ଲଖିମପୁର ଖେରୀ ହିଂସା ଘଟଣା

କେନ୍ଦ୍ରମନ୍ତ୍ରୀଙ୍କ ପୁଅ ନାମରେ ଜାରି ହେଲା ଲୁକ୍‌ଆଉଟ୍‌ ନୋଟିସ୍‌

 

ଲକ୍ଷ୍ନୌ, ୭।୧୦: ଉତ୍ତରପ୍ରଦେଶ ଲଖିମପୁର ଖେରୀ ହିଂସା ଘଟଣାରେ କେନ୍ଦ୍ରମନ୍ତ୍ରୀ ପୁଅଙ୍କ ନାମରେ ପୁଲିସ ଜାରି କଲା ଲୁକ୍‌ଆଉଟ୍‌ ନୋଟିସ। ଖୁବ୍‌ଶୀଘ୍ର ଗିରଫ ହୋଇପାରନ୍ତି କେନ୍ଦ୍ରମନ୍ତ୍ରୀଙ୍କ ପୁଅ।  ଉତ୍ତରପ୍ରଦେଶ ପୁଲିସ ଆଇଜି ଲକ୍ଷ୍ମୀ ସିଂହ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଖୋଜା ଚାଲିଛି। ଖୁବ୍‌ଶୀଘ୍ର ତାଙ୍କୁ ଗିରଫ କରାଯିବ। ଆଇଜି ଲକ୍ଷ୍ମୀ ସିଂହ କହିଛନ୍ତି ଯେ, ଲଖିମପୁର ଖେରୀ ହିଂସା ଘଟଣାରେ  ଆଶିଷ ମିଶ୍ରାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି।

ତାଙ୍କୁ ଖୋଜା ଚାଲିଛି ବୋଲି ସେ କହିଛନ୍ତି। ସେହିପରି ଏଫ୍ଆଇଆର୍‌ରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଚାଷୀଙ୍କ ଉପରକୁ ଗୁଳି ଚଳାଇବା ସହ  ଘଟଣାସ୍ଥଳରେ ସେ କାରରରେ ଉପସ୍ଥିତ ଥିଲେ ବୋଲି ଦର୍ଶାଯାଇଛି।  ଯେଉଁ କାରଟି ଆନ୍ଦୋଳନରତ ଚାଷୀଙ୍କ ଉପରକୁ ମାଡ଼ି ଯାଇଥିଲା। ୧୫ରୁ ୨୦ ଜଣ  ସଶସ୍ତ୍ର ବ୍ୟକ୍ତିଙ୍କ ସହ ମନ୍ତ୍ରୀଙ୍କ ପୁଅ ସେଦିନ ଦିନ ୩ଟାରେ  ଏକ ୩ ଚକିଆ ଯାନରେ  ବିକ୍ଷୋଭ ସ୍ଥଳରେ ପହଞ୍ଚିଥିଲେ।  ଏମାନେ ମହିନ୍ଦ୍ରା ଥାର କାରରେ ଆସିଥିବା ବେଳେ ମୋନୁ ମିଶ୍ରା ନାମ ଜଣେ ବ୍ୟକ୍ତି ଚାଷୀଙ୍କ ଉପରକୁ ଗୁଳି ଚଳାଇବା ଏତଲାରେ ଦର୍ଶାଯାଇଛି। ଆଇଜି ଲକ୍ଷ୍ମୀ ସିଂ କହିଛନ୍ତି ଯେ, ଆଶିଷ ମିଶ୍ରାଙ୍କୁ ଗିରଫ ପାଇଁ ଖୋଜା ଚାଲିଛି। ସିଂହ କହିଛନ୍ତି, ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓକୁ ଆଧାର କରି ତଦନ୍ତ କରାଯାଉଛି।

ଏହା ପୂର୍ବରୁ ଆଶିଷ ମିଶ୍ରା କହିଥିଲେ ଯେ, ତାଙ୍କ ବିରୋଧରେ ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ।  ମୁଁ ଏହି ମାମଲାର ନ୍ୟାୟିକ ତଦନ୍ତ ଦାବି କରୁଛି ଏବଂ ଦୋଷୀମାନଙ୍କୁ ଦଣ୍ଡ ଦିଆଯାଉ ବୋଲି ସେ କହିଥିଲେ। ଗତ ରବିବାର ମହାରାଜା ଆଗ୍ରାସେନ୍ ଇଣ୍ଟର-କଲେଜ ଖେଳପଡ଼ିଆରେ କେନ୍ଦ୍ରର କୃଷି ବିଲ ବିରୋଧରେ ଆନ୍ଦୋଳନ ପାଇଁ  ଚାଷୀମାନେ ଏକାଠି ହୋଇଥିଲେ।

ତେବେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରା  ଏବଂ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏକ କାର୍ଯକ୍ରମରେ ଯୋଗ ଦେବାକୁ ଥିବା ବେଳେ ଚାଷୀମାନେ କଳା ପତାକା ଦେଖାଇବାକୁ ପ୍ରସ୍ତୁତ ହେଉଥିଲେ। ଚାଷୀମାନେ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ଆଶିଷ ମିଶ୍ରାଙ୍କ କାର ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଏଥିରେ ୪ ଜଣ ଚାଷୀଙ୍କର ମୃତ୍ୟୁ ଘଟିଥିଲା।  ପରେ ଘଟଣାସ୍ଥଳରେ ହିଂସାକାଣ୍ଡ ଘଟି ଆଉ ଚାରି ଜଣଙ୍କର ମୃତ୍ୟୁ ଘଟିଥିଲା।

 

Comments are closed.