ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ

ରାଜ୍ୟର ୫୬.୫୩ଲକ୍ଷ ଭୋଟର କରିବେ ମତଦାନ

0

ଭୁବନେଶ୍ବର, ୧୯।୨: ବ୍ୟାପକ ହିଂସା ଓ ଗଣ୍ଡଗୋଳ ମଧ୍ୟରେ ୨ଟି ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବା ବେଳେ ଆସନ୍ତାକାଲି ୨୯ଟି ଜିଲ୍ଲାର ୬୩ଟି ବ୍ଲକରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ୧୭୧ଟି ଜିଲ୍ଲା ପରିଷଦ ଆସନ, ୧୩୮୨ ପଂଚାୟତରେ ଉଭୟ ସରପଞ୍ଚ ଓ ସମିତି ସଭ୍ୟ ପଦବୀ ନିମନ୍ତେ ରାଜ୍ୟର ୫୬.୫୩ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ୧୮୪୯୫ଟି ବୁଥ୍ ଚୂଡ଼ାନ୍ତ ହୋଇଥିବା ବେଳେ ସେଥିରୁ ୨୭୭୩ଟି ଉତ୍ତେଜନାପ୍ରବଣ ବୋଲି ଚିହ୍ନଟ ହୋଇଛି।

ରାଜ୍ୟ ନିର୍ବାଚନ କମିଶନର ସଚିବ ରବୀନ୍ଦ୍ରନାଥ ସାହୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ତୃତୀୟ ପର୍ଯ୍ୟାୟ ପଂଚାୟତ ନିର୍ବାଚନ କେବଳ ଝାରସୁଗୁଡ଼ା ଜିଲ୍ଲାକୁ ଛାଡ଼ି ଅନ୍ୟ ୨୯ଟି ଜିଲ୍ଲାର ୬୩ଟି ବ୍ଲକରେ ଅନୁଷ୍ଠିତ ହେବ । ଏହି ବ୍ଲକଗୁଡ଼ିକରେ ୧୭୧ଟି ଜିଲ୍ଲା ପରିଷଦ ଜୋନରେ ମୋଟ ୬୭୯ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ମୋଟ ୫୬.୫୪ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ ।

ଗତ ଦୁଇଟି ପର୍ଯ୍ୟାୟ ଭୋଟରେ ବ୍ୟାପକ ହିଂସାକାଣ୍ଡ ଓ ଗଣ୍ଡଗୋଳ ହେଉଥିବା ବେଳେ ପୁଲିସର ଭୂମିକାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଯଦିଓ ପୁଲିସ ଡିଜି ସୁନୀଲ କୁମାର ବଂଶଲ କୌଣସି ପ୍ରକାରର ହିଂସା ଓ ଗଣ୍ଡଗୋଳକୁ ବରଦାସ୍ତ କରାଯିବନି ବୋଲି ଆଶ୍ୱାସନା ଦେଇଛନ୍ତି। ତଥାପି ରାଜ୍ୟରେ ଅବାଧ ଓ ନିରପେକ୍ଷ ପଂଚାୟତ ନିର୍ବାଚନ ଏ ପର୍ଯ୍ୟନ୍ତ ସମ୍ଭବପର ହୋଇପାରିନି। ଅନେକ ସ୍ଥାନରେ ବୁଥ ରିଗିଂ, ଭୋଟରଙ୍କୁ ପ୍ରଭାବିତ ଓ ଭୟଭୀତ କରି ମତଦାନ କରାଯାଉଥିବା ଅଭିଯୋଗ ହୋଇଛି। ଚଳିତ ନିର୍ବାଚନରେ ୨୪୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ସତ୍ତ୍ୱେ ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ଓ ହିଂସାର ଖବର ମିଳୁଛି।

ଆସନ୍ତାକାଲି ମତଦାନ ପରେ ଆଉ ଦୁଇଟି ପର୍ଯ୍ୟାୟ ଭୋଟ ଫେବୃୟାରୀ ୨୨ ଓ ୨୪ ତାରିଖରେ ହେବ। ଏହି ସମସ୍ତ ପର୍ଯ୍ୟାୟ ଭୋଟଗ୍ରହଣର ଗଣତି ଫେବୃୟାରି ୨୬ରୁ ୨୮ତାରିଖ ମଧ୍ୟରେ ହେବ। ସୂଚନାଯୋଗ୍ୟ, ଦୁଇଟି ପର୍ଯ୍ୟାୟରେ ମୋଟ ୩୦ଟି ଜିଲ୍ଲାର ୧୩୯ଟି ବ୍ଲକରେ ୩୮୬ଟି ଜିଲ୍ଲା ପରିଷଦ ଆସନରେ ଭୋଟଗ୍ରହଣ ଅନୁଷ୍ଠିତ ହୋଇସାରିଛି ।

Leave A Reply

Your email address will not be published.