ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ବର ଆସିଲେ ମନ୍ତ୍ରୀ ପ୍ରତାପ ଜେନା

0

ଭୁବନେଶ୍ବର, ୩୧।୧୦: ମନ୍ତ୍ରୀ ପ୍ରତାପ ଜେନା ଆଜି ଅପରାହ୍ନରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଁଚିବା ପରେ ତାଙ୍କର ଚିକିତ୍ସା ପାଇଁ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ତାଙ୍କୁ ଫୁଲବାଣୀରୁ ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ବର ଅଣାଯାଇଥିଲା। ସୂଚନାଯୋଗ୍ୟ, ଗତକାଲି ରାତିରୁ ପ୍ରତାପ ଜେନା ଅସୁସ୍ଥ ଥିବା ବେଳେ ଆଜି ଜ୍ୱର ବଢ଼ିଥିଲା। ଏପରିକି ନିଶ୍ୱାସପ୍ରଶ୍ୱାସ ନେବାରେ ମଧ୍ୟ କଷ୍ଟ ଅନୁଭବ କରିଥିଲେ। କନ୍ଧମାଳ ଗସ୍ତରେ ଥିବା ବେଳେ ହଠାତ୍ ଏମିତି ଅସୁସ୍ଥ ହୋଇପଡ଼ିଥିଲେ।

ଗତକାଲି ପ୍ରତାପ ଅସୁସ୍ଥ ହେବା ପରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଥିଲେ। ଆଜି ଦେହ ଅଧିକ ଅସୁସ୍ଥ ହେବାରୁ ସଙ୍ଗେ ସଙ୍ଗେ ତାଙ୍କୁ ଏୟାରଲିଫ୍ଟ କରି ଆଣିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହାପରେ ଭୁବନେଶ୍ୱରରୁ ଏକ ଏୟାର ଆମ୍ବୁଲାନ୍ସ ଫୁଲବାଣୀ ଅଭିମୁଖେ ଉଡ଼ାଣ ଭରିଥିଲା। ପ୍ରତାପ ଜେନା ଉଭୟ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଗସ୍ତରେ ଥିଲେ। ମାସକ ପୂର୍ବରୁ ମଧ୍ୟ ପ୍ରତାପ ଜେନା ଅସୁସ୍ଥ ହୋଇଥିଲେ। ସେତେବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ବରର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ତାଙ୍କର ଛାତିରେ ଦୁଇଟି ବ୍ଲକେଜ ଥିବା ଜଣାପଡ଼ିଲା। ଏହାପରେ ଅସ୍ତ୍ରୋପଚାର କରି ଦୁଇଟି ଷ୍ଟେଣ୍ଟ ଲଗାଯାଇଥିଲା।

Leave A Reply

Your email address will not be published.