ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଲେ ପାଣ୍ଡିଆନ: ବିରୋଧୀ ଦଳ ନେତାଙ୍କ ପ୍ରତିକ୍ରିୟା

0

ଭୁବନେଶ୍ବର, ୨୫/୧୦: ବରିଷ୍ଠ ଆଇଏଏସ୍‌ ଅଧିକାରୀ ଭି କାର୍ତ୍ତିକେୟ ପାଣ୍ଡିଆନଙ୍କ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ଖବରକୁ ନେଇ ବିରୋଧୀ ଦଳର ନେତାମାନଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି।

ଏନେଇ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ କୁମାର ପଟ୍ଟନ‌ାୟକ କଟାକ୍ଷ କରି କହିଛନ୍ତି, ଭି କେ ପାଣ୍ଡିଆନଙ୍କ ଅବସର ପରେ ଓଡ଼ିଶା କ୍ୟାଡର ଆଇଏଏସର ଏକ ଅଣଗୌରବମୟ ଅଧ୍ୟାୟ ସମାପ୍ତ ହୋଇଛି।

ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଯେତେବେଳେ ଭୁବନେଶ୍ବର ଆସିଥିଲେ ସେତେବେଳେ ଭି କାର୍ତ୍ତିକେୟ ପାଣ୍ଡିଆନଙ୍କ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ପାଇଁ ତାଙ୍କୁ ଅନୁରୋଧ କରିଥିଲେ। ତେଣୁ ଭି କାର୍ତ୍ତିକେୟ ପାଣ୍ଡିଆନଙ୍କ ସ୍ବେଚ୍ଛାକୃତ ଅବସର ଆବେଦନକୁ କେନ୍ଦ୍ର ସରକାର ତତକ୍ଷଣାତ୍ ଗ୍ରହଣ କରିଛନ୍ତି।

କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା କହିଛନ୍ତି, କିଛି ଗୋଟାଏ ସମସ୍ୟା ଅଛି, ଯେଉଁଥିପାଇଁ ଭି କାର୍ତ୍ତିକେୟ ପାଣ୍ଡିଆନ୍‌ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଛନ୍ତି। ଯଦି ଭି କାର୍ତ୍ତିକେୟ ପାଣ୍ଡିଆନ୍‌ ଓଡ଼ିଶାର ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରନ୍ତି, ତେବେ  ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଛୁଟି ସମୟରେ ମାତ୍ର ୩ ଦିନ ଭିତରେ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସରକୁ ଅନୁମୋଦନ କରାଯାଇଛି। ଏହା ସୁପରଫାଷ୍ଟ।

ଅପରପକ୍ଷରେ ବରିଷ୍ଠ ବିଜେପି ନେତା ଯତୀନ ମହାନ୍ତି କହିଛନ୍ତି, ଭି କାର୍ତ୍ତିକେୟ ପାଣ୍ଡିଆନ୍‌ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ଘଟଣାରେ ବିସ୍ମିତ ହେବାର କିଛି ନାହିଁ। ସେ ଏହି ଯୋଜନା କରି ରାଜନୀତିକୁ ଆସିବେ ବୋଲି ସମସ୍ତଙ୍କୁ ଜଣାଥିଲା।

ଉଲ୍ଲେଖଯୋଗ୍ୟ, ଶ୍ରୀ ପାଣ୍ଡିଆନ୍‌ଙ୍କ ସ୍ବେଚ୍ଛାକୃତ ଅବସରକୁ କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ମଂଜୁର କରିବା ପରେ ତାଙ୍କର ୨୩ ବର୍ଷର ପ୍ରଶାସନିକ କ୍ୟାରିୟରରେ ଡୋରି ବନ୍ଧା ହୋଇଛି। ତାମିଲନାଡୁରେ ୧୯୭୪ ମେ’ ୨୯ରେ ଜନ୍ମଗ୍ରହଣ କରିଥିବା ଶ୍ରୀ ପାଣ୍ଡିଆନ୍‌ ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନରୁ ଉଭୟ ସ୍ନାତକ ଓ ସ୍ନାତକୋତ୍ତର ବିଷୟରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ ସେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଭାରତୀୟ ପ୍ରଶାସନିକ ସେବାରେ କ୍ୟାରିୟର ଆରମ୍ଭ କରିଥିଲେ।

Leave A Reply

Your email address will not be published.