ଏଥର ମଧ୍ୟ ନବୀନ ପାଳିବେନି ଜନ୍ମଦିନ, ‘ନବୀନ ନିବାସ’କୁ ନ ଆସିବା ପାଇଁ କଲେ ନିବେଦନ

ଭୁବନେଶ୍ବର, ୧୫/୧୦: ଅକ୍ଟୋବର ୧୬ ତାରିଖ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ତେବେ ଏଥର ବି ସେ ନିଜର ଜନ୍ମଦିନ ପାଳନ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ମାସରେ ବଡ଼ଭଉଣୀ ଗୀତା ମେହେଟାଙ୍କ ବିୟୋଗ ହୋଇଥିବାରୁ ଚଳିତ ବର୍ଷ ଜନ୍ମଦିନ ପାଳନ କରିବେନି। ତେଣୁ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛୁମାନଙ୍କୁ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ବିଗତ ବର୍ଷଗୁଡ଼ିକରେ ମଧ୍ୟ ନିଜର ଜନ୍ମଦିନ ପାଳନ କରି ନଥିଲେ। ୨୦୨୦ ଓ ୨୦୨୧ରେ କୋଭିଡ ସଂକ୍ରମଣ ପାଇଁ, ୨୦୧୯ରେ ବାତ୍ୟା ‘ଫନି’ ପାଇଁ ଓ ୨୦୧୮ରେ ବାତ୍ୟା ‘ତିତ୍‌ଲି’ ପାଇଁ ଜନ୍ମଦିନ ପାଳନ କରି ନଥିଲେ।

ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ତଥା ପ୍ରସିଦ୍ଧ ଲେଖିକା, ବୃତ୍ତଚିତ୍ର ନିର୍ମାତା, ସାମ୍ବାଦିକା ଗୀତା ମେହେଟାଙ୍କର ଗତ ସେପ୍ଟେମ୍ବର ୧୬ ତାରିଖ ରାତିରେ ଦିଲ୍ଲୀସ୍ଥିତ ବାସଭବନରେ ପରଲୋକ ହୋଇଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୮୦ବର୍ଷ ହୋଇଥିଲା। ୧୯୪୩ ମସିହାରେ ନୂଆଦିଲ୍ଲୀରେ ଜନ୍ମିତ ଗୀତା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ଜ୍ଞାନ ପଟ୍ଟନାୟକଙ୍କର ଏକମାତ୍ର କନ୍ୟା। ସେ ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପାଠ ପଢ଼ିବା ପରେ ବ୍ରିଟେନର କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟରେ ଉଚ୍ଚଶିକ୍ଷା ହାସଲ କରିଥିଲେ। ୧୯୬୫ରେ ସେ ଆମେରିକାସ୍ଥିତ ଆଲଫ୍ରେଡ୍‌ ଏ ‌େନାଫ୍ ପ୍ରକାଶନୀ ସଂସ୍ଥାର ମୁଖ୍ୟ ସନି ମେହେଟାଙ୍କୁ ବିବାହ କରିଥିଲେ। ତାଙ୍କର ୨୦୧୯ ମସିହାରେ ପରଲୋକ ହୋଇଯାଇଛି। ତାଙ୍କର ଏକମାତ୍ର ପୁତ୍ରଙ୍କ ନାମ ଆଦିତ୍ୟ ସିଂହ ମେହେଟା।

 

Comments are closed.