ଭାରତରେ କରୋନା ସକ୍ରିୟ ମାମଲାରେ କ୍ରମାଗତ ହ୍ରାସ
ଲଗାତର ଦଶମ ଦିନରେ ସକ୍ରିୟ ମାମଲା 10 ଲକ୍ଷରୁ କମ୍ ରହିଛି
ଭାରତରେ କରୋନା ସକ୍ରିୟ ମାମଲା ସଂଖ୍ୟା କ୍ରମାଗତ 10 ଲକ୍ଷରୁ ତଳେ ରହିଛି । କ୍ରମାଗତ ଦଶମ ଦିନ ପାଇଁ ଦେଶରେ ସକ୍ରିୟ ମାମଲା 10 ଲକ୍ଷ ତଳେ ରହିଛି । ଦେଶରେ ପ୍ରତିଦିନ ଅଧିକରୁ ଅଧିକ ସଂଖ୍ୟାରେ କରୋନା ଆକ୍ରାନ୍ତ ସୁସ୍ଥ ହେବାରେ ଲାଗିଛନ୍ତି । ଏହି ସଂଖ୍ୟାର ହାର ବୃଦ୍ଧି ପାଇବାରେ ଲାଗିଛି । ଗତ 24 ଘଣ୍ଟାରେ ଦେଶରେ 85,376 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି ।
ଭାରତରେ ଆଜିସୁଦ୍ଧା ମୋଟ ସୁସ୍ଥଙ୍କ ସଂଖ୍ୟା 52,73,201ରେ ପହଞ୍ଚିଛି । ପ୍ରତିଦିନ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜାତୀୟ ସୁସ୍ଥତା ହାର ମଧ୍ୟ ବୃଦ୍ଧି ପାଉଛି । ଜାତୀୟ ସୁସ୍ଥତା ହାର ଏବେ 83.53%ରେ ରହିଛି ।
ମୋଟ ସୁସ୍ଥଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ 12 ଦିନରେ 10 ଲକ୍ଷ ଆକ୍ରାନ୍ତ ସୁସ୍ଥ ହୋଇପାରିଛନ୍ତି । ମୋଟ ସୁସ୍ଥଙ୍କ ମଧ୍ୟରୁ 77 ପ୍ରତିଶତ 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛନ୍ତି ।
ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଏହା ପଛକୁ ଅଛନ୍ତି ଆନ୍ଧ୍ର ପ୍ରଦେଶ ଓ ତାମିଲନାଡ଼ୁ ।
ଦେଶରେ ଏବେ ସକ୍ରିୟ କରୋନା ମାମଲା 9,40,705ରେ ଅଛି । 2020 ସେପ୍ଟେମ୍ବର 11ରେ ମଧ୍ୟ ଦେଶରେ ସକ୍ରିୟ ମାମଲା ସଂଖ୍ୟା 9.4 ଲକ୍ଷ ଥିଲା ।
ମୋଟ ସକ୍ରିୟ ମାମଲାରୁ 76 ପ୍ରତିଶତ 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି । ଦେଶରେ ମୋଟ ପଜିଟିଭ୍ ସଂଖ୍ୟାର ମାତ୍ର 14.90% ଏବେ ସକ୍ରିୟ ମାମଲା ଭାବେ ରହିଛି ।
ଗତ 24 ଘଣ୍ଟା ମଧ୍ୟରେ ଦେଶରେ 86,821ଟି ନୂଆ ପଜିଟିଭ୍ ମାମଲା ଆସିଛି । ନୂତନ ମାମଲା ଗୁଡ଼ିକ ମଧ୍ୟରୁ 76% କେବଳ 10ଟି ରାଜ୍ୟରୁ ଆସିଛି । ନୂଆ ମାମଲା ଗୁଡ଼ିକ ମଧ୍ୟରେ କେବଳ ମହାରାଷ୍ଟ୍ରରୁ ଆସିଛି 18 ହଜାର ମାମଲା । କର୍ଣ୍ଣାଟକ ଏବଂ କେରଳରୁ 8 ହଜାର ଲେଖାଏଁରୁ ଅଧିକ ମାମଲା ଆସିଛି ।
ଗତ 24 ଘଣ୍ଟା ମଧ୍ୟରେ ଦେଶରେ 1181ଟି ମୃତ୍ୟୁ ମାମଲା ହୋଇଛି । ଏଥିରୁ 82% ମୃତ୍ୟୁ 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ହୋଇଛି । ଗତକାଲି ହୋଇଥିବା ମୃତ୍ୟୁର 40% ଅର୍ଥାତ୍ 481ଟି ମହାରାଷ୍ଟ୍ରରୁ ଏବଂ 87ଟି କର୍ଣ୍ଣାଟକରୁ ହୋଇଛି ।
Comments are closed.