କୋଭିଡ ସଂକ୍ରମଣକୁ ନିୟନ୍ତ୍ରଣରେ ରଖି ମୃତ୍ୟୁହାର ଶତକଡା 1 ପ୍ରତିଶତରୁ କମ କରିବାକୁ ରାଜ୍ୟଗୁଡିକୁ କେନ୍ଦ୍ରର ପରାମର୍ଶ
କେନ୍ଦ୍ର କ୍ୟାବିନେଟ ସଚିବ 9ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର କରୋନା ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବମାନଙ୍କ ସହ ଆଜି ଭିଡିଓ କାନଫରେନ୍ସ ମାଧ୍ୟମରେ ସ୍ଥିତି ସମୀକ୍ଷା କରିଛନ୍ତି । ଏହି ରାଜ୍ୟଗୁଡିକ ହେଲା ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ତେଲଙ୍ଗାନା, ଗୁଜରାଟ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ପଞ୍ଜାବ, ଆନ୍ଧ୍ରପ୍ରଦେଶ ଏବଂ ଜମ୍ମୁ ଓ କଶ୍ମୀର । ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ, ଆଇସିଏମଆର ମହାନିର୍ଦ୍ଦେଶକ ଓ ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ମଧ୍ୟ ଯୋଗଦେଇଥିଲେ ।
ଏହି ରାଜ୍ୟଗୁଡ଼ିକର କୋଭିଡ-19 ସମ୍ପର୍କିତ ସ୍ଥିତି ଉପରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଆଲୋକପାତ କରିଥିଲେ । ସେସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନମୁନା ପରିକ୍ଷାକୁ ଜୋରଦାର କରାଯିବା ସହ ଘରୋଇ ଏକାନ୍ତବାସ, ନିରୀକ୍ଷଣ, ଆବଦ୍ଧାଞ୍ଚଳ ପରିଚାଳନା, ଚିହ୍ନଟ, ଆମ୍ବୁଲାନ୍ସର ଉପଲବ୍ଧତା, ହସ୍ପିଟାଲ ଶଯ୍ୟା ଓ ଉପଚାର ନିୟମାବଳୀ ଅନୁପାଳନ କରାଯାଉଥିବା ଉପରେ ସୂଚନା ଦେଇଥିଲେ । ଗତ ଦୁଇ ସପ୍ତାହ ମଧ୍ୟରେ ଶତକଡା 89 ଭାଗ କୋଭିଡ-19 ଜନିତ ମୃତ୍ୟୁ ଏହି 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହୋଇଥିବା ଲକ୍ଷ୍ୟ କରାଯାଇଥିବାରୁ ଏହାକୁ ରୋକିବା ପାଇଁ କେତେକ କଠୋର ପଦକ୍ଷେପ ନେବାର ଆବଶ୍ୟକତା ଉପୁଜିଛି । ମୃତ୍ୟୁହାର ଶତକଡା 1 କୁ ହ୍ରାସ କରିବା ଲାଗି ନିମ୍ନଲିଖିତ ପଦକ୍ଷେପ ନେବାକୁ ପରାମର୍ଶ ମଧ୍ୟ ଦିଆଯାଇଛି । ସେଗୁଡିକ ହେଲା –
- ଦକ୍ଷ ଆବଦ୍ଧାଞ୍ଚଳ ପରିଚାଳନା, ଚିହ୍ନଟ ଓ ନିରୀକ୍ଷଣ
- ନୂଆକରି ସଂକ୍ରମିତ ହେଉଥିବା ଅନ୍ୟୁନ ଶତକଡା 80 ଭାଗ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ 72 ଘଣ୍ଟା ମଧ୍ୟରେ ଚିହ୍ନଟ କରିବା
- ସମସ୍ତ ଜିଲ୍ଲାରେ ଦିନକୁ ନିୟୁତ ପିଛା ଅନ୍ୟୁନ 140ଟି ପରୀକ୍ଷା ସୁନିଶ୍ଚିତ କରିବା, ଯେପରି ସଂକ୍ରମଣ ହାର ଶତକଡା 5ରୁ ନିମ୍ନରେ ରହେ, ତାହା ଦେଖିବାକୁ ହେବ
- ଆବଦ୍ଧାଞ୍ଚଳରେ ଆଣ୍ଟିଜେନ ଟେଷ୍ଟ କରିବା ସହ ନେଗେଟିଭ ବାହାରୁଥିବା ସମସ୍ତ ଲକ୍ଷଣଯୁକ୍ତ ବ୍ୟକ୍ତିଙ୍କ ଆରଟିପିସିଆର କରିବା
- ଘରୋଇ ଏକାନ୍ତବାସରେ ରହୁଥିବା ରୋଗୀମାନଙ୍କ ନିୟମିତ ଯାଞ୍ଚ (ଫୋନ ଓ ପରିଦର୍ଶନ ଜରିଆରେ) ଏବଂ ଅମ୍ଳଜାନ ସ୍ତର ନିର୍ଦ୍ଦିଷ୍ଟ ସ୍ତରରୁ ତଳକୁ ଖସିଲେ ଉପଯୁକ୍ତ ସମୟରେ ହସ୍ପିଟାଲରେ ଭର୍ତ୍ତି
- ହସ୍ପିଟାଲ ବେଡ ଓ ଆମ୍ବୁଲାନ୍ସ ସୁବିଧା ସମ୍ପର୍କିତ ତଥ୍ୟ ନେଇ ଜନସାଧାରଣଙ୍କୁ ଅବଗତ କରାଇବା ଓ ଆମ୍ବୁଲାନ୍ସ ସେବା ଠିକ ସମୟରେ ଯୋଗାଇବା
- ସମସ୍ତ ସକ୍ରିୟ ମାମଲାଗୁଡିକର ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା
- 60 ବର୍ଷରୁ ଉର୍ଦ୍ଧ୍ଵ ବା ଅନ୍ୟାନ୍ୟ ପୁରାତନ ରୋଗରେ ପୀଡିତ ରୋଗୀଙ୍କ ସମେତ ମୃତ୍ୟୁବରଣ କରୁଥିବା ରୋଗୀଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରତି ସପ୍ତାହରେ ବିଶ୍ଳେଷଣ କରିବା
- ମାମଲା ବୃଦ୍ଧି ସହିତ ଉତ୍ସର୍ଗୀକୃତ ସେବା କେନ୍ଦ୍ରରେ ଆନୁସଙ୍ଗିକ ସୁବିଧା ଉନ୍ନୀତ କରିବା
- ଆବଶ୍ୟକ ଔଷଧ, ମାସ୍କ, ପିପିଇ ଇତ୍ୟାଦିର ନିୟମିତ ଯାଞ୍ଚ
- ବ୍ୟାବହାରିକ ପରିବର୍ତ୍ତନ ଯଥା – ସାମାଜିକ ଦୂରତ୍ଵ, ମାସ୍କ ପିନ୍ଧିବା, ହାତ ଧୋଇବା ଓ କାଶିବା ସଂକ୍ରାନ୍ତ ନିୟମଗୁଡିକ ପାଳନ
ଏହିସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନେ ସେମାନଙ୍କ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ମୁକାବିଲା ନିମନ୍ତେ ନିଆଯାଉଥିବା ପଦକ୍ଷେପ ସମ୍ପର୍କିତ ସୂଚନା ଦେଇଥିଲେ । ମୃତ୍ୟୁହାର ରୋକିବା ସହ କରୋନା ସମ୍ପର୍କିତ ଜନସଚେତନତା ଉପରେ ନିଆଯାଉଥିବା ପଦକ୍ଷେପ ଉପରେ ମଧ୍ୟ ସୂଚନା ଦେଇଥିଲେ ।
Comments are closed.