ସାଂସଦ ଅପରାଜିତାଙ୍କ ଅଭିଯୋଗ: ରାଜ୍ୟରେ ଚାଲିଛି ଜମି ହଡ଼ପ, ଆଗକୁ ହେବ ପ୍ରତିବାଦ

ଭୁବନେଶ୍ବର, ୨୫/୮: ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ରାଜ୍ୟରେ ଚାଲିଛି ଜମି ଦୁର୍ନୀତି। ରାଜ୍ୟର ସବୁ ଅଞ୍ଚଳରେ ଯେଉଁ ଜମି ଦୁର୍ନୀତି ହେଉଛି ଏହା ପଛରେ ପ୍ରଭାବଶାଳୀ ଲୋକମାନଙ୍କର ହାତ ରହିଛି। ଯେଉଁମାନଙ୍କର ଲିଙ୍କ୍ ତୃତୀୟ ମହଲାର ଜଣେ ଅଧିକାରୀଙ୍କ ସହ ରହିଛି। ସାମ୍ବାଦିକ ସମ୍ମିଳନୀ କରି ଏମିତି ସାଂଘାତିକ ଅଭିଯୋଗ ଆଣିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା  ଷଡ଼ଙ୍ଗୀ।

ସେ କହିଛନ୍ତି, ଭୁବନେଶ୍ବରରୁ ୧୫ କିମି ଦୂରରେ ଏହି ଜମି ହଡ଼ପ ପ୍ରକଳ୍ପ ଚାଲିଛି। ଭଗବତୀପୁର ମୌଜା, ଗିରିଙ୍ଗାଘାଟ ମୌଜାରେ ୧୫୦ ଏକର ଜମି ଜବରଦଖଲ ହୋଇ ବିଳାସପୂର୍ଣ୍ଣ ଫାର୍ମ ହାଉସ୍ ତିଆରି ହୋଇଛି। ସେଥିରେ ଅନାବାଦୀ, ଜଙ୍ଗଲ, ଦେବ ଜମି ଓ କିଛି ବ୍ୟକ୍ତିଗତ ଜମି ବି ଅଛି। ଏହା ସହ ହାଲ କର୍ମଚାରୀ ସଂଘର ୨୫ ଏକର ଜମି ବି ସେହି ଜବରଦଖଲ ଭିତରେ ରହିଛି।

ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ମହିଳାଙ୍କ କଂପାନୀ ତ୍ରିବେଣୀ ଆର୍ଥମୁଭରସ୍ ଏହି ଜମି ଜବରଦଖଲ କରିଛନ୍ତି। ଏନେଇ ସରକାରଙ୍କ ନିକଟରେ ଅଭିଯୋଗ କରି ଲୋକମାନେ ବାରମ୍ବାର ଅଭିଯୋଗ କଲେଣି, ହେଲେ ଅଭିଯୋଗ କଲେ ଅଧିକାରୀ କହୁଛନ୍ତି, ଏଇଟା ପାଣ୍ଡିଆନ ପ୍ରୋଜେକ୍ଟ ଚାଲିଛି, କୌଣସି ସରକାରୀ କର୍ମଚାରୀ କିଛି କହିପାରିବେନି। କେନାଲକୁ ବି ବନ୍ଦ କରି ପୋତି ଦେଇଛନ୍ତି କିରୁଥିକା ପ୍ରଭାକରନ। ୩୦୦ ଚାଷୀ ପରିବାରଙ୍କ ଜମି ରହିଛି ସେଥିରେ। ସେମାନେ ସେମାନଙ୍କ ଜମିକୁ ଯାଇ ପାରୁନାହାନ୍ତି କି ପାଣି ପାଉ ନାହାନ୍ତି। ବାପୁଜୀ ନଗର, ଚନ୍ଦ୍ରଶେଖରପୁର, ନିଆଳି ଓଲଟପୁରରେ ବି ଜାଗା ନେଇଛନ୍ତି। ମାଇନିଂରୁ ପଇସା ଲଗେଇକି ତୃତୀୟ ମହଲା ଜଣେ କର୍ମଚାରୀଙ୍କ ନାଁ ନେଇ ଲୋକଙ୍କୁ ଚାପି ଅଧିକାରୀଙ୍କୁ ଡରେଇ ଜମି ହଡ଼ପ କରୁଛନ୍ତି। ଏନେଇ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି।

ଚିଠି ପାଇବା ପରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ରଖିବେ କି ସେଥିରେ ସରକାରୀ ଅଧିକାରୀଙ୍କ ସଂପ୍ରକ୍ତି ନାହିଁ। ଏଥିସହ ସଂପୃକ୍ତ ମହିଳାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖେ ସାହସ ଅଛି କି? ମୁଖ୍ୟମନ୍ତ୍ରୀ ସେହି ସ୍ଥାନକୁ ଯିବେକି ବୋଲି ପ୍ରଶ୍ନ କଲେ ଅପରାଜିତା। ଏସବୁ ପ୍ରଶ୍ନର ଉତ୍ତର ନରଖିଲେ ଆଗକୁ ପ୍ରତିବାଦ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।

 

Comments are closed.