ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ କଲ୍ୟାଣ ଯୋଜନାରେ ସାମିଲ ହେବେ ୫୦ ବର୍ଗ

ଭୁବନେଶ୍ବର,୨/୮ :  ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ କଲ୍ୟାଣ ଯୋଜନାରେ ସାମିଲ ହେବେ ଡେଲିଭରି ବୟ, କୁମ୍ଭାର, କମାର, ପାଇପମିସ୍ତ୍ରୀ ଆଦି ପଚାଶ ବର୍ଗ । ଶ୍ରମିକ ତଥା ଗରିବ ବର୍ଗର କଲ୍ୟାଣ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ସାମାଜିକ ନିରାପତ୍ତା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ଼ ଜରିଆରେ ହିତାଧିକାରୀମାନଙ୍କୁ ବିଭିନ୍ନ ସହାୟତା ଯୋଗାଇ ଦିଆଯାଉଛି । ବର୍ତ୍ତମାନ ବୁଲାବିକାଳୀ, ଛୋଟ ଦୋକାନୀ, ଘରୋଇ ସହାୟକ, ରିକ୍‌ସାବାଲା, ଅଟୋ ଡ୍ରାଇଭର, ମୋଚି, କୃଷି ଶ୍ରମିକ, ଜଙ୍ଗଲ ଶ୍ରମିକ, ସମ୍ବାଦପତ୍ର ହକର ଏବଂ ସଫେଇ କର୍ମଚାରୀଙ୍କ ପରି ୧୦ଟି ବର୍ଗର ଲୋକ ବୋର୍ଡର କଲ୍ୟାଣ ଯୋଜନାରେ ସୁବିଧା ପାଉଛନ୍ତି ।

ଏବେ ଆଉ ୫୦ ବର୍ଗର ଅଣସଂଗଠିତ କର୍ମଚାରୀଙ୍କୁ ଏହି ବୋର୍ଡର କଲ୍ୟାଣ ଯୋଜନାରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ଦରଜୀ, ଏମ୍ବ୍ରୋଡୋରୀ କାରିଗର, ବାରିକ, ସ୍ପା, ସେଲୁନ ଓ ବିଉଟି ପାର୍ଲୋରରେ କାମ କରୁଥିବା କର୍ମଚାରୀ, ମହାରଣା, ମତ୍ସ୍ୟଜୀବୀ, କମାର, ରେଳବାଇ କୁଲି, ମାଲ ଲୋଡିଂ ଏବଂ ଅନ୍‌ଲୋଡିଂରେ ନିୟୋଜିତ ଶ୍ରମିକ ତଥା ମୁଣ୍ଡରେ ବୋଝ ବୋହୁଥିବା ଶ୍ରମିକ, କୁମ୍ଭାର, ପଥର ଶିଳ୍ପୀ ଏବଂ ସହାୟକ, ଜରି ଗୋଟାଳି ଭଳି ଗୁରୁତ୍ବପୂର୍ଣ୍ଣ ବର୍ଗ ।

ବୋର୍ଡରେ ରେଜିଷ୍ଟ୍ରିଭୁକ୍ତ ଶ୍ରମିକମାନଙ୍କୁ ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ସହାୟତାକୁ ୨ ଲକ୍ଷରୁ ୪ ଲକ୍ଷ ଟଙ୍କାକୁ ମୁଖ୍ୟମନ୍ତ୍ରୀ ବୃଦ୍ଧି କରିଛନ୍ତି । ସେହିପରି ସ୍ବଭାବିକ ମୃତ୍ୟୁ କ୍ଷେତ୍ରରେ ସହାୟତାକୁ ୧ ଲକ୍ଷ ଟଙ୍କାରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି।  ସୂଚନାଯୋଗ୍ୟ ଯେ, ୨୦୧୭ ମଇ ପହିଲାରୁ ଆରମ୍ଭ ହୋଇଥିବା ଏହି ବୋର୍ଡ ଜରିଆରେ ବର୍ତ୍ତମାନ ୧୦ଟି ବର୍ଗର ପ୍ରାୟ ୩.୬୫ ଲକ୍ଷ ପଞ୍ଜୀକୃତ ଶ୍ରମିକ ସୁବିଧା ପାଉଛନ୍ତି । ଏବେ ଆଉ ୫୦ ବର୍ଗର ଅଣସଂଗଠିତ ଶ୍ରମିକ ଏହି ଯୋଜନାରୁ ଉପକୃତ ହେବେ।

Comments are closed.