ରାଜ୍ୟର ଗ୍ଲୋବାଲ୍‌ ‌ଟେଣ୍ଡର୍‌ ପ୍ରତି ଟିକା କମ୍ପାନିଙ୍କ ଆଗ୍ରହ ନାହିଁ; କେନ୍ଦ୍ର ଟିକା କିଣି ରାଜ୍ୟକୁ ଦେବା ପାଇଁ ପ୍ରସ୍ତାବ, ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଲେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ

0

ଭୁବନେଶ୍ବର,୧/୬ : ସିଧାସଳଖ ଦେଶୀ, ବିଦେଶୀ ଟିକା କମ୍ପାନିଠାରୁ ଟିକା କିଣିବାକୁ ରାଜ୍ୟ ସରକାର ଗ୍ଲୋବାଲ୍‌ ଟେଣ୍ଡର୍‌ ଡାକିଥିଲେ। କିନ୍ତୁ ଏହା ଆଶାନୁରୂପକ ଫଳପ୍ରଦ ହେବାର ସମ୍ଭାବନା କମ୍। ବିଦେଶୀ ଟିକା କମ୍ପାନିମାନେ ରାଜ୍ୟ ସରକାରଙ୍କ ଟେଣ୍ଡର୍‌ରେ ଅଂଶଗ୍ରହଣ କରିବାକୁ ଆଗ୍ରହୀ ନାହାନ୍ତି। ଏପରିକ ଦେଶୀ କମ୍ପାନି ମଧ୍ୟ ଆଗ୍ରହୀ ନାହାନ୍ତି। ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ରାଜ୍ୟ ସ୍ବାସ୍ତ୍ୟ ମନ୍ତ୍ରୀ ନବ ଦାସ ଲେଖିଥିବା ଚିଠିରୁ ଏହା ସ୍ପଷ୍ଟ ହୋଇଛି।

            ଏହାକୁ ନଜରରେ ରଖି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି ଯେ କେନ୍ଦ୍ର ସରକାର ସିଧସଳଖ ଟିକା ପ୍ରସ୍ତୁତକାରୀ କମ୍ପାନିଠାରୁ କେନ୍ଦ୍ର ଟିକା କିଣନ୍ତୁ।  ଯେହେତୁ ଓଡ଼ିଶା ସରକାର ନିଜସ୍ବ ପାଣ୍ଠିରୁ ସମସ୍ତ ନାଗରିକଙ୍କୁ ମାଗଣା ଟିକା ଦେବାକୁ ଘୋଷଣା କରିଛନ୍ତି, ତେଣୁ ଏହି ଟିକା ‌ବାବଦ ଅର୍ଥକୁ ରାଜ୍ୟ ସରକାର ପଇଠ କରିବେ। ଏଥି ପାଇଁ ମନ୍ତ୍ରୀ ଯୁକ୍ତି ଦର୍ଶାଇଛନ୍ତି ଯେ ଗ୍ଲୋବାଲ୍‌ ଟେଣ୍ଡର୍‌ ପ୍ରତି ଟିକା ଉତ୍ପାଦନକାରୀ ସଂସ୍ଥା ସେତେଟା ଆଗ୍ରହ ଦେଖାଉ ନ ଥିବା ପ୍ରି-ବିଡ୍‌ ସ୍ତରରେ ଦେଖିବାକୁ ମିଳିଥିଲା। ଏପରିକି ପ୍ରି-ବିଡ୍‌ ମିଟିଂରେ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଓ ଭାରତ ବାୟୋଟେକ୍ ଅଂଶଗ୍ରହଣ କରି ନ ଥିଲେ। ଓଡ଼ିଶା ସରକାର ରାଜ୍ୟ କ୍ୟାବିନେଟ୍‌ର ଅନୁମତି ନେଇ ଗ୍ଲୋବାଲ୍‌ ଟେଣ୍ଡର୍‌ରେ କୋହଳ ସର୍ତ୍ତ ରଖିଥିଲେ। ତେବେ ବିଭିନ୍ନ ଗଣମାଧ୍ୟମର ରିପୋର୍ଟ ମୁତାବକ ଟିକା ପାଇଁ ଟେଣ୍ଡର୍‌ ଡାକିଥିବା ଅନ୍ୟ ରାଜ୍ୟମାନେ ମଧ୍ୟ ବିଦେଶୀ ଟିକା ଉତ୍ପାଦନକାରୀ ସଂସ୍ଥାଠାରୁ କୌଣସି ଉତ୍ସାଜନକ ପ୍ରତିକ୍ରିୟା ପାଇ ନାହାନ୍ତି। ବିଦେଶୀ କମ୍ପାନିମାନେ ଏକ ସଂଘୀୟ ରାଷ୍ଟ‌୍ରରେ ସିଧାସଳଖ କେନ୍ଦ୍ର ସରକାରଙ୍କ ସ୍ତରରେ ଚୁକ୍ତି କରିବାକୁ ଆଗ୍ରହୀ। ତେଣୁ ବର୍ତ୍ତମାନ ପରିପ୍ରେକ୍ଷୀରେ ରାଜ୍ୟ ଅପେକ୍ଷା କେନ୍ଦ୍ର ସରକାର ଆନ୍ତର୍ଜାତିକ କମ୍ପାନିଠାରୁ ଟିକା କିଣିଲେ ତାହା ଶୀଘ୍ର ହେବା ସହ କମ୍ ଦରରେ ମିଳିପାରିବ।

ଶ୍ରୀ ଦାସ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଟିକାକରଣ ଆରମ୍ଭରୁ ଓଡ଼ିଶା ଯୋଜନାବଦ୍ଧ ଭାବେ ଟିକାକରଣ କାର୍ଯ୍ୟ କରୁଛୁ ଓ ଟିକା ନଷ୍ଟ ନ କରିବାକୁ ସବୁ ପ୍ରକାର ଉଦ୍ୟମ କରାଯାଉଛି। ଆମେ ୬୧ ଲକ୍ଷରୁ ଅଧିକ ଲୋକଙ୍କୁ ଅତି କମ୍‌ରେ ଗୋଟିଏ ଡୋଜ୍ ଦେଇସାରିଛୁ। ଟିକା ଯୋଗାଣ କମ୍ ଥିବାରୁ ଏବେ ଦିନକୁ ମାତ୍ର ୬୦ରୁ ୭୦ ହଜାର ଡୋଜ୍ ଟିକା ଦେଉଛୁ। କିନ୍ତୁ ଆମେ ଦିନକୁ ୩ ଲକ୍ଷ ଡୋଜ୍‌ରୁ ଅଧିକ ଟିକା ଦେବା ପାଇଁ ଭିତ୍ତିଭୂମି ମହଜୁଦ୍ ରଖିଛୁ। ୧୮ରୁ ୪୫ ବର୍ଷର ଲୋକମାନଙ୍କୁ ଟିକା ଦେବା ପାଇଁ ସିଧାସଳଖ ଟିକା କମ୍ପାନିରୁ ଟିକା କିଣିବାକୁ କେନ୍ଦ୍ର ସରକାର ଅନୁମତି ଦେଲା ପରେ ଆମେ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌କୁ ୨ କୋଟି ୨୦ ଲକ୍ଷ କୋଭିସିଲ୍‌ଡ୍‌ ଡୋଜ୍‌ ଓ ଭାରତ ବାୟୋଟେକ୍‌କୁ ୧୦.୩୪ ଲକ୍ଷ କୋଭାକ୍ସିନ୍ ଡୋଜ୍‌ କିଣିବା ପାଇଁ ଅର୍ଡର୍‌ ଦେଇଛୁ। କିନ୍ତୁ ବର୍ତ୍ତମାନ ସୁଦ୍ଧା ମାତ୍ର ୫,୭୮,୪୮୦ ଡୋଜ୍‌ କୋଭିସିଲ୍‌ଡ୍‌ ଓ ୧,୬୫,୪୯୦ ଡୋଜ୍‌ କୋଭାକ୍ସିନ୍ ଯୋଗାଣ ହୋଇଛି। ରାଜ୍ୟରେ ଟିକାର ବହୁତ ଆବଶ୍ୟକତା ଥିଲା ବେଳେ ଯୋଗାଣ ଆଦୌ ଉତ୍ସାହଜନକ ନୁହେଁ।

Leave A Reply

Your email address will not be published.