ଆସନ୍ତାକାଲି ସକାଳେ ଧାମରା ନିକଟରେ ଲ୍ୟାଣ୍ଡଫଲ୍‌ କରିବା ବାତ୍ୟା ‘ୟାସ୍’: ମୁକାବିଲା ପାଇଁ ପ୍ରସ୍ତୁତି ସାରିଛି ଓଡ଼ିଶା

0

ଭୁବନେଶ୍ବର, ୨୫।୫: ଆଉ କେଇ ଘଣ୍ଟାରେ ଓଡ଼ିଶା ସାମ୍‌ନା କରିବ ଆଉ ଏକ ବାତ୍ୟା ‘ୟାସ୍’। ବାତ୍ୟା ‘ୟାସ୍’ ବୁଧବାର ପାରାଦୀପ ଓ ସାଗର ଦ୍ବୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରାଯାଇଛି। ବୁଧବାର ସକାଳେ ଧାମରା ନିକଟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ୟାସ୍‌। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।  ଏନେଇ ସ୍ବତନ୍ତ୍ର ରିଲିଫ୍ କମିସନର ଆବଶ୍ୟକ ପ୍ରସ୍ତୁତି ସାରିଥିବ‌ା ବେଳେ ପ୍ରତିକ୍ରିୟା ରଖିଛନ୍ତି ।

ଏସଆରସି କହିଛନ୍ତି, ଭିତରକନିକା, ଚାନ୍ଦବାଲି ଓ ଧାମରାରେ ବାତ୍ୟା ଲ୍ୟାଣ୍ଡଫଲ କରିବ ବୋଲି ଆକଳନ କରି ପ୍ରସ୍ତୁତି ଆରମ୍ଭ ହୋଇଛି । କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ଵରକୁ ହାଇ ଜୋନରେ ରଖାଯାଇଛି । କେନ୍ଦୁଝର, ମୟୁରଭଞ୍ଜକୁ ମଧ୍ୟ ଆଲର୍ଟ କରାଯାଇଛି । ସେହିପରି ସୁନ୍ଦରଗଡର ଲହୁଣୀପଡା ଓ ବଣେଇ, ଢେଙ୍କାନାଳର ୩ ବ୍ଲକ୍ କଙ୍କଡାହାଡ଼, ଭୁବନ, କାମାକ୍ଷାନଗର ଓ ଅନୁଗୋଳର ପାଲଲହଡା ଓ କଣିହାଁ ଆଦି ବ୍ଲକକୁ ଆଲର୍ଟ ରହିବା ପାଇଁ କୁହାଯାଇଛି । ୩୦ଟି ଜିଲ୍ଲାରେ ୫୦ ମିଲିମିଟର ବର୍ଷା ହୋଇଛି । ଜଗତସିଂହପୁରରେ ସର୍ବାଧିକ ବର୍ଷା ହୋଇଛି । ବର୍ତ୍ତମାନଠୁ ପବନ ଆରମ୍ଭ ହୋଇଛି । ମଙ୍ଗଳବାର ଅପରାହ୍ନରୁ ପବନର ବେଗ ଆହୁରି ବଢ଼ିବ । ୫୦ରୁ ୬୦ ହଜାର ଲୋକ ବର୍ତ୍ତମାନ ସୁଦ୍ଧା ସ୍ଥାନାନ୍ତରିତ ହୋଇସାରିଛନ୍ତି ।

ସେହିଭଳି ୮୬୦ ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ରହିଛି ଓ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳ ବି ପ୍ରସ୍ତୁତ ଅଛି । ୬୯୦୦ ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ କରି ରଖିଛୁ । ଯେଉଁଥିରେ ୭.୫୦ ଲକ୍ଷ ଲୋକଙ୍କୁ ରଖିପାରିବୁ । ଏହା ବାଦ୍ ପବ୍ଲିକ ବିଲିଡଂଗୁଡିକୁ ଖୋଲା ରଖିବା ପାଇଁ ଆମେ ନିର୍ଦ୍ଦେଶ ଦେଇଛୁ । ଯାହାଦ୍ବାରା ଯେଉଁମାନେ ଶେଷ ମୁହୂର୍ତ୍ତରେ ଚାହିଁବେ ସେମାନଙ୍କୁ ସ୍ଥାନାନ୍ତର କରାଯିବ । ୭୧୦ ଡ଼ିଜି ସେଟ ପଠାଯାଇଛି, ୮୧୩ ଟ୍ୟାଙ୍କର ପଠାଯାଇଛି । ବିଦ୍ୟୁତ ବିଭାଗ ପ୍ରସ୍ତୁତ ରହିଛି । ବିଦ୍ୟୁତ ବିଭାଗର ୧୦ ହଜାର ଲୋକ ମୁତୟନ ହୋଇ ସାରିଛନ୍ତି । ଆଉ ୨ ହଜାର ଲୋକ ଖୁବଶୀଘ୍ର ପହଞ୍ଚିବେ । ସ୍ବାସ୍ଥ୍ୟ ବିଭାଗ ମଧ୍ୟ ପ୍ରସ୍ତୁତ ରହିଛି । ୩୦୮ ହେଲଥ ଟିମ୍ ଗଠନ କରାଯାଇଛି । ୨୧୫ ଜେନେରେଟର ରହିଛି । ୪୫୦୦ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର କରିବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଏସ୍‌ଆର୍‌ସି କହିଛନ୍ତି।

 

Leave A Reply

Your email address will not be published.