ଜମ୍ମୁ-କଶ୍ମୀର ପାଇଁ ୧.୪୨ ଲକ୍ଷ କୋଟି ଟଙ୍କାର ବଜେଟ

0

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ୧.୪୨ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି। ଜମ୍ମୁ-କଶ୍ମୀର ବିଧାନସଭା ଚାଲୁ ନଥିବାରୁ ୨୦୨୨-୨୩ ବର୍ଷର ବଜେଟ ଲୋକସଭାରେ ଉପସ୍ଥାପନ କରାଯାଇଛି।

ଏଥିସହ ଅର୍ଥମନ୍ତ୍ରୀ ୨୦୨୧-୨୨ ବର୍ଷ ପାଇଁ ସପ୍ଲିମେଣ୍ଟାରୀ ଡିମାଣ୍ଡ ବାବଦରେ ମୋଟ ୧୮,୮୬୦.୩୨ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହାବାଦ କଶ୍ମୀର ପଣ୍ଡିତମାନେ ଜମ୍ମୁ-କଶ୍ମୀରକୁ ଫେରିବା ପାଇଁ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତିକୁ ଯେମିତି ହେଲେ ବି ପୂରଣ କରାଯିବ ବୋଲି ଶ୍ରୀମତୀ ସୀତାରମଣ ଗୃହକୁ ଅବଗତ କରାଇଛନ୍ତି।

ଲୋକସଭାରେ ସେ କହିଛନ୍ତି ଯେ ଉପତ୍ୟକତାରେ ବର୍ତ୍ତମାନ ସୁଦ୍ଧା କଶ୍ମୀର ପଣ୍ଡିତଙ୍କ ପାଇଁ ୧୦୨୫ଟି ଅସ୍ଥାୟୀ ଘର ତିଆରି କରାଯାଇଛି। ସେହିପରି ଆଉ ୧୪୮୮ ୟୁନିଟର କାମ ବିଭିନ୍ନ ପର୍ଯ୍ୟାୟରେ ରହିଛି। ଅସ୍ଥାୟୀ ଘରେ ରହୁଥିବା ଲୋକଙ୍କୁ ନଗଦ ଟଙ୍କା ଓ ଖାଦ୍ୟ ଯୋଗାଇ ଦିଆଯାଉଛି।

ଜମ୍ମୁ-କଶ୍ମୀରରେ ୪,୬୭୮ ଜଣ କଶ୍ମୀର ପଣ୍ଡିତଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି। କଶ୍ମୀର ପଣ୍ଡିତଙ୍କୁ ସରକାର ଦେଇଥିବା ପ୍ରତିଶ୍ରୁତି ନିଶ୍ଚିତ ପୂରଣ କରିବେ। ସେମାନେ ନିଶ୍ଚିତ କଶ୍ମୀରକୁ ଫେରିବେ ବୋଲି ସେ ଗୃହରେ ଦମ୍ଭୋକ୍ତି କରିଛନ୍ତି।

ନିର୍ମଳା ସୀତୀରମଣ ଆହୁରି କହିଛନ୍ତି, “ଧାରା ୩୭୦ ଉଚ୍ଛେଦ ହେବା ପରେ ବେଶ ଶାନ୍ତିଶୃଙ୍ଖଳାର ସହ ଜମ୍ମୁ-କଶ୍ମୀରରେ ବିକାଶର ପ୍ରକଳ୍ପ ଆରମ୍ଭ ହୋଇଛି। ଧାରା ୩୭୦ ଉଚ୍ଛେଦ ହେବା ପରେ ୮୯୦ଟି କେନ୍ଦ୍ରୀୟ ଆଇନ ସେଠାରେ କାର୍ଯ୍ୟକାରୀ ହୋଇପାରିଛି। ଦୀର୍ଘ ୭୦ ବର୍ଷ ହେଲା ଜମ୍ମୁ-କଶ୍ମୀର ଲୋକଙ୍କୁ ଯେଉଁ ସବୁ ସୁବିଧା ମିଳୁ ନଥିଲା, ଏବେ ସେଗୁଡ଼ିକ ଉପଲବ୍ଧ କରାଯାଉଛି। ଡ ବିଆର ଆମ୍ବେଦକର ସମଗ୍ର ଦେଶର ଏସ୍‌ସି/ଏସ୍‌ଟିମାନଙ୍କୁ ଦେଇଥିବା ଅଧିକାର ବର୍ତ୍ତମାନ ଜମ୍ମୁ-କଶ୍ମୀରରେ ମଧ୍ୟ ଲୋକଙ୍କୁ ମିଳିବା ଆରମ୍ଭ ହୋଇଛି।”

ମହାମାରୀ ଯୋଗୁ ଉପତ୍ୟକାର ପର୍ଯ୍ୟଟନ ଓ ବୁଣାକାଣ ଶିଳ୍ପ ଗଭୀର ଭାବେ ପ୍ରଭାବିତ ହୋଇଥିବା କଂଗ୍ରେସ ସାଂସଦ ମନୀଷ ତିୱାରୀ ଗୃହକୁ ଅବଗତ କରାଇଥିଲେ। ସେହିପରି ବେକାରୀ ସମସ୍ୟା ଅନ୍ୟ ପ୍ରାନ୍ତ ଗୁଡ଼ିକ ଅପେକ୍ଷା କଶ୍ମୀରରେ ଅଧିକ ବୋଲି ସେ କହିଥିଲେ।

ଏହାର ଜବାବରେ ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି, “ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ-କଶ୍ମୀର ପାଇଁ ୧୩୫୩ କୋଟିର ଆର୍ଥିକ ପ୍ୟାକେଜ ଦିଆଯାଇଛି। ଏବେ ସୁଦ୍ଧା ୩.୪୪ ଲକ୍ଷ ଆକାଉଣ୍ଟକୁ ୭୫୦ କୋଟି ଟଙ୍କା ପଠାଯାଇଛି। ଏହି ଅର୍ଥରେ ସେମାନେ ନିଜର ବ୍ୟବସାୟକ ଆଗକୁ ନେଉଛନ୍ତି। ସେହିପରି ବିଜୁଳି ଓ ପାଣି ବିଲ୍‌ରେ ୫୦% ରିହାତି ପ୍ରଦାନ କରାଯାଇଛି।”

Leave A Reply

Your email address will not be published.