ଏଣିକି ସ୍କୁଲ ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନା ପାଠ

ଭୁବନେଶ୍ବର, ୧୨।୫: ଆସନ୍ତା ଶିକ୍ଷାବର୍ଷରୁ ସ୍କୁଲ ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନା କୋର୍ସ ସ୍ଥାନ ପାଇବ। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପାଠ୍ୟକ୍ରମ ପ୍ରସ୍ତୁତି କରାଯାଉଛି ବୋଲି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ତେବେ ସ୍କୁଲ ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନାକୁ ସାମିଲ ପାଇଁ ୨୦୨୦ ଡିସେମ୍ବର ୨୯ରେ ରାଜ୍ୟ କ୍ୟାବିନେଟରେ ଏକ ସଂକଳ୍ପ ଗୃହୀତ କରିଥିଲେ ମଧ୍ୟ ୫-ଟି କାର୍ଯ୍ୟକାରୀ କରୁଥିବା ବିଭାଗ ଏ ଦିଗରେ ତ୍ୱରିତ୍ ପଦକ୍ଷେପ ନନେବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

ଆଜି ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ, ୨୦୨୩ ଶିକ୍ଷାବର୍ଷ ପାଇଁ ଯେଉଁ ବହି ଛପାଯାଉଛି, ସେଥିରେ ବିପର୍ଯ୍ୟୟ ପରିଚାଳନା ପାଠ୍ୟକ୍ରମକୁ ସାମିଲ କରାଯିବ। ତେବେ କେଉଁ ଶ୍ରେଣୀରେ ଏହି ପାଠ୍ୟକ୍ରମ ରହିବ ତାହା ଏସ୍‌ସିଇଆର୍‌ଟି ବିଚାର ବିମର୍ଶ କରୁଛନ୍ତି। ନବମ-ଦଶମ ଶ୍ରେଣୀ ପିଲାଙ୍କ ପାଇଁ କ’ଣ ରହିବ, ତଳ କ୍ଲାସରେ କ’ଣ ରହିବ ସେ ଦିଗରେ କାମ ଚାଲିଛି । ବିପର୍ଯ୍ୟୟ ପରିଚାଳନାକୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ । ସେ ଦିଗରେ କାର୍ଯ୍ୟ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ।

ସୂଚନାଯୋଗ୍ୟ, ୨୦୨୦ ଡିସେମ୍ବର ୨୯ରେ ରାଜ୍ୟ କ୍ୟାବିନେଟରେ ସଂକଳ୍ପ ପ୍ରସ୍ତାବ ଗୃହୀତ ହେବା ଓ ଏହାର ସପ୍ତାହକ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରି କହିଥିଲେ ଯେ, ବିପର୍ଯ୍ୟୟ ପରିଚାଳନା ଓ ମୁକାବିଲା ପାଇଁ ପ୍ରତ୍ୟେକ ଘରେ ଜଣେ ଯୋଦ୍ଧା ସୃଷ୍ଟି କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ସ୍କୁଲ ପାଠ୍ୟକ୍ରମ ଓ ନିଯୁକ୍ତି ସିଲାବସରେ ମଧ୍ୟ ବିପର୍ଯ୍ୟୟ ପରିଚାଳନାକୁ ସାମିଲ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ ବି ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିନି।

Comments are closed.