କରୋନା ଟିକା ଜାଇକୋଭ୍-ଡିକୁ ମିଳିଲା ଜରୁରୀକାଳୀନ ବ୍ୟବହାର ଅନୁମତି

0

ନୂଆଦିଲ୍ଲୀ, ୨୦।୮: ଜାଇଡସ କାଡିଲାର କରୋନା ଟିକା ଜାଇକୋଭ୍-ଡିକୁ ଜରୁରୀକାଳୀନ ବ୍ୟବହାର ଅନୁମତି ଦେଇଛନ୍ତି ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) । ଏହା ପୂର୍ବରୁ ଆଜି ଡିସିଜିଆଇଙ୍କ ବିଶେଷଜ୍ଞ କମିଟି ଏହି ଟିକାର ମଂଜୁରୀ ପାଇଁ ସୁପାରିଶ କରିଥିଲା। ଏହା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ୨ୟ ଟିକା। ଏହାକୁ ମଧ୍ୟ ବିଶ୍ବର ପ୍ରଥମ ଡିଏନଏ ଭିତ୍ତିକ କରୋନା ଟିକା ବୋଲି କୁହାଯାଉଛି । ଏହି ଟିକାକୁ ୧୨ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ ଦିଆଯାଇପାରିବ । କାଡିଲା କମ୍ପାନି ଏହି ଟିକାକୁ ଭାରତ ସରକାରଙ୍କ ଜୈବ ପ୍ରଯୁକ୍ତି ବିଭାଗ ସହଯୋଗିତାରେ ପ୍ରସ୍ତୁତ କରାଯାଇଛି । ସରକାରଙ୍କ ‘ମିଶନ କୋଭିଡ୍ ସୁରକ୍ଷା’ କାର୍ଯ୍ୟକ୍ରମ ଅଧିନରେ ଏହି ଟିକାକୁ ବିକାଶ କରାଯାଇଛି ।
ଜରୁରୀକାଳୀନ ବ୍ୟବହାର ଅନୁମତି ପାଇଁ ଜାଇଡସ୍ କାଡିଲା ଗତ ଜୁଲାଇ ୧ରେ ଡିସିଜିଏ ନିକଟରେ ଆବେଦନ କରିଥିଲା । ଦେଶବ୍ୟାପୀ ପ୍ରାୟ ୨୮ ହଜାର ସ୍ବେଚ୍ଛାସେବୀଙ୍କ ଉପରେ ପରୀକ୍ଷଣ କରିବା ପରେ କମ୍ପାନି ଅନୁମତି ପାଇଁ ଆବେଦନ କରିଥିଲା । ଏହି ପରୀକ୍ଷଣରେ ଟିକାଟି ପ୍ରାୟ ୬୬.୬ ପ୍ରତିଶତ ଫଳପ୍ରଦ ବୋଲି ପ୍ରମାଣିତ ହୋଇଥିବା କମ୍ପାନି ଦାବି କରିଛି । ତେବେ ଏହି ପରୀକ୍ଷଣ ତଥ୍ୟ ଏପର୍ଯ୍ୟନ୍ତ ପିଅର ରିଭ୍ୟୁ (ବିଶେଷଜ୍ଞଙ୍କ ଦ୍ବାରା ସମୀକ୍ଷା) କରାଯାଇନାହିଁ । କାଡିଲାର ଏହି ଟିକାକୁ ୩ ଟି ମାତ୍ରାରେ ଦିଆଯିବ । କିନ୍ତୁ ୨ଟି ମାତ୍ରା ନିମନ୍ତେ ଅନୁମତି ପାଇଁ କମ୍ପାନି ଅତିରିକ୍ତ ତଥ୍ୟ ପ୍ରଦାନ କରିବା ଆବଶ୍ୟକ ବୋଲି ବିଶେଷଜ୍ଞ କମିଟି କହିଛି ।

Leave A Reply

Your email address will not be published.