ଆରମ୍ଭ ‌ହେଲା ଆମେରିକାରେ ଫାଇଜର ଟିକାକରଣ

ୱାଶିଂଟନ, ୧୪।୧୨:  ଆମେରିକାରେ ଆଜିଠାରୁ ଆରମ୍ଭ ହୋଇଯାଇଛି କୋରାନା ଟିକାକରଣ। ଶୁକ୍ରବାର ଫାଇଜରର କରୋନା ଟିକାକୁ ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ ଆମେରିକା ସରକାର ଅନୁମୋଦନ ଦେବା ପରେ ଆଜି ଦେଶରେ ଟିକାକରଣ ଆରମ୍ଭ ହୋଇଯାଇଛି। ଏହା ହେଉଛି  ଆମେରିକା ଇତିହାସର ସବୁଠାରୁ ବଡ଼ ଟିକାକରଣ ପ୍ରକ୍ରିୟା। ଦେଶରେ ଚିହ୍ନଟ କରାଯାଇଥିବା ହସ୍ପିଟାଲଗୁଡ଼ିକର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରାଯାଉଛି।

ଆମେରିକା ସରକାର ବିଭିନ୍ନ ବିଷୟରେ ତର୍ଜମା କରିବା ପରେ ଫାଇଜର ପ୍ରସ୍ତୁତ କରିଥିବା ଟିକାକୁ ପ୍ରଥମେ ଅନୁମୋଦନ ଦେଇଛନ୍ତି। ଅନୁମୋଦନ ମିଳିବା ପରେ କ୍ୱିନ୍‌ସ୍‌ଠାରେ ଥିବା ଏକ ହସ୍ପିଟାଲ୍‌ର ଆଇସିୟୁରେ କାମ କରୁଥିବା ମହିଳା ନର୍ସଙ୍କୁ ଟିକାର ପ୍ରଥମ ଡୋଜ୍‌ ଦିଆଯାଇଛି। ଏହି ନର୍ସ ଜଣଙ୍କ ହେଉଛନ୍ତି ସାଣ୍ଡ୍ରା ଲିଣ୍ଡସେ। ତାଙ୍କୁ ନ୍ୟୁୱର୍କର କ୍ୱିନ୍ସରେ ଥିବା ଲଙ୍ଗ୍‌ ଆଇସଲ୍ୟାଣ୍ଡ ଜେୱିଶ ମେଡିକା ସେଣ୍ଟର୍‌ରେ କରୋନା ଟିକାର ପ୍ରଥମ ଡୋଜ୍‌ ଦିଆଯାଇଛି। ଏଠାରେ ମହାମାରୀ କରୋନାର ଭୟାବହ ରୂପ‌ ଦେଖାଇଥିଲା।

ସାଣ୍ଡ୍ରାଙ୍କୁ ଟିକା ଦିଆଯିବା ବେଳର ଦୃଶ୍ୟକୁ ସମଗ୍ର ଦେଶରେ ସିଧାପ୍ରସାରଣ କରାଯାଇଥିଲା। ଏହି ସମୟରେ ନ୍ୟୁୟର୍କର ଗଭର୍ଣ୍ଣର ଆଣ୍ଡ୍ର୍ୟୁ କୁମୋ ଉପସ୍ଥିତ ରହିଥିଲେ। ଟିକା ନେବା ପରେ ଲିଣ୍ଡ୍ରା ନିଜେ ମଧ୍ୟ ତାଳି ମାରିଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଦେଶରେ ଟିକାକରଣ ଆରମ୍ଭ ହୋଇଥିବା ଟ୍ୱିଟ କରି ସୂଚନା ଦେଇଛନ୍ତି।

Comments are closed.