କେନ୍ଦ୍ରୀୟ ବିଦ୍ୟାଳୟରେ ଆଉ ଚଳିବନି ସାଂସଦଙ୍କ କୋଟା

0

ଭୁବନେଶ୍ବର, ୧୪।୪: କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକରେ ସାଂସଦଙ୍କ କୋଟାରେ ୧୦ଟି ସିଟରେ ନାମଲେଖା ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ସୁପାରିଶରେ ୪୫୦ଟି ସିଟରେ ନାମଲେଖା ବ୍ୟବସ୍ଥାକୁ ପୂର୍ବରୁ ଉଚ୍ଛେଦ କରାଯାଇଥିଲା।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସଦଙ୍କ କୋଟାରେ ନାମଲେଖା ବ୍ୟବସ୍ଥା ଉଚ୍ଛେଦ କରାଯାଇଛି। କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ଏନେଇ ଏପ୍ରିଲ ୧୨ ତାରିଖରେ ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟକୁ ନିର୍ଦ୍ଦେଶନାମା ଜାରି କରାଯାଇ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସାଂସଦଙ୍କ କୋଟାରେ ନାମଲେଖା ନ କରିବାକୁ କୁହାଯାଇଛି । ସାଂସଦଙ୍କ ସୁପାରିଶ ବା କୋଟାରେ କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକରେ ୧୦ଟି ସିଟରେ ନାମ ଲେଖାଯିବାର ସୁଯୋଗ ମିଳୁଥିଲା। ଏହି କ୍ରମରେ କେନ୍ଦ୍ରୀୟ ବିଦ୍ୟାଳୟର ମୋଟ ୭୫୦୦ଟି ସିଟରେ ସାଂସଦଙ୍କ କୋଟାରେ ନାମଲେଖା ଯିବାର ପ୍ରାବଧାନ ରହିଥିଲା । ଏହି ପ୍ରାବଧାନକୁ ଏବେ ସମାପ୍ତ କରି ଦିଆଯାଇଛି । ଇତିମଧ୍ୟରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ନିଷ୍ପତ୍ତି ନେଇଛି ଯେ ଯେଉଁ ପିଲାମାନେ କରୋନାରେ ନିଜର ପିତାମାତାଙ୍କୁ ହରାଇଛନ୍ତି ସେମାନଙ୍କୁ ନାମଲେଖାରେ ପ୍ରାଥମିକତା ଦିଆଯିବ । ଚଳିତ ଶିକ୍ଷାବର୍ଷରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଶ୍ରେଣୀ ନିମନ୍ତେ କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକ ଏହି ନିୟମ ପାଳନ କରିବେ ।

ଅନ୍ୟପକ୍ଷରେ ସାଂସଦଙ୍କ କୋଟା ଉଚ୍ଛେଦ କରାଯିବା ପ୍ରସଙ୍ଗରେ ଜାତୀୟ ଗଣମାଧ୍ୟମ ‘ଦୈନିକ ଭାସ୍କର’ ତା’ର ରିପୋର୍ଟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟାକୁ ଉଲ୍ଲେଖ କରିଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କ ପ୍ରତିକ୍ରିୟାରେ କିଛି ଲୋକଙ୍କ ପାଇଁ ନିଜର ଅଧିକାରର ଉପଯୋଗ କରିବା ନା ସାଂସଦ ଭାବେ ସମସ୍ତଙ୍କ ପାଇଁ ସମାନ ଭାବେ କାମ କରିବା ବୋଲି ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ, ଇତିମଧ୍ୟରେ କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକରେ ପ୍ରଥମ ଶ୍ରେଣୀରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ଚଳିତବର୍ଷ କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖାରେ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତିର ପାଳନ କରାଯାଉଛି । ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ଅନୁସାରେ ପ୍ରଥମ ଶ୍ରେଣୀରେ ନାମଲେଖାଇବା ପାଇଁ ପିଲାର ସର୍ବନିମ୍ନ ବୟସ ୨୦୨୨ ମାର୍ଚ୍ଚ ସୁଦ୍ଧା ୬ ବର୍ଷ ପୂରଣ ହୋଇଥିବା ଜରୁରୀ । ପୂର୍ବରୁ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ପିଲାର ସର୍ବନିମ୍ନ ବୟସ ୫ବର୍ଷ ପୂରଣ ହୋଇଥିବା ଆବଶ୍ୟକ ଥିଲା ।

 

Leave A Reply

Your email address will not be published.