ପିଲାଙ୍କୁ ମିଳିବ ହାପିନେସ୍‌ କିଟ୍: ଅଟା, ଚଣା, ହଳଦୀ ଗୁଣ୍ଡ, ଡାଲଚିନ୍, ଚିନା ବାଦାମ ଓ ଗୁଡ ଆଦି ଖାଦ୍ୟ ଯୋଗାଇ ଦିଆଯିବ

0

ଭୁବନେଶ୍ବର, ୩୧।୧: ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ପୁଷ୍ଟିକର ଖାଦ୍ୟ। ଦିଆଯିବ ହାପିନେସ୍ କିଟ୍। ଏହି କିଟ୍ରେ ରହିବ ଅଟା, ଚଣା, ହଳଦୀ ଗୁଣ୍ଡ, ଡାଲଚିନ୍, ଚିନା ବାଦାମ ଓ ଗୁଡ ଭଳି ପୁଷ୍ଟିକର ତଥା ରୋଗପ୍ରତିରୋଧକ ଶକ୍ତିବର୍ଦ୍ଧକ ଖାଦ୍ୟ। ଏହାସହ ପେନ୍, ପେନ୍‌ସିଲ୍, ଖାତା, ସାନିଟାରୀ ନାପକିନ୍, ଟୁଥ୍ ପେଷ୍ଟ, ଆୟୋଡିନ ଲୁଣ ଓ ସାବୁନ ବି ରହିବ। କରୋନା କାଳରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇପାରୁନାହିଁ। ଏହାବଦଳରେ ଅଭିଭାବକଙ୍କ ଆକାଉଣ୍ଟକୁ ଏବାବଦକୁ ଅର୍ଥ ଯାଉଛି। ତେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସ୍କୁଲ୍ ଖୋଲିବା ପୂର୍ବରୁ ପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ପଦକ୍ଷେପ ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ମଧ୍ୟାହ୍ନ ଭୋଜନ ଯୋଗାଉଥିବା ଅକ୍ଷୟ ପାତ୍ର ଫାଉଣ୍ଡେସନ୍ ଜରିଆରେ ନୟାଗଡ଼, ପୁରୀ, କଟକ, ଖୋର୍ଦ୍ଧା ଓ ସୁନ୍ଦରଗଡ଼ର ୧୯୧୬ ସ୍କୁଲରୁ ଏକ ଲକ୍ଷ ୮୩ ହଜାର ଛାତ୍ରଛାତ୍ରୀଙ୍କୁ ହାପିନେସ୍ କିଟ୍ ଦିଆଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ସବୁ ଜିଲ୍ଲାରେ ମଧ୍ୟାହ୍ନ ଭୋଜନ ଯୋଗାଣକାରୀ ସଂସ୍ଥା ମାଧ୍ୟମରେ ହାପିନେସ୍ କିଟ୍ ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଥିବା ମନ୍ତ୍ରୀ କହିଛନ୍ତି।
ରାଜ୍ୟରେ ୬୦ ହଜାର ପ୍ରାଥମିକ ସ୍କୁଲରେ ପଢୁଛନ୍ତି ପ୍ରାୟ ୩୦ ଲକ୍ଷ ଛାତ୍ରଛାତ୍ରୀ । କରୋନା ପାଇଁ ଶିକ୍ଷା ବର୍ଷ ପ୍ରଭାବିତ ହୋଇଛି । ବିଦ୍ୟାର୍ଥୀମାନେ ସ୍କୁଲ୍ ଯାଉନଥିବାରୁ ମଧ୍ୟାହ୍ନ ଭୋଜନ ବି ବନ୍ଦ ଅଛି । ତେବେ ମଧ୍ୟାହ୍ନ ଭୋଜନ ବାବଦକୁ ଅର୍ଥ ଅଭିଭାବକଙ୍କ ଆକାଉଣ୍ଟକୁ ଯାଉଥିଲେ ସୁଦ୍ଧା ପଛୁଆ ଅଞ୍ଚଳରେ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ କେତେ ମିଳୁଛି ତାକୁ ନେଇ ପ୍ରଶ୍ନ ଉଠିଛି। ହାପିନେସ୍ କିଟ୍ ସ୍କୁଲ୍ ଖୋଲିବା ପୂର୍ବରୁ ସମସ୍ତଙ୍କ ପାଖରେ ପହଞ୍ଚିଲେ ପିଲାମାନେ ଉପକୃତ ହେବେ ବୋଲି ଅଭିଭାବକ ମତ ପ୍ରକାଶ କରିଛନ୍ତି। ଫେବ୍ରୁଆରି ପ୍ରଥମ ସପ୍ତାହରେ ଏହି ହାପିନେସ୍ କିଟ୍ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.