ଆସନ୍ତାକାଲି କଟକ ଆସୁଛନ୍ତି ଅମିତ ଶାହା

କଟକ, ୭।୮: ଆସନ୍ତାକାଲି କଟକ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ସେ ଦୈନିକ ଖବରକାଗଜ ‘ପ୍ରଜାତନ୍ତ୍ର’ର ୭୫ତମ ପ୍ରତିଷ୍ଠା ଦିବସ ତଥା ‘ଆଜାଦି କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ତାଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଖ୍ୟାତ ଔପନ୍ୟାସିକା ପ୍ରତିଭା ରାୟ ମଧ୍ୟ ସମାରୋହରେ ଉପସ୍ଥିତ ରହିବେ।

କଟକ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଅମିତ ଶାହା ଭୁବନେଶ୍ୱରରୁ କଟକ ସିଧାସଳଖ ରୋଡ ମାଧ୍ୟମରେ ଆସିବେ। ଏଥିପାଇଁ ୩୦ ପ୍ଲାଟୁନ ପୁଲିସ ଫୋର୍ସ, ବରିଷ୍ଠ ପୁଲିସ ଅଧିକାରୀ, ଟ୍ରାଫିକ କର୍ମଚାରୀ ଓ ଅଧିକାରୀ ମୁତୟନ ରହିବେ ବୋଲି ଡିସିପି ପିନାକ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କାରକେଡ ମାଧ୍ୟମରେ ଶାହା ଇଣ୍ଡୋର ଷ୍ଟାଡିୟମ୍ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।

ଏହି ଗସ୍ତ ସମୟରେ ବିଜେପି ପକ୍ଷରୁ ବିଭିନ୍ନ ଛକରେ ଶାହାଙ୍କୁ ଭବ୍ୟ ସ୍ଵାଗତ କରାଯିବ। ସେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ପରିଦର୍ଶନ କରି ନେତାଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବେ। ତେବେ କେନ୍ଦ୍ରଗୃହ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କଟକ ଜିଲ୍ଲାପାଳ, ଡିସିପି, ସିଏମସି କମିସନର ଓ ଅନ୍ୟ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥା, କାର୍ଯ୍ୟକ୍ରମ ସ୍ଥଳୀର ସ୍ଥିତି ସମୀକ୍ଷା କରିଛନ୍ତି।

Comments are closed.