ଦୂର ହେବ ଯାତ୍ରା କଳାକାରଙ୍କ ଦୁଃଖ: କଳାକାରଙ୍କ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

0

ଭୁବନେଶ୍ବର, ୨୩।୨: ବିଧାନସଭା ସମ୍ମୁଖରେ ଧାରଣାରେ ବସିଥିବା ଯାତ୍ରା କଳାକାରମାନଙ୍କର ସମସ୍ୟା ବୁଝିବା ନିମନ୍ତେ ରାଜ୍ୟ ସରକାରଙ୍କୁ ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଯାତ୍ରା କରିବା ନିମନ୍ତେ ସେମାନଙ୍କୁ ଅନୁମତି ଦେବା ଦାବିରେ ଯାତ୍ରା କଳାକାରମାନେ ଗତ ଦୁଇଦିନ ଧରି ରାଜଧାନୀରେ ଧାରଣାରେ ବସିଛନ୍ତି।

ଆଜି ବିଧାନସଭାରେ ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳର ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଯାତ୍ରା କଳାକାରମାନେ ଧାରଣାରେ ବସିଥିବା ସମ୍ପର୍କରେ ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ। ଯାତ୍ରା କଳାକାରମାନଙ୍କ ସ୍ଥିତି ଖରାପ ଅବସ୍ଥାରେ ଅଛି। ସେମାନେ ନିଜର ପେଟପାଟଣା ପାଇଁ ଏବେ ରାସ୍ତାରେ ବସିଛନ୍ତି। ବାଚସ୍ପତି ଏହି ପ୍ରସଙ୍ଗରେ ହସ୍ତକ୍ଷେପ ପାଇଁ ସେ ଦାବି କରିଥିଲେ। ବାଚସ୍ପତି ଶ୍ରୀ ପାତ୍ର ରୁଲିଂ ଦେଇ ଯାତ୍ରା କଳାକାରମାନଙ୍କ ସମସ୍ୟା ବୁଝିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ବାହିନୀପତି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଯାତ୍ରା କଳାକାରଙ୍କ ସମସ୍ୟା ବୁଝିବା ନିମନ୍ତେ ବାଚସ୍ପତି ଆଜି ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବାରୁ ସେ ଧନ୍ୟବାଦ ଜଣାଉଛନ୍ତି।

ସେହିପରି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ମଧ୍ୟ ଯାତ୍ରା କଳାକାରଙ୍କ ସମସ୍ୟା ପ୍ରତି ଉଦବେଗ ବ୍ୟକ୍ତ କରି କହିଥିଲେ ଯେ, କଳାକାରମାନେ ନିଜର ଜୀବିକା ହରାଇଛନ୍ତି। ସଙ୍ଗୀତକାର ହେଉ କି ଅପେରା କଳାକାର କି ଗୀତକାର ସେମାନେ ସମସ୍ତେ ନିଜର କଳା ପ୍ରଦର୍ଶନ କରି ବଂଚୁଥିଲେ। ଯଦି ସ୍ଥିତିରେ ସୁଧାର ଆସିଛି, ତା’ହେଲେ ସରକାର ସେମାନଙ୍କୁ ସୀମିତ ଦର୍ଶକରେ କଳା ପ୍ରଦର୍ଶନ ନିମନ୍ତେ ଅନୁମତି ଦେବା ଉଚିତ୍। ସରକାର ମଧ୍ୟ ସେମାନଙ୍କର ଜୀବିକା ନିମନ୍ତେ କିଛି ବିକଳ୍ପ କରିବା ଉଚିତ୍।
ସୂଚନାଯୋଗ୍ୟ, ଓଡ଼ିଶା ଯାତ୍ରା କଳାକାର ଓ କର୍ମଚାରୀ ସଂଘର ସଦସ୍ୟମାନେ ପିଏମଜି ଛକରେ ନିଜର ଦୁଇଟି ଦାବି ପୂରଣ ନିମନ୍ତେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମରଣ ଅନଶନରେ ଗତକାଲିଠୁ ବସିଛନ୍ତି। ସେମାନେ ୧୧ମାସ ଧରି ଯାତ୍ରା କରୁନଥିବାରୁ ନିଜର ଉପାର୍ଜନ ହରାଇ ବସିଛନ୍ତି ଓ ସେମାନଙ୍କର ସ୍ଥିତି ଏବେ ଖରାପ ହେବାରେ ଲାଗିଛି। ତେଣୁ ସରକାର ଅତିକମରେ ୨ହଜାର ଲୋକ ବସି ଯାତ୍ରା ଦେଖିବା ନିମନ୍ତେ ଅନୁମତି ଦେବାକୁ ସେମାନେ ଦାବି କରିଛନ୍ତି।

Leave A Reply

Your email address will not be published.