ବିଲୁପ୍ତ ପ୍ରାୟ ଭାଷାକୁ କେବଳ ପାଠାଗାର ବିଜ୍ଞାନ ସଂରକ୍ଷଣ କରିପାରିବ: ପ୍ରଫେସର ମହାପାତ୍ର

0

ଭୁବନେଶ୍ୱର, ୯/୮: ବର୍ତମାନ ସାରା ବିଶ୍ୱରେ ଅନେକ ଭାଷା ଓ ଲିପି ଲୋପ ପାଇବାକୁ ବସିଛି । ୟୁନେସ୍କୋର ତଥ୍ୟ ଅନୁଯାୟୀ ପୃଥିବୀରେ ପ୍ରତ୍ୟେକ ବର୍ଷ ୫୦୦ରୁ ଊର୍ଦ୍ଧ୍ୱ ଭାଷା ବିଲୁପ୍ତ ହେବାରେ ଲାଗିଛି । ସେହିପରି ୧୯୨୮ ମସିହାରେ କେବଳ ଭାରତରେ ୧୨୫୦୦ ଭାଷା ଏବଂ ୨୫୦ଟି ଲିପି ରହିଥିବା ବେଳେ ବର୍ତମାନ ମାତ୍ର ୨୫୦ଟି କଥିତ ଭାଷା ଏବଂ ୫୦ ରୁ ୧୦୦ଟି ଲିପି ଉପଲବ୍ଧ ଅଛି। ଆମେ ଧୀରେ ଧୀରେ ଆମ ଭାଷାକୁ ଭୁଲିବାରେ ଲାଗିଛୁ । ତେଣୁ ନିଜ ଭାଷାକୁ ଗୁରୁତ୍ୱ ଦେବାର ସମୟ ଆସିଛି ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର କୁଳପତି ପ୍ରପେସର (ଡାକ୍ତର) ଅଶୋକ କୁମାର ମହାପାତ୍ର। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଓଡ଼ିଶା ଲାଇବ୍ରେରିଆନ୍ ଏକାଡେମୀ ପକ୍ଷରୁ ରବିବାର ଆଇଟିଇଆର୍ ପରିସରରେ ଆୟୋଜିତ ଜାତୀୟ ଲାଇବ୍ରେରିଆନ୍ ଦିବସ ଏବଂ ଓଏଲ୍‌ଏର ବାର୍ଷିକ ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଭଳି ତଥ୍ୟ ରଖିଛନ୍ତି ସୋଆ କୁଳପତି।

ଭାଷାକୁ ବଂଚାଇ ରଖିବା ପାଇଁ ପାଠାଗାର ଏବଂ ପାଠାଗାର ବିଜ୍ଞାନର ଅନେକ ଗୁରୁତ୍ୱ ରହିଛି ବୋଲି ପ୍ରଫେସର ମହାପାତ୍ର କହିଛନ୍ତି। ଓଡ଼ିଆ ଭାଷା ସମ୍ପର୍କରେ ତଥ୍ୟ ରଖି ସେ କହିଛନ୍ତି ଯେ ଓଡ଼ିଶାରେ ପ୍ରାୟ ୨୭୦ଟି ଜନଜାତି ଭାଷା ରହିଛି। ତେଣୁ ଏସବୁ ଭାଷାକୁ ଉଦ୍‌ଜୀବିତ କରି ରଖିବା ପାଇଁ ଏହା ଉପରେ ଗବେଷଣା ଆବଶ୍ୟକ। ସେହିପରି ପାଠାଗାରର ମହତ୍ୱ ସମ୍ପର୍କରେ ଗୁରୁତ୍ୱ ଦେଇ ପ୍ରଫେସର ମହାପାତ୍ର କହିଛନ୍ତି ଯେ ବର୍ତମାନର ଯୁବପିଢ଼ି କେବଳ ପରୀକ୍ଷାରେ ଉଚ୍ଚ ମାର୍କ, ଚାକିରୀ ଏବଂ ମୋଟା ଅଙ୍କର ଦରମା ପଛରେ ଅଧିକ ମନୋନିବେଶ କରୁଛନ୍ତି । ତେବେ ଜ୍ଞାନ ଆହରଣ କରିବା ପାଇଁ ଅଧିକ ପୁସ୍ତକ ପଢ଼ିବାର ଆବଶ୍ୟକତା ରହିଛି ଯଦ୍ୱାରା ସେମାନଙ୍କର ମାନସିକ, ଶାରୀରିକ ଏବଂ ଆଧ୍ୟାତ୍ମିକ ଅଭିବୃଦ୍ଧି ହୋଇପାରିବ । ଏଥି ନିମନ୍ତେ ପାଠାଗାରର ଗୁରୁତ୍ୱ ରହିଛି ବୋଲି ପ୍ରଫେସର ମହାପାତ୍ର କହିଥିଲେ ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆଇସିଏମ୍‌ଆର୍‌-ଆର୍‌ଏମ୍‌ଆର୍‌ସି ର ନିର୍ଦ୍ଦେଶିକା ଡକ୍ଟର ସଂଘମିତ୍ରା ପତି ପାଠାଗାରର ଗୁରୁତ୍ୱ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ନିଜ ଅନୁଭୂତି ବଖାଣି ବହି ପଢ଼ିବା ଏକ ନିଆରା ଅନୁଭୂତି ବୋଲି କହିବା ସହ ପ୍ରତ୍ୟେକ ଦିନ କିଛି କିଛି ପଢ଼ିଲେ ହିଁ ମାନସିକ ସ୍ତରରେ ବିଶାଳତା ସୃଷ୍ଟି ହୁଏ ବୋଲି ଡକ୍ଟର ପତି କହିଥିଲେ । କୋଭିଡ ପରବର୍ତୀ ସମୟରେ ପାଠାଗାରର ପରିଭାଷା ଭର୍ଚୁଆଲ୍ ଏବଂ ଡିଜିଟାଲ୍ ହୋଇଯାଇଛି । ଏହା ବର୍ତମାନ ଯୁବପିଢ଼ିଙ୍କ ପାଇଁ ଖୁବ୍ ଲାଭଦାୟକ ହୋଇପାରିବ ବୋଲି ଡକ୍ଟର ପତି କହିଥିଲେ ।

ଏହି ଅବସରରେ ସୋଆର ଉପ-କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପାଠାଗାରକୁ ଏକ ମନ୍ଦିର ସଦୃଶ ତୂଳନା କରି ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ପାଠାଗାରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ।

ଆଇଟିଇଆର୍‌ର ଚିଫ୍ ଲାଇବ୍ରେରିଆନ୍ ତଥା କାର୍ଯ୍ୟକ୍ରମର ଅର୍ଗାନାଇଜିଂ ସେକ୍ରେଟାରୀ ଡକ୍ଟର ପ୍ରଜ୍ଞା ଦାସ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଓଡ଼ିଶା ଲାଇବ୍ରେରି ଏକାଡେମୀର ସଭାପତି ଡକ୍ଟର ବାନାମ୍ବର ସାହୁ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମ ଶେଷରେ ଓଏଲ୍‌ଏର ସଚିବ ଡକ୍ଟର ବାସୁଦେବ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.