ଭୁବନେଶ୍ବର,୧୮/୧୨: ବରିଷ୍ଠ ଆଇଏଫ୍ଏସ୍ ଅଫିସର୍ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜଣେ ସର୍ବଭାରତୀୟ ସେବା ଅଧିକାରୀଙ୍କ ବିରୋଧରେ ପ୍ରଥମ ଥର ପାଇଁ ଓଡ଼ିଶା ସରକାର ଏପରି କଠୋର ପଦକ୍ଷେପ ନେଇଛନ୍ତି। କେନ୍ଦ୍ରକୁ ସୁପାରିସ୍ କଲା ବେଳେ ମୁଖ୍ୟମନ୍ତ୍ରୀ କାହିଁକି ବାଧ୍ୟତାମୂଳକ ଅବସର ଦିଆଯିବ, ସେଥି ପାଇଁ ଯୁକ୍ତି ବି ଦେଖାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କୁ ଛାନିଅା କରିଦେଇଛି।
ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ କରିଥିବା ସୁପାରିସ୍ରେ ଦର୍ଶାଇଛନ୍ତି ଯେ ଅଭୟକାନ୍ତ ପାଠକ ବେଆଇନ୍ ଭାବେ ପ୍ରଚୁର ସମ୍ପତ୍ତି ଠୁଳ କରିଛନ୍ତି। ସେ ବେଆଇନ୍ ଭାବେ ପାଇଥିବା ଅର୍ଥକୁ ତାଙ୍କ ପୁଅ ଅାକାଶ ପାଠକଙ୍କ ଆକାଉଣ୍ଟ୍ରେ ଜମା କରିଛନ୍ତି ଏବଂ ନିଜ ପୁଅକୁ ଟାଟା ମୋଟର୍ସ ଏମ୍ଡି ଭାବେ ପରିଚୟ ଦେଇ ଠକିବାରେ ସାହାଯ୍ୟ କରିଛନ୍ତି। ତାଙ୍କ ପୁଅ ମଧ୍ୟ ଜାଲିଆତି, ଠକାମି ଓ ବେକାର ଯୁବକ, ଯୁବତୀଙ୍କ ଠାରୁ ଟାଟା ମୋଟର୍ସରେ ଚାକିରି ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ବିପୁଳ ପରିମାଣରେ ଅର୍ଥ ନେଇଥିବା ଅଭିଯୋଗରେ ତାଙ୍କ ପୁଅ ମଧ୍ୟ କ୍ରାଇମ୍ବ୍ରାଞ୍ଚ୍ ଦ୍ବାରା ଗିରଫହୋଇଛି। ଟାଟା ମୋଟର୍ସ ପକ୍ଷରୁ ଦିଆଯାଇଥିବା ଏତଲା ଭିତ୍ତିରେ ତାଙ୍କୁ ଗିରଫ କରାଯାଇଛି। ବେଆଇନ୍ ଭାବେ ହାସଲ କରିଥିବା ସମ୍ପତ୍ତିରୁ ଶ୍ରୀ ପାଠକ ମର୍ସିଡିଜ୍, ବିଏମ୍ଡବ୍ଲ୍ୟୁ ପରି ନାମୀଦାମୀ ବ୍ରାଣ୍ଡ୍ର କାର୍ ବ୍ୟବହାର କରୁଥିଲେ। ଲକ୍ଡାଉନ୍ ସମୟେର ସେ ଓ ତାଙ୍କ ପୁଅ ଚାର୍ଟର୍ଡ ଫ୍ଲାଇଟ୍ରେ ଦେଶର ବିଭିନ୍ନ ସ୍ଥାନକୁ ଭ୍ରମଣ କରିବା ସହ ବିଳାସପୂର୍ଣ୍ଣରେ ହୋଟେଲ୍ରେ ରହୁଥିଲେ। ଉଭୟ ବାପା ଓ ପୁଅ ଘରୋଇ ସିକ୍ୟୁରିଟି ଗାର୍ଡ ସାଙ୍ଗରେ ନେଉଥିଲେ। ଏପରି ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ଭାବେ ସୁପାରିସ୍ କରିଛନ୍ତି।
ସୂଚନାଯୋଗ୍ୟ ଯେ ରାଜ୍ୟ ଭିଜିଲାନ୍ସ ଇତିହାସରେ ସବୁଠାରୁ ବଡ଼ ରେଡ୍ ଅଭୟକାନ୍ତ ପାଠକଙ୍କ ଘରେ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ତାଙ୍କ ଠାରୁ ୨୦ କୋଟି ଟଙ୍କାରୁ ଅଧିକ ଆୟ ବହିର୍ଭୁତ ସମ୍ପତ୍ତି ଠାବ କରାଯାଇଛି। ଶ୍ରୀ ପାଠକ ଭିଜିଲାନ୍ସ ଦ୍ବାରା ଗିରଫ ହେଲା ପରେ ରାଜ୍ୟ ସରକାର ତାଙ୍କୁ ନିଲମ୍ବନ କରିଥିଲେ।
Prev Post