ସୃଷ୍ଟି ହେଲା ଗଭୀର ଅବପାତ, ୧୨ ଘଣ୍ଟାରେ ବାତ୍ୟା ରୂପ ନେବ

0

ଭୁବନେଶ୍ବର, ୨୩।୧୦: ବଙ୍ଗୋପସାଗରରେ ବଳ ଗୋଟାଉଛି ସମ୍ଭାବ୍ୟ ବାତ୍ୟା ‘ସିତ୍ରାଙ୍ଗ’। ଗତକାଲି ସୃଷ୍ଟି ହୋଇଥିବା ଅବପାତ ଆଜି ଗଭୀର ଅବପାତରେ ପରିଣତ ହୋଇ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଗତକାଲିର ଅବପାତ ଘନୀଭୂତ ହୋଇ ଆଜି ସକାଳ ସମୟରେ ଗଭୀର ଅବପାତର ରୂପ ନେଇ ପୂର୍ବ କେନ୍ଦ୍ରୀୟବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି। ଆସନ୍ତା ୧୨ ଘଣ୍ଟାରେ ଏହା ବାତ୍ୟାରେ ପରିଣତ ହେବ।  ପରେ ଏହା ମୋଡ଼ ବଦଳାଇ ଉତ୍ତର ପୂର୍ବ ଦିଗରେ ଗତିକରି ବାଂଲାଦେଶ ଉପକୂଳ ଅତିକ୍ରମ କରିବ। ଆସନ୍ତା ୨୫ ତାରଖର ତିନ୍‌କୋନା ଓ ସାନଦୀପ ଅଞ୍ଚଳରେ ଏହା ଉପକୂଳ ଅତିକ୍ରମ କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଏହା ପ୍ରଭାବରେ ୨୩ ରାତିରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହେବ। ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୨୪ରୁ ୨୫ ତାରିଖ ଭିତରେ ଓଡ଼ିଶା ଉପକୂଳ ଦେଇ ବାତ୍ୟା ଅତିକ୍ରମ କରିବା ସମୟରେ ଉପକୂଳ ଅଞ୍ଚଳରେ ବର୍ଷାର ପରିମାଣ ବଢ଼ିବା ସହ ପବନ ବି ବଢ଼ିବ। ତେଣୁ ୨୪ ତାରିଖରେ ୫ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର।

ଏହାସହ ୨୫ ତାରିଖରେ ଉତ୍ତର ଉପକୂଳର ୩ ଜିଲ୍ଲା- ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସହ ତଟବର୍ତ୍ତୀ ଅଞ୍ଚଳରେ ଘଣ୍ଟାପ୍ରତି  ୭୦ କିଲୋମିଟର ବେଗରେ ପବନ ବୋହିବାର ଆକଳନ କରିଛି ପାଣିପାଗ କେନ୍ଦ୍ର।

 

Leave A Reply

Your email address will not be published.