ମେ’ ୧ରେ ଭାରତରେ ପହଞ୍ଚିବ ‘ସ୍ଫୁଟନିକ୍‌ ଭି’

0

ନୂଆଦିଲ୍ଲୀ, ୨୭।୪: ମେ’ ପହିଲାରୁ ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ ୧୮ରୁ ୪୫ ବର୍ଷର ବୟସ୍କ ବ୍ୟକ୍ତି ଟିକା ନେବେ। ହେଲେ ଟିକା ଉତ୍ପାଦନରେ ବିଳମ୍ୱ ହୋଇଥିବାରୁ ଟିକାକରଣ ବିଳମ୍ବ ହେବ ବୋଲି ଜଣାପଡ଼ିଛି। ଏହାରି ଭିତରେ ରୁଷିଆର କରୋନା ସଞ୍ଜିବନୀ ଟିକା ‘ସ୍ପୁଟନିକ ଭି’ ମେ’ ୧ରେ ଭାରତ ପହଞ୍ଚିବ ବୋଲି ଜଣାପଡ଼ିଛି। ଡାଇରେକ୍ଟ ଇନ୍‌ଭେଷ୍ଟେମେଣ୍ଟ୍‌ ଫଣ୍ଡର ପ୍ରମୁଖ କିରିଲ ଦିମିତ୍ରୈକ ଏହି ସୂଚନା ଦେଇଛନ୍ତି।

ଏହାର ଦାମ ଭାରତରେ ୭୫୦ ଟଙ୍କା ପାଖାପାଖି ରହିପାରେ। ଯାହାକି କୋଭିସିଲ୍ଡ ପାଖରୁ ଅଧିକ ଦାମ୍। କିନ୍ତୁ ସ୍ପୁଟନିକ ଭି ଟିକାର ସଫଳତା ହାର ୯୦% ଉପରେ ରହିଛି। ଯାହାକି କୋଭିଶିଲ୍ଡ ପାଖରୁ ଅଧିକ। ସ୍ପୁଟନିକ ଟିକାକୁ ଲୋକ ଦେଶରେ ଆବଶ୍ୟକତା ଥିବ ଟିକାର ଚାହିଦାକୁ ପୂରଣ କରିବ ବୋଲି ଆଶା ରହିଛି।

ରୁଷିଆ ଭାରତକୁ ୮୫୦ ମିଲିୟନରୁ ଅଧିକ ଟିକା ଯୋଗାଇବା ପାଇଁ ପାଞ୍ଚଟି ପ୍ରମୁଖ ଭାରତୀୟ ଟିକା ଉତ୍ପାଦକଙ୍କ ସହ ଚୁକ୍ତିନାମା କରିଥିବା ସୂଚନା ରହିଛି। ସର୍ବଭାରତୀୟ ସ୍ତରରେ ଏହି ଟିକାକୁ ମନଟରିଂ କରୁଥିବା ଆର୍‌ଡିଏଫ୍ କହିଛି ଯେ ଗ୍ରୀଷ୍ମ ଋତୁ ସୁଦ୍ଧା ଭାରତରେ ଟିକା ଉତ୍ପାଦନ ୫୦ ମିଲିୟନ୍ ଡୋଜରେ ପହଞ୍ଚିବ। ଦେଶରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ଟିକାକରଣକୁ ଜୋରଦାର କରିବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଚଳାଇଛନ୍ତି। ତେଣୁ କୋଭିଶିଲ୍ଡ, କୋଭାକ୍ସିନ ପରେ ସ୍ପୁଟନିକ ଭି ଟିକାକୁ ମଧ୍ୟ ଅନୁମତି ଦେଇଛନ୍ତି। ସେହିପରି ଗତ ସପ୍ତାହରେ ଡିଜିସିଆଇ ଜାଏଡସ କାଡିଲା ପ୍ରସ୍ତୁତ କରିଥିବା କରୋନା ଔଷଧ ଭିରାଫିନ୍‌କୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି।

 

Leave A Reply

Your email address will not be published.