୧୧ ତାରିଖ ଯାଏ ଆର୍ଯ୍ୟନ ଖାନଙ୍କୁ ରିମାଣ୍ଡରେ ନେବାକୁ ଏନ୍‌ସିବିର ଆବେଦନ

0

ମୁମ୍ବାଇ, ୭।୧୦: ନିଷିଦ୍ଧ ନିଶା କାରବାରରେ ଫସିଥିବା ବଲିଉଡ୍‌ ଅଭିନେତା ଶାହାରୁଖ୍ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ଙ୍କୁ ଆଜି ପୁଣି ଥରେ ମୁମ୍ବାଇ କୋର୍ଟରେ ହାଜର କରାଯାଇଛି। ଆଜି ଆର୍ଯ୍ୟନ୍‌ ଖାନ୍‌ଙ୍କ ସମେତ ଅନ୍ୟ ଅଭିଯୁକ୍ତମାନଙ୍କର ରିମାଣ୍ଡ ଅବଧି ସରୁଥିବାରୁ ସେମାନଙ୍କୁ କୋର୍ଟରେ ହାଜର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆର୍ଯ୍ୟନ୍‌ ଖାନଙ୍କ ରିମାଣ୍ଡ ଅବଧି ଅକ୍ଟୋବର ୧୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ଏନ୍‌ସିବି ଆବେଦନ କରିଛି।

ଅନ୍ୟପକ୍ଷରେ ଆର୍ଯ୍ୟନ୍‌ ଖାନ୍‌ଙ୍କ ଜାମିନ୍ ପାଇଁ ତାଙ୍କ ଓକିଲ ସତୀଶ ମନଶିନ୍ଧେ ପୁଣିଥରେ ଫ୍ରେସ୍‌ ଆବେଦନ କରିଛନ୍ତି। ଏଥିସହ ରେଡ୍‌ ବେଳର ସିସିଟିଭି ଫୁଟେଜ ମାଗିଛନ୍ତି। ସେପଟେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ପକ୍ଷରୁ କୁହାଯାଇଛି ଯେ, ଏହି ମାମଲାରେ ଅଧିକ ଅଭିଯୁକ୍ତ ସାମ୍ନାକୁ ଆସିଲେଣି। ସେମାନଙ୍କୁ ଗିରଫ କରାଯାଇଛି। ମାମଲାର ଅଧିକ ତଦନ୍ତ ଜାରି ରହିଛି।

ସୂଚନା ଅନୁଯାୟୀ, ରବିବାର ମୁମ୍ବାଇ ଉପକୂଳରୁ ଏକ କ୍ରୁଜ୍ ଜାହାଜରେ ଡ୍ରଗ୍ସ ପାର୍ଟି ଚାଲୁଥିବା ଖବର ପାଇ ଏନ୍‌ସିବି ଚଢ଼ାଉ କରିଥିଲା। ସେଥିରେ ଶାହାରୁଖ୍ ଖାନ୍‌ଙ୍କ ପୁଅଙ୍କ ସମେତ ୮ ଜଣଙ୍କୁ ଗିରଫ କରିଥିଲା ଏନ୍‌ସିବି। ଏଥିସହ ସେମାନଙ୍କଠାରୁ ବିପୁଳ ପରିମାଣରେ ଡ୍ରଗସ୍‌ ଜବତ କରାଯାଇ ଥିଲା। ଏଥିସହ ସମ୍ପୃକ୍ତ ୮ ଜଣଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏନ୍‌ସିବି ପକ୍ଷରୁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ଅକ୍ଟୋବର ୧୧ ତାରିଖ ଯାଏ ଆବେଦନ କରିଥିବା ବେଳେ କୋର୍ଟ  ଅକ୍ଟୋବର ୭ ଯାଏ ଅନୁମତି ଦେଇଥିଲେ।  ଅଦ୍ୟାବଧି ଏହି ମାମଲାରେ ୧୭ ଜଣଙ୍କୁ ଗିରଫ କରାଯାଇଥିବା ଏନ୍‌ସିବି ପକ୍ଷରୁ କୁହାଯାଇଛି।

 

 

Leave A Reply

Your email address will not be published.