷରେ ୪ ଗୋଟି ଯୋଗ୍ୟତାସୂଚକ ତାରିଖ ଯଥା: ଜାନୁଆରୀ ୧ ତାରିଖ, ଅପ୍ରେଲ ୧ ତାରିଖ, ଜୁଲାଇ ୧ ତାରିଖ ଓ ଅକ୍ଟୋବର ୧ ତାରିଖର ସୁବିଧା ଯୋଗାଇଦେବା । ନୂତନ ଭୋଟରମାନଙ୍କୁ ଅନ୍‌ଲାଇନ୍‌ ମାଧ୍ୟମରେ ପଞ୍ଜୀକରଣ ନିମନ୍ତେ ଆକୃଷ୍ଟ କରିବା ପାଇଁ ବିଶେଷ ଧ୍ୟାନ ଦେବାକୁ ପଞ୍ଜୀକରଣ ଅଧିକାରୀମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି ।

ଭୋଟର ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ ଭୋଟରମାନେ ବିଶେଷକରି ଯୁବ ଭୋଟରମାନେ ଗୁଗୁଲ୍‌ ପ୍ଲେ ଷ୍ଟୋରରୁ Voter Helpline App ଡାଉନ୍‌ଲୋଡ୍‌ କରି ନିଜେ ଘରେ ଆବେଦନ କରିପାରିବେ ଓ ନିକଟସ୍ଥ ବୁଥ୍‌ସ୍ତରୀୟ ଅଧିକାରୀଙ୍କ ଜରିଆରେ ‘ଗରୁଡ଼ ଆପ୍‌’ ମାଧ୍ୟମରେ ମଧ୍ୟ ପଞ୍ଜୀକରଣ କାର୍ଯ୍ୟ କରାଇପାରିବେ । ଆମ ରାଜ୍ୟ ଓଡ଼ିଶା ଅନ୍‌ଲାଇନ୍‌ ମାଧ୍ୟମରେ ଭୋଟର ତାଲିକାରେ ନାମ ପଞ୍ଜୀକରଣ କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଉଲ୍ଲେଖନୀୟ ସ୍ଥାନରେ ରହିଛି । ଅନ୍‌ଲାଇନ୍‌ ମାଧ୍ୟମରେ ପଞ୍ଜୀକରଣ କରିବା ବହୁତ ସହଜ ଓ ସରଳ ଅଟେ । ଭୋଟର ତାଲିକାରେ କୌଣସି ତ୍ରୁଟି ଥିଲେ ଜନସାଧାରଣମାନେ ମଧ୍ୟ ନିର୍ଦ୍ଧାରିତ ଫର୍ମରେ ଆବେଦନ କରିପାରିବେ । ଯଥା: ତାଲିକାରେ ନାମ ଯୋଗ ନିମନ୍ତେ ଫର୍ମ ନଂ-୬, ତାଲିକାରୁ ନାମ ବାଦ୍‌ କିମ୍ବା ଅଭିଯୋଗ କରିବା ପାଇଁ ଫର୍ମ ସଂ-୭ରେ ଆବେଦନ ଓ ତ୍ରୁଟି ସଂଶୋଧନ, ସ୍ଥାନାନ୍ତରଣ କିମ୍ବା ଫଟୋ ଲଗାଇବା ନିମନ୍ତେ ଫର୍ମ ନଂ-୮ରେ ଆବେଦନ କରିବାକୁ ପଡ଼ିବ । ସେ୍ୱଚ୍ଛାକୃତ ଭାବେ ଭୋଟର ତାଲିକାରେ ଆଧାରକାର୍ଡ଼ ସଂଯୋଗ ନିମନ୍ତେ ଭୋଟରମାନଙ୍କୁ ନିର୍ବାଚନ ଆୟୋଗ ଉତ୍ସାହିତ କରୁଛନ୍ତି । ଏହା ଫଳରେ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ ହୋଇପାରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସମୀକ୍ଷା ବୈଠକରେ ଅଧିକାରୀମାନଙ୍କୁ ଅବଗତ କରାଇଛନ୍ତି ।

ଭୋଟର ତାଲିକା ରିଭିଜନ୍‌ ସମୟ ମଧ୍ୟରେ ୪ ଗୋଟି ‘ସ୍ୱତନ୍ତ୍ର ଅଭିଯାନ’ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ଏହି ସ୍ୱତନ୍ତ୍ର ଅଭିଯାନ ନଭେମ୍ବର ୧୨ ଓ ୧୩ ତାରିଖ ଓ ନଭେମ୍ବର ୨୬ ଓ ୨୭ ତାରିଖରେ ଅନୁଷ୍ଠିତ ହେବ । ଏହି ଦିନମାନଙ୍କରେ ରାଜ୍ୟର ସବୁ ବୁଥ୍‌ରେ ବୁଥ୍‌ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଭୋଟରମାନଙ୍କୁ ଭୋଟର ତାଲିକାରେ ନାମ ପଞ୍ଜୀକରଣ ସହ ଅନ୍ୟାନ୍ୟ ସମସ୍ତ ସୁବିଧା ଯୋଗାଇଦେବେ । ପ୍ରତ୍ୟେକ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ରୋଲ୍‌ ପର୍ଯ୍ୟବେକ୍ଷକ ଭାବେ ଉକ୍ତ ସ୍ୱତନ୍ତ୍ର ଅଭିଯାନ କାର୍ଯ୍ୟକ୍ରମକୁ ପରିଦର୍ଶନ କରିବେ । ଏହି ସମୀକ୍ଷା ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ସଂଘମିତ୍ରା ଶତପଥୀ, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ, ଆସିଷ୍ଟାଷ୍ଟ ଇଂଜିନିୟର ଇଦି୍ରଶ ଖାନ୍‌, ରାମଚନ୍ଦ୍ର ଟୁଙ୍ଗା ଓ ଯୋଗେଶ ବାବୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.