ଓଡ଼ିଶାରେ ବାତ୍ୟା ଭୟ ନାହିଁ, ତଥାପି ଆମେ ପ୍ରସ୍ତୁତ: ଏସଆରସି

0

ଭୁବନେଶ୍ବର, ୨୧।୧୦: “ସମ୍ଭାବ୍ୟ ବାତ୍ୟାକୁ ନେଇ ଭୟଭୀତ ହେବାର କାରଣ ନାହିଁ । ଏହା ଓଡ଼ିଶା ଛୁଇଁବାର ନାହିଁ । ଓଡ଼ିଶା ଉପକୂଳରୁ ପ୍ରାୟ ୨୦୦କିମି ଦୂରରେ ସମୁଦ୍ର ଭିତରେ ସମାନ୍ତରାଳ ହୋଇ ବାଂଲାଦେଶ ଅଭିମୁଖେ ଅତିକ୍ରମ କରିବ । ତେଣୁ ସାଧାରଣ ଲୋକେ ଆତଙ୍କିତ ହୁଅନ୍ତୁ ନାହିଁ କିମ୍ବା ଗଣମାଧ୍ୟମ ବି ବାତ୍ୟା ସଂକ୍ରାନ୍ତରେ ହଟଚମଟ ସୃଷ୍ଟି କଲାଭଳି ଖବର ପରିବେଷଣ ନକରୁ । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।” ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ସରକାରଙ୍କ ପକ୍ଷରୁ ଏଭଳି ଆଶ୍ୱସନା ଦେଇଛନ୍ତି ।

ଶ୍ରୀ ଜେନା ଆଜି ଗଣମାଧ୍ୟମ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଓ ସେମାନଙ୍କର ଆକଳନ ଅନୁସାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଆସନ୍ତାକାଲି ସୁଦ୍ଧା ଅବପାତ ଓ ୨୩ତାରିଖ ସୁଦ୍ଧା ତୀବ୍ର ଅବପାତ ଏବଂ ୨୪ତାରିଖ ସୁଦ୍ଧା ସାମୁଦ୍ରିକ ଝଡ଼ର ରୂପ ନେବ । ଏହି ସମ୍ଭାବ୍ୟ ବାତ୍ୟା ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଓଡ଼ିଶା ଉପକୂଳର ୨୦୦କିମି ଦୂରରେ ସମାନ୍ତରାଳ ଭାବେ ଗତି କରି ୨୫ତାରିଖ ସନ୍ଧ୍ୟା ସୁଦ୍ଧା ବାଂଲାଦେଶରେ ଉପକୂଳ ଛୁଇଁବ । ତେଣୁ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବାର କୌଣସି ସମ୍ଭାବନା ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି । ତେଣୁ ସମ୍ଭାବ୍ୟ ବାତ୍ୟାକୁ ନେଇ କୌଣସି ହଟଚମଟ ସୃଷ୍ଟି କଲାଭଳି ଖବର ପରିବେଷଣ ନକରିବାକୁ ଶ୍ରୀ ଜେନା ରାଜ୍ୟର ଗଣମାଧ୍ୟମଗୁଡ଼ିକୁ ପରାମର୍ଶ ଦେଇଛନ୍ତି । ଏହା ସହିତ ସାଧାରଣ ଲୋକଙ୍କୁ ଆତଙ୍କିତ ନହେବା ପାଇଁ କହିଛନ୍ତି ।

ସେ କହିଛନ୍ତି ଯେ, ବାତ୍ୟା ଓଡ଼ିଶା ଉପକୂଳ ନଛୁଇଁଲେ ମଧ୍ୟ ରାଜ୍ୟ ସରକାର ପ୍ରାକୃତିକ ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ୮ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯିବା ସହ ଆବଶ୍ୟକୀୟ ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଏହି ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳରେ ପ୍ରବେଶ କରିବ ନାହିଁ ସତ, କିନ୍ତୁ ଏହା ସମୁଦ୍ର ମଧ୍ୟରେ ସମାନ୍ତରାଳ ଭାବେ ବାଂଲାଦେଶ ଅଭିମୁଖେ ଅତିକ୍ରମ କରିବାବେଳେ ଧାମରାର ପୂର୍ବ ଦିଗରେ ଏହା ସବୁଠୁ କମ୍ ୨୦୦କିମି ଦୂର ବ୍ୟବଧାନରେ ଅତିକ୍ରମ କରିବ ।

ପାଣିପାଗର ବିଭାଗର ପୂର୍ବାନୁମାନ ଅନୁସାରେ ଏହାର ପ୍ରଭାବରେ ସମୁଦ୍ର ଉପକୂଳବର୍ତ୍ତୀ ଜିଲ୍ଲା ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱରରେ ଘଣ୍ଟା ପ୍ରତି ୫୦ରୁ ୬୦କିମି ବେଗରେ ପବନ ବୋହିବ ଓ ଅନ୍ୟ ଉପକୂଳ ଜିଲ୍ଲାଗୁଡ଼ିକରେ ଘଣ୍ଟା ପ୍ରତି ୩୦ରୁ ୪୦କିମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି । ତେବେ ରାଜ୍ୟରେ କିଛି ଅଂଚଳରେ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ରହିଛି ବୋଲି ଶ୍ରୀ ଜେନା କହିଛନ୍ତି ।

ରାଜ୍ୟ ସରକାର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଓ ସମସ୍ତ ପ୍ରକାରର ପ୍ରସ୍ତୁତି କରିଛନ୍ତି । ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳ ନଛୁଇଁ ବାଂଲାଦେଶ ଅଭିମୁଖେ ଯିବ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନ ସତ୍ତ୍ୱେ ରାଜ୍ୟ ସରକାର ନିଜର ପ୍ରସ୍ତୁତି କରିଛନ୍ତି । ଏଥିପାଇଁ ଆଜି ଓଡ୍ରାଫ, ଏନଡିଆରଏଫ, ଫାୟାର ସର୍ଭିସ, କୋଷ୍ଟ ଗାର୍ଡ ଓ ଇଣ୍ଡିଆନ ନାଭିର ଅଧିକାରୀମାନଙ୍କ ସହ ଏସଆରସି ଶ୍ରୀ ଜେନା ନିଜେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ଆଗୁଆ ପ୍ରସ୍ତୁତି କରିଛନ୍ତି । କେତେକ ସ୍ଥାନରେ ଓଡ୍ରାଫ, ଏନଡିଆରଏଫ ଓ ଫାୟାର ସର୍ଭିସର ଯବାନମାନଙ୍କୁ ମୁତୟନ କରାଯିବ । ଯାହାଫଳରେ ତତ୍କାଳ ମୁକାବିଲା ସମ୍ଭବପର ହୋଇପାରିବ । ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳ ନଛୁଇଁଲେ ମଧ୍ୟ ଜିଲ୍ଲାପାଳମାନଙ୍କୁ ନିଜ ନିଜ ସ୍ତରରେ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ୨୨ତାରିଖ ସକାଳ ସୁଦ୍ଧା କୂଳକୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି ଓ ୨୬ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବାକୁ କୁହାଯାଇଛି ।

ଶ୍ରୀ ଜେନା ବଜାରରେ ଅଯଥା ଭିଡ଼ ନକରିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି । ସମ୍ଭାବ୍ୟ ବାତ୍ୟା ଓଡ଼ିଶାରେ ପ୍ରବେଶ କରୁନଥିବାରୁ ଦୋକାନବଜାର ସ୍ୱାଭାବିକ ଖୋଲା ରହିବ । ତେଣୁ ବାତ୍ୟାକୁ ନେଇ ଅଯଥା ଦୋକାନବଜାର ଭିଡ଼ ନକରିବା ଓ ଆତଙ୍କିତ ନହେବାକୁ ସେ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.