ଆଜିଠାରୁ ଆରମ୍ଭ ହେଲା ୟୁ-ଟ୍ୟୁବରେ ପାଠପଢ଼ା

0

ଭୁବନେଶ୍ୱର,୨୧।୬: ସୋମବାରଠାରୁ ୟୁ-ଟ୍ୟୁବ୍‌ରେ ପାଠ ପଢ଼ିବେ ଛାତ୍ରଛାତ୍ରୀ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧୀକରଣ(ଓସେପା) ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଜିଲ୍ଲା ସ୍ତରରେ ଗୋଟିଏ ଲେଖାଏ ସ୍କୁଲ ଚୟନ କରାଯାଇ ସମ୍ପୃକ୍ତ ସ୍କୁଲରେ ୟୁ-ଟ୍ୟୁବରେ ସିଧା ପ୍ରସାରଣ ବ୍ୟବସ୍ଥା ହୋଇଛି। ଏଥିଲାଗି ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯିବା ସହିତ କାର୍ଯ୍ୟକ୍ରମ ସଫଳ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପକ୍ଷରେ ଏହାର ସଫଳତା ନେଇ ପ୍ରଶ୍ନ ଉଠାଇଛି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)। ଏବେବି ରାଜ୍ୟର ସରକାରୀ ସ୍କୁଲଗୁଡିକରେ ପଢ଼ୁଥିବା ୭୮% ଛାତ୍ରଛାତ୍ରୀଙ୍କ ନିକଟରେ ଇଣ୍ଟରନେଟ୍‌ ସୁବିଧା ନାହିଁ। ଗତବର୍ଷର ଅନ୍‌ଲାଇନ୍‌ ଶିକ୍ଷାଦାନ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ସୂଚନା ଦିଆଯାଇଥିଲା। ତେଣୁ ପୁରୁଣା ଅଭିଜ୍ଞତାରୁ ୟୁଟ୍ୟୁବ କିମ୍ବା ଅନଲାଇନ୍‌ ପାଠପଢ଼ା ବ୍ୟତୀତ ଟେଲିଭିଜନ ଚ୍ୟାନେଲ୍‌ ମାଧ୍ୟମରେ ଶିକ୍ଷାଦାନକୁ ସରକାର ଅଧିକ ଗୁରୁତ୍ୱ ଦେବାକୁ ଓଷ୍ଟା ଦାବି କରିଛି ।

ଓଷ୍ଟା ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି, କରୋନା ପ୍ରଥମ ଲହର ବେଳେ ସରକାରୀ ଭାବେ ଅନ୍‌ଲାଇନ୍‌ ବ୍ୟବସ୍ଥାରେ ଶତକଡ଼ା ୨୦ରୁ ୨୨ଭାଗ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା କୁହାଯାଇଥିଲା । ହେଲେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ । ଗ୍ରାମାଞ୍ଚଳରେ ୧୦ ଶତକଡ଼ାରୁ କମ୍‌ ଓ ସହରାଞ୍ଚଳରେ ୨୦ ଶତକଡ଼ାରୁ କମ୍‌ ଶିକ୍ଷାର୍ଥୀ ଅନଲାଇନ୍‌ ଶିକ୍ଷାର ଉପଯୋଗ କରିପାରୁଥିଲେ । ହେଲେ ଏଥିରୁ କିଛି ଶିକ୍ଷାଲାଭ କଲାନି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଚଳିତବର୍ଷ ପୁଣି ଅନଲାଇନ୍‌ କିମ୍ବା ୟୁଟ୍ୟୁବ୍‌ କ୍ଲାସକୁ ଗୁରୁତ୍ୱ ଦିଆଯାଇଛି । ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ ଅଧିକ ସମୟ ଇଣ୍ଟରନେଟ୍‌ ବ୍ୟବହାର କରିପାରିବେ ନାହିଁ । ସବୁ ପିଲାଙ୍କର ବି ନିଜସ୍ୱ ଆଣ୍ଡ୍ରଏଡ୍‌ ଫୋନ୍‌ ନାହିଁ । ତେଣୁ ଟେଲିଭିଜନ ଚ୍ୟାନେଲ ମାଧ୍ୟମରେ ଶିକ୍ଷାଦାନ ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି ।

 

Leave A Reply

Your email address will not be published.