ମହାପ୍ରଭୁଙ୍କ ରଥଯାତ୍ରା ସୁରୁଖୁରୁରେ ଶେଷ କରିବା ଆମ ସମସ୍ତଙ୍କ ଦାୟିତ୍ୱ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର/ପୁରୀ, ୧୩/୬ : ମହାପ୍ରଭୁ ଓଡ଼ିଆ ଜାତିର ଶ୍ରେଷ୍ଠ ପରିଚୟ। ମହାପ୍ରଭୁଙ୍କ ରଥଯାତ୍ରାକୁ ସାରା ବିଶ୍ୱ ଚାହିଁ ରହି ଥାଏ। ମହାପ୍ରଭୁଙ୍କ ରଥଯାତ୍ରା ସୁରୁଖୁରୁରେ ଶେଷ କରିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ରଥଯାତ୍ରା ତୃତୀୟ ତଥା ଶେଷ ସମନ୍ବୟ ବୈଠକରେ ଅଧ୍ୟକ୍ଷତା କରିବା ସହିତ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଠିକ୍ ସମୟରେ ମହାପ୍ରଭୂଙ୍କ ନୀତି ପାଳନ କରାଯିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ଏଥି ସହିତ ପୁରୀକୁ ଆସୁଥିବା ଭକ୍ତମାନଙ୍କ ସୁରକ୍ଷା ଓ ଅନ୍ୟ ସୁବିଧା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ଦରକାର। ଏ ବର୍ଷ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ଦରକାର।

ସେହିପରି ଦେଶ-ବିଦେଶରୁ ଆସୁଥିବା ଭକ୍ତମାନେ ଯେପରି ଭଲ ଅନୁଭବ ନେଇ ଫେରିବେ ସେଥିପ୍ରତି ଆମେ ବିଶେଷ ଧ୍ୟାନ ଦେବା ଦରକାର। ପୁରୀର ଜନସାଧାରଣ, ମହାପ୍ରଭୁଙ୍କ ସେବାୟତ, ପ୍ରଶାସନ ପୁଲିସ ସମସ୍ତେ ସେବା ଓ ସମର୍ପଣ ମନୋଭାବ, ମହାପ୍ରଭୂଙ୍କ ଏ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ସଫଳ କରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।

ପୁରୀସ୍ଥିତ ଟାଉନ ହଲ୍ ଠାରେ ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଜରିଆରେ ଯୋଗ ଦେଇଥିଲେ। ଏଥି ବୈଠକରେ ଶ୍ରୀମନ୍ଦିର ନିତିକାନ୍ତି, ପହଣ୍ଡି, ରଥଟଣା, ଗହଳି ନିୟନ୍ତ୍ରଣ, ଲକ୍ଷଲକ୍ଷ ଭକ୍ତଙ୍କ ଗହଳିକୁ ନେଇ ଆନୁଷଙ୍ଗିକ ବ୍ୟବସ୍ଥା, ଟ୍ରାଫିକ ନିୟନ୍ତ୍ରଣ, ପାନୀୟ ଜଳ, ଜଳସିଞ୍ଚନ, ଭିଆଇପି ଦର୍ଶନ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।

ଏହି ଅବସରରେ ଉନ୍ନୟନ କମିସନର, ଆଇନମନ୍ତ୍ରୀ, ଗୃହ ଓ ନଗର ଉନ୍ନୟନ, ଜଙ୍ଗଲ ପରିବେଶ ଓ ସୂଚନା ଲୋକସମ୍ପର୍କ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଶକ୍ତି ଶିଳ୍ପ, ବାଣିଜ୍ୟ ଓ ପରିବହନ, ପର୍ଯ୍ୟଟନ ଓ ଓଡ଼ିଆ ଭାଷା ସାହିତ୍ୟ ମନ୍ତ୍ରୀ ‌ଯୋଗ ଦେଇଥିଲେ। ସେହିପରି ଆରକ୍ଷୀ ମହାନିର୍ଦ୍ଦେଶକ, ମୁଖ୍ୟ ପ୍ରଶାସକ, ପ୍ରମୂଖ ଶାସନ ସଚିବ ଆଇନ, ଶକ୍ତି, କେନ୍ଦ୍ରାଞ୍ଚଳ ରାଜସ୍ୱ କମିସନର, ଆରକ୍ଷୀ ମହାନିରୀକ୍ଷକ କେନ୍ଦ୍ରାଞ୍ଚଳ, ଜିଲ୍ଲାପାଳ, ଏସ୍‌ପ ଓ ପୁରୀ ବିଧ୍ୟାୟକ, ଶ୍ରୀମନ୍ଦିର ପରିଚାଳନା କମିଟି ସଦଶ୍ୟ ଓ ସେବାୟତ ଓ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

 

Comments are closed.