ପିପିଲା ଉପନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କଲେ ନିର୍ବାଚନ କମିସନ

ମାତ୍ର ୭ ଦିନ ପ୍ରଚାର, ଭୋଟ୍‌ର ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ

0

ଭୁବନେଶ୍ୱର, ୪।୯: ପିପିଲି ଉପନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି ଭାରତ ନିର୍ବାଚନ କମିସନ। ପିପିଲି ଉପନିର୍ବାଚନରେ ସର୍ବାଧିକ ୭ ଦିନ ପ୍ରଚାର ହେବ ଓ ଭୋଟ ଗ୍ରହଣର ୭୨ ଘଣ୍ଟା ପୂର୍ବରୁ ପ୍ରଚାର କାର୍ଯ୍ୟ ଶେଷ ହେବ ବୋଲି ନିର୍ବାଚନ କମିସନ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହାସହିତ ନିର୍ବାଚନୀ ସଭାରେ ସର୍ବାଧିକ ହଜାରେ ଲୋକ ଏକଜୁଟ ହୋଇପାରିବେ ବୋଲି କୁହାଯାଇଛି।

ନିର୍ବାଚନ କମିସନଙ୍କ ଦ୍ୱାରା ଜାରି ଗାଇଡଲାଇନ୍ ଅନୁସାରେ ସେପ୍ଟେମ୍ବର ୨୦ ତାରିଖ ପରଠାରୁ ନିର୍ବାଚନ ପ୍ରଚାର କରିବା ପାଇଁ ରାଜନୈତିକ ଦଳଗୁଡ଼ିକୁ ଅନୁମତି ଦିଆଯିବ। ଭୋଟ ଗ୍ରହଣ ୩୦ ତାରିଖରେ ହେବାର ଥିବାରୁ ଏହାର ୭୨ ଘଣ୍ଟା ପୂର୍ବରୁ ଅର୍ଥାତ ୨୭ ତାରିଖ ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହେବ। ଚଳିତ ଉପନିର୍ବାଚନରେ ପ୍ରଚାର ପାଇଁ କୌଣସି ପ୍ରକାରର ରୋଡ୍ ସୋ, ମୋଟର ବାଇକ ଶୋଭାଯାତ୍ରା ଅନୁମତି ମିଳିବ ନାହିଁ। କୋଭିଡ୍ ଗାଇଡଲାଇନ ମଧ୍ୟରେ ରାସ୍ତାକଡ଼ ସଭା ପାଇଁ ସର୍ବାଧକ ୫୦ ଜଣ ଲୋକଙ୍କୁ ଅନୁମତି ଦିଆଯିବ। କୌଣସି ହଲ୍ ଅବା ଘର ଭିତରେ ସଭା କରାଗଲେ ଉକ୍ତ ଘରର ସିଟିଂ କ୍ଷମତାର ସର୍ବାଧିକ ୩୦ ପ୍ରତିଶତ ଅବା ୨୦୦ ଲୋକ(ଯାହା କମ୍ ହେବ)ଙ୍କୁ ଏକଜୁଟ କରାଇବାକୁ ଅନୁମତି ମିଳିବ। ଏଥିପାଇଁ ଏକ ରେଜିଷ୍ଟରରେ ସମସ୍ତଙ୍କ ନାମ ଉଲ୍ଲେଖ ରହିବ ।

ସେହିପରି ଷ୍ଟାର କ୍ୟାମ୍ପେନରଙ୍କ ସଭାରେ ସର୍ବାଧିକ ଏକ ହଜାର ଲୋକ ଓ ଅନ୍ୟମାନଙ୍କ ପାଇଁ ପଡ଼ିଆର ୫୦ ପ୍ରତିଶତ କ୍ଷମତା ଅବା ୫୦୦ ଜଣଙ୍କୁ ଏକଜୁଟ ହେବାର ଅନୁମତି ମିଳିବ। ପଞ୍ଜିକୃତ ଜାତୀୟ ଓ ରାଜ୍ୟସ୍ତରୀୟ ଦଳଗୁଡ଼ିକର ଷ୍ଟାର କ୍ୟାମ୍ପେନରଙ୍କ ସଂଖ୍ୟା ୨୦ ଓ ଅନ୍ୟ ଅଣପଞ୍ଜିକୃତ ରାଜନୀତିକ ଦଳଗୁଡ଼ିକ ସର୍ବାଧିକ ୧୫ ଜଣ ଷ୍ଟାର କ୍ୟାମ୍ପେନରଙ୍କୁ ନେଇ ପ୍ରଚାର କରିପାରିବେ। ଡୋର ଟୁ ଡୋର କ୍ୟାମ୍ପେନର ପାଇଁ ପ୍ରାର୍ଥୀଙ୍କୁ ମିଶାଇ ସର୍ବାଧିକ ୫ ଜଣ ଯାଇପାରିବେ। ଷ୍ଟାର କ୍ୟାମ୍ପେନରଙ୍କୁ ବାଦ୍ ଦେଇ ଜଣେ ପ୍ରାର୍ଥୀ ଅବା ଦଳକୁ ସର୍ବାଧିକ ୨୦ଟି ଗାଡ଼ି (୫୦% କ୍ଷମତା ସହ)ଉପଯୋଗ ପାଇଁ ଅନୁମତି ମିଳିବ। କୌଣସି ପ୍ରାର୍ଥୀ କିମ୍ବା ଦଳ ଯଦି କୋଭିଡ୍ ଗାଇଡଲାଇନ ଉଲ୍ଲଘଂନ କରି ନିର୍ବାଚନ ପ୍ରଚାର କରନ୍ତି, ତା’ହେଲେ ସେମାନଙ୍କୁ ପରବର୍ତ୍ତୀ ସମୟରେ ଆଉ ଶୋଭାଯାତ୍ରା ଓ ସଭା ନିମନ୍ତେ ଅନୁମତି ଦିଆଯିବ ନାହିଁ। ଯଦି କୌଣସି ଷ୍ଟାର କ୍ୟାମ୍ପେନର ଏହି ଗାଇଡଲାଇନ ଉଲ୍ଲଘଂନ କରନ୍ତି ତାଙ୍କୁ ମଧ୍ୟ ସମ୍ପୃକ୍ତ ନିର୍ବାଚନମଣ୍ଡଳୀରେ ପ୍ରଚାର କରିବାର ସୁଯୋଗ ମିଳିବ ନାହିଁ। ମୁଖ୍ୟ ସଚିବ ଓ ପୁଲିସ ଡିଜି ତଥା ଜିଲ୍ଲାସ୍ତରର ଅଧିକାରୀମାନେ କୋଭିଡ୍ ଗାଇଡଲାଇନ୍ ମଧ୍ୟରେ ନିର୍ବାଚନ ପ୍ରଚାରର ପରିଚାଳନା, ତଦାରଖ ନିମନ୍ତେ ଉତ୍ତରଦାୟୀ ରହିବେ। ନିର୍ବାଚନ ପରିଚାଳନାରେ ସମ୍ପୃକ୍ତ ଥିବା ସମସ୍ତ କର୍ମଚାରୀ ନିଶ୍ଚିତ ଭାବେ ଦୁଇ ଡୋଜ୍ ଟିକା ନେଇଥିବା ଆବଶ୍ୟକ। ସେହିପରି ପ୍ରାର୍ଥୀ, ନିର୍ବାଚନ ଏଜେଣ୍ଟ, ପୁଲିଂ ଏଜେଣ୍ଟ, କାଉଣ୍ଟିଂ ଏଜେଣ୍ଟ, ଡ୍ରାଇଭର ଆଦି ସମସ୍ତେ ଯେ କେହି ଲୋକ ଅବା ନିର୍ବାଚନ ଅଧିକାରୀଙ୍କ ସଂସ୍ପର୍ଶରେ ଆସିବେ ସେମାନେ ଡବଲ ଡୋଜ୍ ଟିକା ନେବା ଜରୁରୀ। ପ୍ରତ୍ୟେକ ପୁଲିଂ ଷ୍ଟେସନରେ ଜଣେ ଲେଖାଏଁ ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିଡ୍ ନୋଡାଲ ଅଫିସର ଭାବେ ନିଯୁକ୍ତି ଦିଆଯିବ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୩୦ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟଗ୍ରହଣ ହେବ ଓ ଅକ୍ଟୋବର ୩ ତାରିଖରେ ଗଣତି ହେବ। ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ଯୋଗୁ ସେଠାରେ ଉପନିର୍ବାଚନ ହେଉଛି। ସେଠାରେ ୨୦୨୧ ମେ’ ୧୬ ତାରିଖରେ ଭୋଟ ଗ୍ରହଣ ହେବାର ଥିଲା, କିନ୍ତୁ କରୋନାର ଦ୍ୱିତୀୟ ପର୍ଯ୍ୟାୟ ମହାମାରୀ ପାଇଁ ତାହା ସ୍ଥଗିତ ରହିଥିଲା। ମଇଦାନରେ କଂଗ୍ରେସ,ବିଜେପି ଓ ବିଜେଡି ପ୍ରାର୍ଥୀଙ୍କ ସମେତ ମୋଟ ୧୦ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଛି।

Leave A Reply

Your email address will not be published.