ପରଲୋକରେ ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଲା

ମୁମ୍ବାଇ, ୨।୯: ଲୋକପ୍ରିୟ ଟେଲି-ତାରକା ତଥା ବିଗ୍‌ ବସ୍‌-୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କର ଆଜି ଦେହାନ୍ତ ହୋଇଯାଇଛି। ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ବୟସ ହୋଇଥିଲା। ସୂଚନା ମୁତାବକ, ଗତକାଲି ରାତିରେ ସିଦ୍ଧାର୍ଥ ଶୋଇବା ପୂର୍ବରୁ କିଛି ଔଷଧ ଖାଇଥିଲେ। କିନ୍ତୁ ଆଜି ସକାଳେ ସେ ଆଉ ଉଠିନଥିଲେ। ଏହାପରେ ପରିବାର ଲୋକେ ସକାଳ ପ୍ରାୟ ସାଢ଼େ ୯ଟା ବେଳେ ମୁମ୍ବାଇର କୁପର ହସ୍ପିଟାଲକୁ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଓ ହୃଦ୍‌ଘାତ ଯୋଗୁଁ ତାଙ୍କ ମୃତ୍ୟୁ ଘଟିଥିବା କହିଥିଲେ।

ହଠାତ୍‌ ତାଙ୍କ ମୃତ୍ୟୁ ଖବର ଏବେ ସମସ୍ତଙ୍କୁ ଏକ ବଡ ଝଟ୍‌କା ଦେଇଛି। ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। ବିଶେଷ କରି ବିଗ୍‌ ବସ୍‌ ଜିତିବା ପରେ ତାଙ୍କର ଭାଗ୍ୟ ବଦଳି ଯାଇଥିଲା ଏବଂ ଦିନକୁ ଦିନନ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ମଧ୍ୟ ଶୀର୍ଷ ଛୁଇଁଥିଲା। ଏତେ କମ୍‌ ବୟସରେ ହଠାତ୍‌ ଏମିତି ଚାଲିଯିବା ତାଙ୍କ ଫ୍ୟାନ୍‌ଙ୍କୁ ସ୍ତବ୍ଧ କରିଦେଇଛି। ‘ବାଳିକା ବଧୂ’ ସିରିଏଲ୍‌ରୁ ଲୋକପ୍ରିୟତା ହାସଲ କରିଥିବା ସିଦ୍ଧାର୍ଥ ‘ହମ୍ପଟି ଶର୍ମାକି ଦୁଲହନିଆଁ’ ଫିଲ୍ମରେ ମଧ୍ୟ କାମ କରିଥିଲେ। ସେ ଶେଷଥର ପାଇଁ ଏକତା କପୁରଙ୍କ ଲୋକପ୍ରିୟ ସିରିଜ ‘ବ୍ରେକନ୍‌ ବଟ୍‌ ବିୟୁଟିଫୁଲ୍‌-୩’ରେ ନଜର ଆସିଥିଲେ। ଯେଉଁଥିରେ ସେ ଅଗସ୍ତ୍ୟ ଭୂମିକା ତୁଲାଇଥିଲେ। ଏଥିସହ ‘ଖତରୋଁ କେ ଖିଲାଡି ସିଜିନ୍‌-୭’ର ଟ୍ରଫି ମଧ୍ୟ ହାତେଇଥିଲେ ସିଦ୍ଧାର୍ଥ।

୧୯୮୦ ଡିସେମ୍ବର ୧୨ରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ ସିଦ୍ଧାର୍ଥ। ସେ ମଡେଲିଂରୁ କ୍ୟାରିଅର ଆରମ୍ଭ କରିଥିଲେ। ୨୦୦୪ରୁ ସେ ଟେଲିଭିଜନରେ ଅଭିନେତା ଭାବେ ଡବ୍ୟୁ କରିଥିଲେ। ୨୦୦୮ରେ ‘ବାବୁଲ କା ଆଙ୍ଗନ ଛୁଟେ ନା’ ସିରିଏଲରେ ତାଙ୍କୁ ଦେଖିବାକୁ ମିଳିଥିଲା। ତେବେ ଅଭିନେତା ଭାବେ ପ୍ରକୃତ ପରିଚୟ ପାଇଥିଲେ ଲୋକପ୍ରିୟ ଧାରାବାହିକ ‘ବାଳିକା ବଧୂ’ରୁ। ଟେଲିଭିଜନ ଦୁନିଆରେ ସଫଳତା ପାଇବା ପରେ ସେ ବଲିଉଡରେ ମଧ୍ୟ ପାଦ ଥାପିଥିଲେ। ୨୦୧୪ରେ ଆସିଥିବା ଫିଲ୍ମ ‘ହମ୍ପଟି ଶର୍ମା କି ଦୁଲହନିଆଁ’ରେ ତାଙ୍କୁ ଦେଖିବାକୁ ମିଳିଥିଲା। ସେହି ବର୍ଷ ସେ ‘ବ୍ରୋକନ୍‌ ବଟ୍‌ ବିୟୁଟିଫୁଲ୍‌’ ନାମକ ଏବ ୱେବସିରିଜରେ ଅଭିନୟ କରିଥିଲେ। ଆଉ ଏଥିପାଇଁ ତାଙ୍କୁ ବେଶ୍‌ ପ୍ରଶଂସା ମଧ୍ୟ ମିଳିଥିଲା।

Comments are closed.