ଏଣିକି ଅଧ୍ୟାପକ ପାହ୍ୟାକୁ ପଦୋନ୍ନତି ପାଇ ପାରିବେ ଅଧ୍ୟାପକ

0

ଭୁବନେଶ୍ବର, ୧୭।୯: ରାଜ୍ୟରେ ଦୀର୍ଘ ଦିନ ଧରି ଅଣପ୍ରଶାସନିକ ସେବାରୁ ଆଇଏଏସ୍ ପାହ୍ୟାକୁ ପଦୋନ୍ନତି ନିମନ୍ତେ ଯୋଗ୍ୟ ଅଧିକାରୀ ମିଳୁନାହାନ୍ତି। ବାରମ୍ବାର ରିମାଇଣ୍ଡର ପଠାଇବା ସତ୍ତ୍ୱେ ପ୍ରଶାସନିକ ବିଭାଗଗୁଡ଼ିକ ଆଇଏଏସ୍ ପଦବୀ ପାଇଁ ଅଣପ୍ରଶାସନିକ ସେବାର ଯୋଗ୍ୟ ଅଧିକାରୀଙ୍କ ନାମ ସୁପାରିସ କରିବାରେ ବିଫଳ ହୋଇଛନ୍ତି। ଯାହାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପ୍ରଥମ ଥର ପାଇଁ ଓଡ଼ିଶା ଶିକ୍ଷା ସେବା କ୍ୟାଡରର ଅଧିକାରୀ ବା ଅଧ୍ୟାପକମାନଙ୍କୁ ଏହି ଅଣପ୍ରଶାସନିକ ସେବା ବର୍ଗରେ ସାମିଲ କରି ସେମାନଙ୍କୁ ଆଇଏଏସ୍ ପାହ୍ୟାକୁ ପଦୋନ୍ନତି ଦେବା ନିମନ୍ତେ ଗତକାଲି ସୁପାରିସ୍ କରିଛି।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି ଯେ, ଅଣପ୍ରଶାସନିକ ସେବା ତାଲିକାରେ ଓଡ଼ିଶା ଶିକ୍ଷା ସେବା କ୍ୟାଡରକୁ ସାମିଲ କରାଯାଇନାହିଁ। ଯେଉଁଥି ପାଇଁ ଗ୍ରୁପ-ଏ ବର୍ଗର ଅଫିସରମାନେ ଓଡ଼ିଶା କ୍ୟାଡରର ଆଇଏଏସ୍ ପଦବୀ ନିମନ୍ତେ ଚୟନ ନିମନ୍ତେ ମନୋନୟନ ହେବାରୁ ବଂଚିତ ହେଉଛନ୍ତି । ଓଡ଼ିଶା ଶିକ୍ଷା ସେବା(ଓଇଏସ) କ୍ୟାଡରରେ ଅଧ୍ୟାପକମାନେ ଗ୍ରୁପ୍‌-ବି ଅଫିସର ଭାବେ ଚାକିରି ଆରମ୍ଭ କରି ୮ବର୍ଷ ପରେ ଗ୍ରୁପ-ଏ ବର୍ଗକୁ ପଦୋନ୍ନତି ପାଇଥାନ୍ତି। ଆଉ ସେମାନଙ୍କ ଦରମା ହାର ୯୩୦୦-୩୪୮୦୦(ଗ୍ରେଡ୍ ପେ-୫୪୦୦ଟଙ୍କା) ରହିଥାଏ, ଯାହାକି ଓଏଏସ୍ କ୍ୟାଡରରେ ଡେପୁଟି କଲେକ୍ଟର ପାହ୍ୟା ସହ ସମାନ। ତେଣୁ ଅଣପ୍ରଶାସନିକ ସେବା ବର୍ଗରେ ଗ୍ରୁପ୍ -ଏ ବର୍ଗର ଅଧ୍ୟାପକମାନଙ୍କୁ ସାମିଲ କରି ଓଡ଼ିଶା କ୍ୟାଡରର ଆଇଏଏସ୍ ପାଇଁ ମନୋନୟନ ବେଳେ ସେମାନଙ୍କ ନାମକୁ ସୁପାରିସ ପାଇଁ ସାମିଲ କରାଯାଉ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗକୁ ଅନୁରୋଧ କରାଯାଇଛି।

ସୂଚନାଯୋଗ୍ୟ, ଏପ୍ରିଲ ୭ ତାରିଖରେ ସାଧାରଣ ପ୍ରଶାସନ ବିଭାଗ ରାଜ୍ୟର ସମସ୍ତ ବିଭାଗକୁ ଚିଠି ଲେଖି ସିଲେକ୍ସନ କୋଟାରେ ଖାଲି ପଡ଼ିଥିବା ୩ଟି ଆଇଏଏସ୍ ପଦବୀକୁ ପୂରଣ ନିମନ୍ତେ ରାଜ୍ୟର ଅଣପ୍ରଶାସନିକ ସେବା ଅଫିସର(ଏନଏସସିଏସ)ଙ୍କ ତାଲିକା ମେ’ ୬ତାରିଖ ସୁଦ୍ଧା ପଠାଇବାକୁ ଅନୁରୋଧ କରିଥିଲା। ତେବେ ହାତଗଣତି ୩-୪ଟି ବିଭାଗକୁ ବାଦ୍ ଦେଲେ ଅନ୍ୟ ବିଭାଗଗୁଡ଼ିକ ଅଫିସରଙ୍କ ନାମ ପଠାଇ ନଥିବାରୁ ସାଧାରଣ ପ୍ରଶାସନ ବିଭାଗ ପୁଣି ଥରେ ଅଗଷ୍ଟ ୧୮ତାରିଖରେ ସବୁ ବିଭାଗକୁ ରିମାଇଣ୍ଡର ପଠାଇ ଆସନ୍ତା ସେପ୍ଟେମ୍ବର ୮ତାରିଖ ସୁଦ୍ଧା ରାଜ୍ୟ ଅଣପ୍ରଶାସନିକ ସେବା ଅଫିସରଙ୍କ ତାଲିକା ଦେବାକୁ କହିଥିଲା । ତଥାପି ଆଜି ସୁଦ୍ଧା ପ୍ରାୟ ୧୨ଟି ବିଭାଗ ନିଜର ତାଲିକା ପଠାଇ ନଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ରାଜ୍ୟର ମୋଟ ୨୪୮ଟି ପଞ୍ଜିକୃତ ଆଇଏଏସ୍ କ୍ୟାଡର ପଦବୀ ମଧ୍ୟରୁ ୧୦ଟି ସିଲେକ୍ସନ କୋଟା(ଅଣପ୍ରଶାସନିକ ସେବା) ପାଇଁ ଉଦ୍ଦିଷ୍ଟ ଥିବାବେଳେ ସେଥିରୁ ୩ଟି ପଦବୀ ଖାଲି ପଡ଼ିଛି। ରାଜ୍ୟରେ ଏବେ ବିଭିନ୍ନ ବିଭାଗରେ ଅଣପ୍ରଶାସନିକ ସେବାରେ ପ୍ରଥମ ଶ୍ରେଣୀ ବର୍ଗରେ ପ୍ରାୟ ୩ ହଜାରରୁ ଅଧିକ ଅଫିସର କାର୍ଯ୍ୟରତ ଅଛନ୍ତି।

Leave A Reply

Your email address will not be published.