ଆଜି ପ୍ରଥମ ପର୍ଯ୍ୟାୟ ଗଣେଶ ଭସାଣି

ବିସର୍ଜିତ ହେବେ ୩୮୦ ମୂର୍ତ୍ତି, ଜଗିବେ ୨୨ ପ୍ଲାଟୁନ୍‌ ଫୋର୍ସ ଓ ୨ ଶହ ଅଧିକାରୀ

0

କଟକ, ୪/୯: ଦୀର୍ଘ ଦୁଇ ବର୍ଷ ପରେ କରୋନା କଟକଣା ହଟିବାରୁ ଚଳିତ ବର୍ଷ ଗଣେଶ ପୂଜା ଧୂମ୍‌ଧାମ୍‌ରେ ପାଳିତ ହୋଇଛି । ଏହି କ୍ରମରେ ଆଜି ପ୍ରଥମ ପର୍ଯ୍ୟାୟ ଗଣେଶ ଭସାଣି କଟକ ସହରରେ ଅନୁଷ୍ଠିତ ହେବ । ଏନେଇ ପୁଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଭସାଣି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ଏଡାଇବା ପାଇଁ ସହରରେ ୨୨ ପ୍ଲାଟୁନ୍‌ ପୁଲିସ ଫୋର୍ସ ନିୟୋଜିତ ହେବେ । ସେହିପରି ଏଏସ୍‌ଆଇଠାରୁ ଆରମ୍ଭ କରି ଏଡିସିପି ପର୍ଯ୍ୟନ୍ତ ୨ ଶହ ଅଫିସର ମଧ୍ୟ ନିଯୁକ୍ତ ହେବେ ।

ପ୍ରଥମ ପର୍ଯ୍ୟାୟ ଭସାଣି ପାଇଁ ୩୮୦ ପୂଜା କମିଟି ଏବଂ କ୍ଲବ ଲାଇସେନ୍ସ ପାଇଛନ୍ତି । ସେଥିରୁ କଟକ ସହର ଭିତରର ଥାନା ଅଞ୍ଚଳରେ ୨୫୨ ଓ ସହର ଉପକଣ୍ଠ ଥାନା ଅଞ୍ଚଳରେ ୧୨୮ ମୂର୍ତ୍ତି ଭସାଣିରେ ସାମିଲ ହେବେ । ଗୋଟିଏ ବ୍ୟାଣ୍ଡ ପାର୍ଟିରେ ୬ଟି ସାଉଣ୍ଡ୍‌ ବକ୍ସ ସୀମିତ ରହିବା ସହ ୩ଟି ଟ୍ରଲିରେ ଭସାଣି ଶୋଭାଯାତ୍ରା କରାଯିବ । ଏଥିସହ ରାତି ୧୦ଟାରେ ସମସ୍ତ ବାଜା ବନ୍ଦ ହେବା ସହିତ ବିସର୍ଜନ ପର୍ବ ଶେଷ ହେବ । ଶୋଭାଯାତ୍ରାରେ ଯଦି କୌଣସି କ୍ଲବ କିମ୍ୱା ପୂଜା କମିଟି ହାଇକୋର୍ଟଙ୍କ ଆଦେଶକୁ ଅବମାନନା କରିବେ, ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ପିନାକ ମିଶ୍ର କହିଛନ୍ତି ।

ମୂର୍ତ୍ତି ବିସର୍ଜ୍ଜନ ପାଇଁ ୧୦ଟି ସ୍ଥାନରେ କୃତ୍ରିମ ପୋଖରୀ କରାଯାଇଛି । ଦେବୀଗଡ଼ା, କାର୍ତ୍ତିକେଶ୍ୱରଗଡ଼ା, ଚହଟା, ବେଲିଭିଉ, ନୂଆପଡ଼ା, ଯୋବ୍ରା ତତ୍ୱବଟ, ପୋତାପୋଖରୀ, ମାରିଟାଇମ୍‌ ମ୍ୟୁଜିୟମ୍‌ ପାଖ, ମାତାମଠ ଓ ଖାନ୍‌ନଗର ବୁରୁଜ ପାଖରେ ଏହି କୃତ୍ରିମ ପୋଖରୀ ତିଆରି ହୋଇଛି । ବିସର୍ଜନ ଶୋଭାଯାତ୍ରା ସୁବ୍ୟବସ୍ଥିତ କରିବାକୁ ପୁଲିସ ପକ୍ଷରୁ ରାସ୍ତାରେ ୧୩ଟି ଏଡ୍‌ ପୋଷ୍ଟ କରାଯାଇଛି । ମେଢ଼ଗୁଡ଼ିକର ରୁଟ୍‌ ଦେଖିବା ଏହି ପୋଷ୍ଟର କାମ । ସେହିପରି ଥାନା ଗୁଡ଼ିକ ପ୍ରତ୍ୟେକ ଗଣେଶ ମେଢ଼କୁ ଜଣେ କରି ପୁଲିସ କର୍ମଚାରୀ ଥାନାସ୍ତରରୁ ଆଣି ପ୍ରଦାନ କରିବେ । ବିସର୍ଜନ ସ୍ଥଳରେ ପୁଲିସ ଫୋର୍ସ, ଅଗ୍ନିଶମ ଏବଂ ଓଡ୍ରାଫ୍‌ କର୍ମଚାରୀ ମୁତୟନ ରହିବେ ।

Leave A Reply

Your email address will not be published.